ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳରେ। ଏ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ତେନ୍ତୁଳିଡିହି ପଞ୍ଚାୟତର ମୂଳକାଇମା ଗ୍ରାମର ଉପେନ୍ଦ୍ର ବିଶ୍ୱାଳଙ୍କ ପୁଅ ପରେଶ ବିଶ୍ୱାଳ (୨୮) ଅପରାହ୍ନରେ ଚାନ୍ଦବାଲିସ୍ଥିତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ନିଜ ବାଇକରେ ପେଟ୍ରୋଲ ଭରି ବାହାରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇ ଚଢ଼ି ଯାଇଥିଲା।

ଘଟଣାସ୍ଥଳରେ ସେ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ,ମାତ୍ର ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ପରେ ପରିବାର ଲୋକମାନେ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଦାବି କରି ପେଟ୍ରୋଲ ପମ୍ପ ନିକଟରେ ମୃତଦେହ ରଖି ଭଦ୍ରକ–ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।ସବୁଠାରୁ ଦୁଃଖର ଘଟଣା , ମୃତକଙ୍କ ବିବାହକୁ ମାତ୍ର ଏକ ବର୍ଷ ହୋଇଥିବା ବେଳେ ସାବିତ୍ରୀ ବ୍ରତ ଦିନେ ଏହି ଦୁଃଖଦ ଘଟଣା ଘଟିଥିବାରୁ ପରିବାର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ପରିବେଶ ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily

Share