ବର୍ଷାରେ ଭିଜି ବାସନ ମାଜିଲେ ଛାତ୍ର, ଭିଡିଓ ଭାଇରାଲ

ଖୋର୍ଦ୍ଧା,୨୫ା୧(ପ୍ରଭାତ ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଅଭିଯାନରେ ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ସ୍ଲୋଗାନ ପ୍ରହସନ ପାଲଟିଛି। ଡ୍ରପ୍‌ଆଉଟ ପିଲାଙ୍କୁ ସରକାରୀ ବିଦ୍ୟାଳୟମୁହାଁ କରିବା, ଅତ୍ୟାଧୁନିକ ଜ୍ଞାନକୌଶଳ, ଉନ୍ନତ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଯୋଗାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ରାଜ୍ୟ ସରକାର ୫-ଟି ଅନ୍ତର୍ଗତ ବିଦ୍ୟାଳୟ ଋପାନ୍ତରଣ ଆରମ୍ଭ କରିଛନ୍ତି। ଏହାର ଲକ୍ଷ୍ୟ ପିଲାଙ୍କୁ ସରକାରୀ ସ୍କୁଲରେ ପାଠପଢା ପ୍ରତି ଆକୃଷ୍ଟ କରିବା ତଥା ବେସରକାରୀ ସ୍କୁଲ ଭଳି ସମସ୍ତ ସୁବିଧା ସୁଯୋଗ ଦେବା। ତେବେ ବାସ୍ତବ ଚିତ୍ର ଭିନ୍ନ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ସିମୋର ପଞ୍ଚାୟତର କୁଞ୍ଜବିହାରୀ ଦେବ ସ୍ମାର୍ଟ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କୁ ବାସନ ମଜାଯାଉଥିବା ଦେଖିବାକୁ ମିଳିଛି। ବୁଧବାର ଦିନତମାମ ବର୍ଷା ଲାଗିରହିଛି। ବିଦ୍ୟାଳୟ ପରିସରରେ ପିଲାମାନେ ବର୍ଷାରେ ଭିଜି ବାସନ ମାଜୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ସୂଚନା ଅନୁଯାୟୀ, ବୁଧବାର ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲାର କୁଞ୍ଜବିହାରୀ ଦେବ ବିଦ୍ୟାଳୟ ସମେତ ଏକାଧିକ ବିଦ୍ୟାଳୟ ସାମିଲ ହୋଇଥିଲେ। ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରୂପାନ୍ତରିତ ବିଦ୍ୟାଳୟକୁ ଉଦ୍‌ଘାଟନ କରିଥିଲେ। ପରେ ଏହି ଅବସରରେ ବିଦ୍ୟାଳୟ ପରିସରରେ ଭୋଜିଭାତ ଆୟୋଜନ ହୋଇଥିଲା। ଅପରାହ୍ନରେ ସମସ୍ତେ ଖାଇସାରିବା ପରେ ବାସନ ମାଜିବା କାର୍ଯ୍ୟରେ ପିଲାଙ୍କୁ ନିୟୋଜିତ କରାଯାଇଥିଲା। ପିଲାମାନେ ବର୍ଷାରେ ଭିଜି ଅଇଁଠା ବାସନ ମାଜିଥିଲେ। ଏହି ସମୟରେ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ। ପିଲାମାନେ ବାସନ ମାଜିବା ବେଳର ଭିଡିଓ ଭାଇରାଲ ହେବା ପରେ ଶିକ୍ଷକମାନଙ୍କ ଦାୟିତ୍ୱ ଉପରେ ପ୍ରଶ୍ନବାଚୀ ଉଠିଛି। ଏଭଳି କାର୍ଯ୍ୟକୁ ବିିଭିନ୍ନ ମହଲରେ ସମାଲୋଚନା କରାଯାଇଛି। କେତେଜଣ ଅଭିଭାବକ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟାଳୟରେ ପିଲାଙ୍କୁ କୌଣସି କାର୍ଯ୍ୟରେ ନ ଲଗାଇବା ପାଇଁ ଶିକ୍ଷା ବିଭାଗର ନିର୍ଦ୍ଦେଶ ଥିବା ବେଳେ କିଏ, କାହିଁକି, ବର୍ଷାରେ ପିଲାଙ୍କୁ ବାସନ ମାଜିବା କାର୍ଯ୍ୟରେ ଲଗାଇଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ପିସିସି ରାଜ୍ୟ ସମ୍ପାଦକ ଶିଶିର ପରିଡା କହିଛନ୍ତି, ଏହା ନିନ୍ଦନୀୟ ଘଟଣା। ସରକାର ପିଲାଙ୍କୁ ସରକାରୀ ସ୍କୁଲରେ ପାଠ ପଢିବା ପ୍ରତି ଆଗ୍ରହ ପାଇଁ ମଧ୍ୟାହ୍ନଭୋଜନ, ମାଗଣା ସ୍କୁଲ ୟୁନିଫର୍ମ, ଜୋତା, ସାଇକେଲ ପ୍ରଭୃତି ଯୋଜନା ପରେ ଏବେ ୫-ଟି ରୂପାନ୍ତରଣରେ ସ୍ମାର୍ଟ ବିଦ୍ୟାଳୟ କରୁଛନ୍ତି। ତେବେ ଏଭଳି ଚିତ୍ରରୁ ପିଲାଙ୍କ ଭବିଷ୍ୟତ ନେଇ ଶିକ୍ଷା ବିଭାଗ କେତେ ତପତ୍ର ତାହା ବୁଝାପଡୁଛି। ଅନ୍ୟପକ୍ଷରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର କହିଛନ୍ତି, ଏଭଳି ଘଟଣା ସମ୍ପର୍କରେ ମୋ’ ପାଖରେ କୌଣସି ସୂଚନା ନାହିଁ। ମୁଁ ଦୁଇଟି ବିଦ୍ୟାଳୟ ଦାୟିତ୍ୱରେ ରହିଛି। ଅପରାହ୍ନରେ ଅନ୍ୟ ସ୍କୁଲକୁ ଯାଇଥିଲି। ବାସନକୁସନ ମାଜିବା ପାଇଁ ପାଚିକା ଅଛନ୍ତି। ପିଲାଙ୍କୁ କୌଣସି କାମରେ ନ ଲଗାଇବା ପାଇଁ ଶିକ୍ଷକମାନଙ୍କୁ କଡା ତାଗିଦ୍‌ କରାଯାଇଛି। ଗୁରୁବାର ଷ୍ଟାଫ ବୈଠକ ଡକାଯାଇ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏ ସଂକ୍ରାନ୍ତରେ ଜିଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।