ଏଭର୍‌ଗ୍ରୀନ କଣ୍ଠଶିଳ୍ପୀଙ୍କ ସୁପରହିଟ୍‌ ପ୍ରଦର୍ଶନ

୯୦ଦଶକର ଗୀତ ଆଜିବି ସୁପରିହିଟ୍‌ ହୋଇ ରହିଛି। ଏସବୁ ଗୀତକୁ ନେଇ ଡଟ୍‌ଫେଷ୍ଟର ସପ୍ତମ ସନ୍ଧ୍ୟାରୁ ରାତି ମତୁଆଲା ହୋଇଉଠିଥିଲା। ବଲିଉଡ୍‌ର ଦୁଇ ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ ଓ ଅଲ୍‌କା ୟାଗ୍‌ନିକ୍‌ଙ୍କ ଉପସ୍ଥିତି ଭୁବନେଶ୍ୱର ଲାଇଭ୍‌କୁ ଆହୁରି ରଙ୍ଗିନ କରିଦେଇଥିଲା। ସେମାନଙ୍କ କଣ୍ଠର ଯାଦୁରେ ଝୁମି ଉଠିଥିଲା ପୂରା ରାଜଧାନୀ। ଶୋ’ ସରିଥିଲେ ମଧ୍ୟ ଦର୍ଶକ ଓ ଶ୍ରୋତାଙ୍କ ମୁହଁରେ ଗୁଞ୍ଜରିତ ହେଉଥିଲା ଉଦିତ୍‌-ଅଲ୍‌କାଙ୍କ କିଛି ଅଭୁଲା, ସ୍ମୃତିଭରା ଗୀତର ଝଙ୍କାର। ଏଥିସହ ଓଲିଉଡ ଗାୟକ ସତ୍ୟଜିତ୍‌ ଜେନା ଓ ଉଦିତ୍‌ ନାରାୟଣଙ୍କ ସ୍ତ୍ରୀ ଦୀପା ନାରାୟଣ ଝା ମଧ୍ୟ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ। ୯୦ଦଶକର ଏଭରଗ୍ରୀନ୍‌ ଗୀତ ଓ କଣ୍ଠଶିଳ୍ପୀଙ୍କ ସହ ଦର୍ଶକଙ୍କ ଉତ୍ସାହରେ ରୋମାଞ୍ଚତ୍ତ ହୋଇ ଉଠିଥିଲା ପ୍ରଦର୍ଶନୀ ପଡ଼ିଆ।

ଉଦିତ୍‌, ଅଲ୍‌କା ଯୋଡ଼ି ପ୍ରଦର୍ଶନ ନିଆରା ଥିଲା

ବଲିଉଡର ୨ ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କୁ ଏକା ସାଙ୍ଗରେ ଗୀତ ଗାଇବା ଦେଖିବାର ସୁଯୋଗ ପାଇଥିଲେ ଦର୍ଶକ। ମଞ୍ଚରେ ସେମାନଙ୍କୁ ଦେଖି ଦର୍ଶକ ଅଧିକ ଉତ୍ସାହିତ ହୋଇ ପଡ଼ିଥିଲେ। ଗୋଟିଏ ପରେ ଗୋଟିଏ ରୋମାଣ୍ଟିକ୍‌ ଲଭ୍‌ ସଙ୍ଗୀତ ଦେଇ ଦର୍ଶକଙ୍କ ନିକଟରେ ଭଲପାଇବା ଭରି ଦେଇଥିଲେ। ଚାନ୍ଦ ଛୁପା ବାଦଲ୍‌ ମେ ..ଭଳି ପ୍ରେମ ସଙ୍ଗୀତରୁ ସେମାନେ ପରିବେଷଣ ଆରମ୍ଭ କରିଥିଲେ। ମେରେ ମେହେବୁବା ମେରେ ସନମ୍‌.., କହୋନା ପ୍ୟାର୍‌ ହେ..ଆଦି ଗୀତକୁ ଦର୍ଶକଙ୍କୁ ଭେଟି ଦେଇଥିଲେ।

ବଲିଉଡର ଲୋକପ୍ରିୟ ଗାୟିକା ଅଲ୍‌କା ୟାଗ୍‌ନିକ୍‌ଙ୍କୁ ମଞ୍ଚରେ ପାଇ ଉପସ୍ଥିତ ଦର୍ଶକ ଖୁସିରେ ନାଚି ଉଠିଥିଲେ। ସମସ୍ତଙ୍କର ପ୍ରିୟ କୁଛ୍‌ କୁଛ୍‌ ହୋତା ହେ ଗୀତରୁ ସେ ତାଙ୍କର ପ୍ରଥମ ସୁପରହିଟ୍‌ ପରିବେଷଣ ଆରମ୍ଭ କରିଥିଲେ। ପରେ ପରେ କସମ୍‌ ସେ.., କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅଜିବ୍‌ ଦାସ୍‌ତା ହେ ୟେ…ସଙ୍ଗୀତ ଉପସ୍ଥାପନ କରିଥିଲେ। ଶୀତୁଆ ସାରେ ଟିପ୍‌ ଟିପ୍‌ ବର୍‌ଷା ପାନି ଗୀତରେ ମାହୋଲକୁ ଗରମ କରିଥିଲେ।

ଲୋକପ୍ରିୟ ଗୀତରୁ ରିମିକ୍ସ…
ମେରି ଅଙ୍ଗ୍‌ନ ମେ ତୁମ୍‌ହାରା କ୍ୟା କାମ୍‌ ହେ.. ଗୀତରୁ ନିଜର ଲୋକପ୍ରିୟ ଗୀତ ସବୁକୁ ମିଶାଇ ପରିବେଷଣ ଆରମ୍ଭ କରିଥିଲେ ଅଲ୍‌କା। କୋଇ ରୋକ୍‌ ସକ୍‌ତା ହେ ତୋ ରୋକ୍‌ଲେ.., ଦେଖା ହେ ପେହେଲି ବାର୍‌ ସାଜନ୍‌ କି ଆଖୋମେ ପ୍ୟାର୍‌…, କଭି ଖୁସି କଭି ଗମ୍‌.., ସୁରଜ ହୁୁଆ ମଥମ୍‌.., ପଲ୍‌ ଭର୍‌ ଠେହେର ଯାଓ..ଭଳି ଏଭରଗ୍ରୀନ୍‌ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଝୁମାଇଥିଲେ।
ଦିଲ୍‌ବର୍‌ ଗୀତରୁ ଧମାକା
୯୦ଦଶକର କିଛି ସୁପରହିଟ୍‌ ଗୀତକୁ ଗୋଟିଏ ପରେ ଗୋଟିଏ ଭେଟି ଦେଇଥିଲେ ଅଲ୍‌କା। ଦିଲ୍‌ବର୍‌ ଦିଲ୍‌ବର୍‌..ଭଳି ଏନର୍ଜେଟିକ୍‌ ଗୀତରୁ ସେ ଦର୍ଶକଙ୍କୁ ନାଚିବାର ଖୋରାକ ଯୋଗାଇଥିଲେ। ପରେ ପରେ ଆଜା ଶାବରିୟା..ତାଲ ସେ ତାଲ ମିଲା.., ଛମ୍ମା ଛମ୍ମା.., କଭି ଡିସ୍କୋ ମେ ଯାଏ.., ଲେଜା ଲେଜା.., ଏକ ଦୋ ତିନ୍‌ ଆଦି ଗୀତରେ ଜୋସ୍‌ ଭରିଥିଲେ।
ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ଅଲ୍‌କା
ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ ଅଲ୍‌କା। ଶୁଭେଚ୍ଛା ଜଣାଇ କହିଥିଲେ, ଆଗରୁ ବହୁତ ଥର ଓଡ଼ିଶା ଆସିଛି। ଏଥର ବହୁତ ବର୍ଷ ପରେ ଆସିଛି। ଯେତେଥର ଆସିଲେ ବି ପୁଣି ଆସିବାକୁ ଇଚ୍ଛା ହେବ।

ଉଦିତ୍‌ଙ୍କ କଣ୍ଠରେ ପ୍ରଥମ ପ୍ରେମର ପ୍ରଥମ ଚିଠି
ଓଡ଼ିଆ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ନିଜର କରିଥିଲେ ଉଦିତ୍‌। ଏମିତିରେ ଦର୍ଶକ ତାଙ୍କ ଉପସ୍ଥିତିରେ ହିଁ ଅନନ୍ୟ ଅନୁଭବ କରୁଥିଲେ। ପ୍ରଥମ ପ୍ରେମର ପ୍ରଥମ ଚିଠିରୁ ସେ ଓଡ଼ିଆ ସଙ୍ଗୀତ ଗାଇବା ଆରମ୍ଭ କରିଥିଲେ। ଆଜି ଆକାଶେ କି ରଙ୍ଗ ଲାଗିଲା …, ତୋ ପାଇଁ ଗଲିରେ ମରି..ସଙ୍ଗୀତରେ ସେ ଉପସ୍ଥିତି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ।
ଉଦିତ୍‌ଙ୍କ ସହ ଗୀତ ଗାଇଲେ ସ୍ତ୍ରୀ ଦୀପା
ତୁ ମେରି ସାମ୍‌ନେ…ଗୀତରେ ଉଦିତ୍‌ଙ୍କ ସହ ମଞ୍ଚରେ ନଜର ଆସିଥିଲେ ତାଙ୍କ ସ୍ତ୍ରୀ ଦୀପା ନାରାୟଣ ଝା। ଉଭୟ ଗୀତ ଗାଇବା ସହ ନାଚିଥିଲେ। ବିଶେଷ କରି ଉଦିତ୍‌ ସ୍ତ୍ରୀଙ୍କ ସହ ଗୀତର ପ୍ରତିଟି ପଦକୁ ଭାବନାର ସହିତ ଉପସ୍ଥାପିତ କରିଥିଲେ। ତାଙ୍କ ଚାରିପାଖେ ବୁଲି ବୁଲି ନାଚିଥିଲେ। ପରେ ପେହେଲା ନଶା… ସଙ୍ଗୀତରେ ଉଭୟ ମଞ୍ଚରେ ଝୁମିଥିଲେ।
ପୁନର୍ଜନ୍ମ ଓଡ଼ିଶାରେ ହେଉ
ଆପଣମାନଙ୍କୁ ମୋର ପ୍ରଣାମ। ଆପଣଙ୍କ ଭଲପାଇବା ଯୋଗୁ ମୋତେ ଦୀର୍ଘ ୪୦ବର୍ଷ ଧରି ସେବା କରିବାର ସୁଯୋଗ ମିଳିଛି। ମୋ କଣ୍ଠ ସେମିତି ସତେଜ ରହିଛି। ମୁଁ ଆପଣମାନଙ୍କର ଉଦିତ୍‌ ନାରାୟଣ ବୋଲି କହିଥିଲେ ବଲିଉଡର ପ୍ରତିଷ୍ଠିତ ଗାୟକ ଉଦିତ୍‌। ସେ କହିଥିଲେ, ଆର ଜନ୍ମରେ ମୁଁ ଓଡ଼ିଶାରେ ଜନ୍ମ ନିଏ। ମୋତେ ଆପଣଙ୍କ ଭଲପାଇବା ଏମିତି ମିଳୁଥାଉ।
ସମ୍ବର୍ଦ୍ଧିତ ହେଲେ କଳାକାର
ସାର କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ, ଅଲ୍‌କା ୟାଗ୍‌ନିକ୍‌, ଦୀପା ନାରାୟଣ ଝା, ସତ୍ୟଜିତ୍‌ ଜେନାଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ବିଧାୟକ ସୁଶାନ୍ତ ରାଉତ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ମୁନ୍‌ମୁନ୍‌ ସିଂହ ଓ ନିତା ବାଜପେୟୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।