ଏକଲାପଣର ସମୟ

ଆଜିର ସମୟକୁ ଦେଖନ୍ତୁ, ପ୍ରାୟତଃ ସମସ୍ତଙ୍କ ହାତରେ କେବଳ ଫୋନ୍‌ ତ ନୁହଁ, ଅତ୍ୟାଧୁନିକ ସୂଚନା କୌଶଳ ଓ ସମସ୍ତ ତତ୍କାଳ ତଥ୍ୟ ରହୁଥିବା ମୋବାଇଲ ଆଉ ତାହା ସହ ସୋସିଆଲ ମିଡିଆ। ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌ ଓ ଇନ୍‌ଷ୍ଟା ଭଳି ଆପ୍‌ ମାଧ୍ୟମରେ ଆମେ ସବୁବେଳେ ଆମ ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହ ଯୋଡ଼ିହୋଇ ରହୁଛେ। ଏତେସବୁ ସୁବିଧା ସୁଯୋଗ ଓ ଦୁନିଆକୁ ନିଜ ହାତମୁଠାରେ କରିବା ସତ୍ତ୍ୱେ ମଣିଷ ଆଜି କାହିଁ ଏତେ ଏକୁଟିଆ ତାହା ଏକ ଆଲୋଚନାର ପ୍ରସଙ୍ଗ।
ମଣିଷ ଭିଡ଼ ଭିତରେ ଥାଇ ନିଜକୁ ନିଃସଙ୍ଗତା ଅଡ଼ୁଆଜାଲ ଭିତରୁ ମୁକୁଳାଇ ପାରୁନାହିଁ। ଅନ୍ୟମାନଙ୍କ ଦୃଷ୍ଟିରେ ବେଶ୍‌ ସହଜରେ ମିଶିପାରୁଥିବା ଲୋକଟି ଯେ ନେପଥ୍ୟରେ ନିଃସଙ୍ଗତାରେ ଜର୍ଜରିତ ହେଉଛି ତାହା ବୁଝିବା ସହଜ କଥା ନୁହେଁ। କେବଳ ଯୁବପିଢ଼ି ନୁହନ୍ତି, ବିଭିନ୍ନ ସମୀକ୍ଷାରୁ ଜାଣିବାକୁ ମିଳିଛି ଶିଶୁ ଓ ବୃଦ୍ଧମାନେ ମଧ୍ୟ ବିଭିନ୍ନ ଭାବେ ନିଃସଙ୍ଗତା ମହାମାରୀରେ ଆକ୍ରାନ୍ତ। ନିଃସଙ୍ଗ ଅନୁଭବ କରୁଥିବା ଲୋକ ଅଧିକାଂଶ ସମୟରେ ନିଜକୁ ଖାଲି, ଅଦରକାରୀ ଓ ଏକା ଅନୁଭବ କରିଥାନ୍ତି। ନିକଟରେ ପ୍ରକାଶିତ ହୋଇଛି ୟୁଜିଓଭି ଏକ ଇଣ୍ଟରନେଟ୍‌ ମାର୍କେଟ ରିସର୍ଚ୍ଚ କମ୍ପାନୀ ଦ୍ୱାରା ଏକ ସର୍ବେକ୍ଷଣ ରିପୋର୍ଟ, ଯେଉଁଥିରେ ଉଲ୍ଲେଖ ରହିଛି ୨୭ରୁ ୪୨ ବର୍ଷ ବୟସର ସମୁଦାୟ ଲୋକସଂଖ୍ୟାର ୩୦% ଲୋକ ଏକଲାପଣର ଶିକାର ହେଉଛନ୍ତି। ଏମାନଙ୍କ ମଧ୍ୟରେ ଅନେକଙ୍କର କୌଣସି ସାଙ୍ଗ, ଅନ୍ତରଙ୍ଗ ବନ୍ଧୁ ଓ ସମାସ୍କନ୍ଧ ନ ଥାନ୍ତି। ଏହି ବୟସର ଲୋକମାନଙ୍କ ମଧ୍ୟରେ ବଢ଼ୁଥିବା ଏକଲାପଣର ଅନ୍ୟତମ କାରଣ ଇଣ୍ଟରନେଟ୍‌ ନିଶା ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି। ଇଣ୍ଟରନେଟ୍‌ ଯୋଗୁ ଲୋକମାନେ ଘରେ ରହିବାକୁ ପସନ୍ଦ କରୁଛନ୍ତି। ଅନ୍‌ଲାଇନ ବାର୍ତ୍ତାଳାପ ଏତେ ସହଜ ଓ ସୁଗମ ହୋଇଯାଇଛି ଯେ ସିଧାସଳଖ ଦେଖାହୋଇ କଥାବାର୍ତ୍ତା ହେବାକୁ ଲୋକମାନେ ପ୍ରାଧାନ୍ୟ ଦେଉନାହାନ୍ତି। ଏଭଳି ପରିବେଶରେ ବଢ଼ିଥିବା ପିଲାମାନେ ସାମାଜିକ ସମ୍ପର୍କ ଅପେକ୍ଷା ଏକୁଟିଆ ରହିବାକୁ ଅଧିକ ପସନ୍ଦ କରିଥାନ୍ତି।
ନିଜ ଚାରିପଟେ ଯେତେ ବନ୍ଧୁ, ଆତ୍ମୀୟ, ଶୁଭେଚ୍ଛୁଙ୍କ ଭିଡ଼ ଥାଉନା କାହିଁକି ଏସବୁ ଭିତରେ ଯେ ନିଜକୁ ଏକୁଟିଆ ଲାଗିବ ନାହିଁ, ଏମିତି ଧାରଣ ଠିକ୍‌ ନୁହେଁ ବୋଲି ଜଣାଉଛି ବିଭିନ୍ନ ସମୀକ୍ଷା। ଅଧିକାଂଶ ସମୟରେ ତରୁଣ ତରୁଣୀମାନେ ଏକାକିତ୍ୱ ସମସ୍ୟାରୁ ବଞ୍ଚତ୍ବା ପାଇଁ ସୋସିଆଲ ମିଡିଆରେ ବନ୍ଧୁତ୍ୱର ସନ୍ଧାନ କରୁଛନ୍ତି, ଅଥଚ ଅଜାଣତରେ ସେହି ସୋସିଆଲ ମିଡିଆ ସେମାନଙ୍କୁ ଆହୁରି ଦୂରକୁ ଠେଲି ନେଇଯାଉଛି ବାସ୍ତବ ଦୁନିଆରୁ। କିନ୍ତୁ ଏହି ସମସ୍ୟାରୁ କିଭଳି ଭାବେ ମୁକ୍ତି ମିଳିବ? ଏହି ଧରଣର ସମସ୍ୟାରେ ସର୍ବପ୍ରଥମେ ନିଜ ମନକୁ ବୁଝିବାକୁ ହେବ ଆଉ ହାତର ପ୍ରିୟବନ୍ଧୁ ଯନ୍ତ୍ର ମୋବାଇଲଠାରୁ ନିଜ ଜାଗତିକ ଦୁନିଆର ବନ୍ଧୁମାନଙ୍କ ପାଇଁ ଅଧିକ ସମୟ କାଢ଼ନ୍ତୁ। ମାନସିକ ଭାବେ ଖୁସିରହି ସକାରାତ୍ମକ ଚିନ୍ତା ଭିତରେ କେବଳ ନିଜ ପାଇଁ ସଫଳତା ପାଇବା ନୁହେଁ, ଅନ୍ୟମାନଙ୍କ ସଫଳତା ଭିତରେ ଖୁସି ଅନୁଭବ କରନ୍ତୁ। ବୟସ ବାଧକ ନୁହେଁ, ଚିନ୍ତାଧାରା ଓ ମାନସିକତା ବଡ଼ ବାଧକ ସାଜିଥାଏ। ତେଣୁ ମନ ଗହନରେ କେଉଁଠି ଶାନ୍ତି, ଖୁସି, ଆତ୍ମସନ୍ତୋଷ ଲୁଚିରହିଛି ତାହାକୁ ବାହାରକୁ ଆଣିବା ନିହାତି ଆବଶ୍ୟକ ବୋଲି ମନସ୍ତାତ୍ତ୍ୱିକମାନେ କହୁଛନ୍ତି। ଆଉ ଏହା ମଧ୍ୟ ବଡ଼ ସତ୍ୟ ଓ ଅନୁଭବର କଥା ଯେ, କରୋନା ମହାମାରୀ ଯୋଗୁ ଲୋକମାନଙ୍କ ମଧ୍ୟରେ ଏକଲାପଣ ଏକ ବିସ୍ଫୋରକ ରୂପ ନେଇଛି। ଅନ୍ୟପଟେ ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ଅବସାଦ ଓ ଆଙ୍ଗ୍‌ଜାଇଟିର ମୁଖ୍ୟ କାରଣ ହେଉଛି ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟର ଆରମ୍ଭ ସମୟର ସଂଘର୍ଷ।
ଜାତୀୟ ଅପରାଧ ନଥି ସଂସ୍ଥାର ତଥ୍ୟ ଅନୁସାରେ, ୨୦୨୧ରେ ଭାରତରେ ୧ଲକ୍ଷ ୬୪ହଜାର ଲୋକ ଆତ୍ମହତ୍ୟା କରିଛନ୍ତି। ଏଥିରୁ ଏହା ମଧ୍ୟ ସାମ୍ନାକୁ ଆସିଛି, ଜାତୀୟ ହାରଠାରୁ ଓଡ଼ିଶାରେ ଆତ୍ମହତ୍ୟା ହାର ଅଧିକ ରହୁଛି। ଓଡ଼ିଶାରେ ୨୦୨୧ରେ ୫୬୫୧ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି। ବିଭିନ୍ନ କାରଣ ରହିଥିଲେ ବି ଏକୁଟିଆ, ଅଲୋଡ଼ା ଓ ଆଶାହୀନ ଆତ୍ମହତ୍ୟା ପଛର କାରଣ ବୋଲି କୁହାଯାଉଛି। ନିଃସଙ୍ଗତାଟି କେବଳ ଜୀବନକୁ ନିରୁତ୍ସାହିତ କରି ନ ଥାଏ, ଏହା ଅନେକ ସ୍ବାସ୍ଥ୍ୟଗତ ଯନ୍ତ୍ରଣାକୁ ଆମନ୍ତ୍ରଣ କରିଥାଏ। ପ୍ରାୟତଃ ନିଃସଙ୍ଗ ଅନୁଭବୀ ବର୍ଗଙ୍କ ଭିତରେ ଅବସାଦ, ଅଲଜାଇମର୍ସ, ଡିମେନ୍ସିଆ, ଇମ୍ପାର୍ଡ କଗ୍ନିଟିଭ୍‌ ଫଙ୍କ୍‌ଶନ, ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗ ଭଳି ସମସ୍ୟା ଦେଖାଦେଇଥାଏ। ଏଥିସହ ଏକଲାପଣ ଯୋଗୁ ଅକାଳ ମୃତ୍ୟୁର ଆଶଙ୍କା ମଧ୍ୟ ରହିଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ବିଶ୍ୱରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଜାପାନରେ ରୋବଟ୍‌ ଥେରାପି ରହିଛି। ଜାଣିଛନ୍ତି ଏହା କ’ଣ? ଏକଲାପଣ ଦୂର ପାଇଁ ରୋବଟ୍‌ ଥେରାପି ଜାପାନରେ ଲୋକମାନେ ଏତେ ବ୍ୟସ୍ତ ଜୀବନଶୈଳୀ ବଞ୍ଚୁଛନ୍ତି ଯେ ସେମାନେ ନିଜ ମାତାପିତା ଓ ଜେଜେବାପା, ମା’ଙ୍କୁ ଏକଲାପଣରୁ ରକ୍ଷା କରିବାକୁ ରୋବଟ୍‌ ଥେରାପି ଦେବାକୁ ବାଧ୍ୟ ହେଉଛନ୍ତି। ଏହି ରୋବଟ୍‌ ଥେରାପିରେ କୁକୁର, ବିଲେଇ ଆଦି ଗୃହପାଳିତ ପଶୁଙ୍କ ଭଳି ଦେଖାଯାଉଥିବା ରୋବଟ୍‌ ସହ ସେମାନେ ରହିବା ସହିତ କଥାବାର୍ତ୍ତା ହୋଇ ସମୟ ଅତିବାହିତ କରୁଛନ୍ତି। ବୈଷୟିକ ଜ୍ଞାନ କ୍ଷେତ୍ରରେ ଜାପାନ ବହୁପଥ ଅତିକ୍ରମ କରିସାରିଥିଲେ ମଧ୍ୟ ଭାବଗତ ଏକତାରେ ଏହା କାହିଁ କେତେ ପଛରେ ପଡ଼ିଯାଇଛି।
ମାନସିକ ଅବସ୍ଥା ଭଲ ନ ରହିଲେ ଯେ ତାହାର କୁପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ସେ କଥା ଚିକିତ୍ସକମାନେ ବହୁଦିନ ଧରି କହି ଆସୁଛନ୍ତି। କିନ୍ତୁ ଏକଲାପଣ ଯେ ବେଳେବେଳେ କର୍କଟ ଭଳି ମାରାତ୍ମକ ରୋଗର କାରଣ ସାଜିପାରେ ତାହା ଜାଣିବାକୁ ମିଳିଛି ସାଇକିଆଟ୍ରିକ୍‌ ରିସର୍ଚ୍ଚ ପତ୍ରିକାରେ ପ୍ରକାଶିତ ଏକ ଗବେଷଣାରୁ। ଅବସାଦର ଦୁନିଆ ଭିତରେ ରହିଥିବା ଲୋକମାନଙ୍କ ମଧ୍ୟରୁ ଏକ ବଡ଼ଅଂଶ ପ୍ରାଥମିକସ୍ତରରେ ନିଜକୁ ଖୁବ୍‌ ନିଃସଙ୍ଗ ଅନୁଭବ କରିଥାନ୍ତି। ଅଥଚ ସେମାନେ ବାସ୍ତବିକ ଏକା ନ ଥାନ୍ତି। ପରିବାର, ସାଙ୍ଗସାଥୀ ଗହଣରେ ରହି ମଧ୍ୟ ନିଜର ଭାବନା ବ୍ୟକ୍ତ କରି ନ ପାରିବାର ବ୍ୟର୍ଥତା ସେମାନଙ୍କୁ ଧୀରେ ଧୀରେ ନିଃସଙ୍ଗତା ଆଡ଼କୁ ଟାଣିନେଇଯାଏ। ଏହି ନିଃସଙ୍ଗତା କ୍ରମାଗତ ଭାବେ ସେମାନଙ୍କୁ ଅବସାଦ ଏବଂ ଅସହାୟତା ଆଡ଼କୁ ବାଟ କଢ଼ାଇନିଏ। ଭାବଗତ ଏକତା ଭିତରେ ଏହା ଏକ ଜୀବନ ମୂଲ୍ୟବୋଧ। ନିଃସଙ୍ଗତାକୁ ପଥଚ୍ୟୁତ କରିବାକୁ ପଡ଼ିବ।

– ଡା. ପ୍ରଫୁଲ୍ଲ କୁମାର ଦାସ
କନ୍‌ସଲ୍‌ଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆର୍‌ଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri