ସୂକ୍ଷ୍ମ ତଫାତ୍‌

କରୋନା ଭୂତାଣୁର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢ଼ୁଥିବାରୁ ତାହାକୁ ନିୟନ୍ତ୍ରଣ କରିବା ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ ଉଦ୍ୟମ ଆରମ୍ଭ ହୋଇଛି। କେଉଁଠି ଲକ୍‌ଡାଉନ କରାଯାଉଥିବା ବେଳେ ଅନ୍ୟ କେଉଁଠି ସପ୍ତାହାନ୍ତ ଶଟ୍‌ଡାଉନ କରାଯାଉଛି। ଛତିଶଗଡ଼, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀରେ ସ୍ଥିତି ଉଦ୍‌ବେଗଜନକ ହୋଇଥିବାରୁ ଜନସାଧାରଣ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଏଠାରେ ଉତ୍ତରପ୍ରଦେଶ କଥା ଦେଖିଲେ ଦୈନିକ ୩୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଲକ୍ଷ୍ନୌ, ବାରାଣସୀ, ପ୍ରୟାଗରାଜ, କାନପୁର ଓ ଗୋରଖପୁରରେ ସ୍ଥିତି ଅସମ୍ଭାଳ ହେଉଥିବା ଲକ୍ଷ୍ୟ କରିବା ପରେ ଆଲ୍ଲାହାବାଦ ହାଇକୋର୍ଟ ୧୯ ଏପ୍ରିଲରେ ଏହିସବୁ ସହରରେ ଲକ୍‌ଡାଉନ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିଦେଲେ। ଜନସାଧାରଣଙ୍କ ଜୀବିକା ଗୁରୁତ୍ୱ ରଖୁଥିବାରୁ ସେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନି ନ ଥିଲେ। ବରଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟ ଯାଇଥିଲେ। ସର୍ବୋଚ୍ଚ ଅଦାଲତ ୨୦ ଏପ୍ରିଲ ଅର୍ଥାତ୍‌ ଆଲ୍ଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ୨୪ ଘଣ୍ଟା ନ ପୂରୁଣୁ ତା’ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଦେଇଛନ୍ତି।
ବାସ୍ତବରେ ଦେଖିଲେ ଏକ ଗଣତାନ୍ତ୍ରିକ ସରକାର କେଉଁ ପଦ୍ଧତିରେ ଶାସନ ପରିଚାଳନା କରିବେ ଓ ନାଗରିକଙ୍କ ପାଇଁ କେଉଁଭଳି ନିଷ୍ପତ୍ତି ନେବେ, ତାହା ସରକାରୀ ବ୍ୟବସ୍ଥା ଉପରେ ନିର୍ଭର କରେ। ଏ କ୍ଷେତ୍ରରେ ନ୍ୟାୟପାଳିକା ହସ୍ତକ୍ଷେପ କରିବା ଅର୍ଥ ବ୍ୟବସ୍ଥାପକ କାର୍ଯ୍ୟରେ ଅନାବଶ୍ୟକ ଦଖଲ ବୋଲି ଧରାଯିବ। ଭାରତୀୟ ସମ୍ବିଧାନରେ ‘ଡକ୍‌ଟ୍ରିନ୍‌ ଅଫ୍‌ ସେପାରେଶନ ଅଫ୍‌ ପାଓ୍ବାର’ ବିଷୟରେ ଉଲ୍ଲେଖ କରାଯାଇଛି। ଏକ ରାଷ୍ଟ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାକୁ ସ୍ବତନ୍ତ୍ର କ୍ଷମତା ଓ ଦାୟିତ୍ୱ ଦିଆଯାଇଛି, ଯେଉଁଥିରେ ଗୋଟିଏ ଅନ୍ୟ ଦୁଇଟିର କାର୍ଯ୍ୟରେ ହସ୍ତକ୍ଷେପ କରିପାରିବ ନାହିଁ। ଏଥିରୁ ଖିଅଟାଣି କୁହାଯାଇପାରେ ଯେ ଯଦି କେହି ସେଭଳି କରନ୍ତି, ତେବେ ଗଣତାନ୍ତ୍ରିକ ବ୍ୟବସ୍ଥା ଅରାଜକତା କବଳିତ ହେବ। କିନ୍ତୁ ଆଜିର କୋଭିଡ୍‌ ଦ୍ୱିତୀୟ ଲହର ସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ସେଥିପାଇଁ ତେଲଙ୍ଗାନା, ବମ୍ବେ ଏବଂ ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାର ଚିନ୍ତା ବୁଝିହେଉଛି। ଏହାର ମୁଖ୍ୟ କାରଣ ଭାବେ ସରକାରୀ ଅପାରଗତାକୁ ଦୋଷ ଦେଇହେବ। ଭାରତର ପ୍ରଶାସନିକ ବ୍ୟବସ୍ଥାରେ ଯେକୌଣସି ଦଳ କ୍ଷମତାକୁ ନିର୍ବାଚିତ ହେଉଥିଲେ ମଧ୍ୟ ସମସ୍ତଙ୍କୁ ଅମଲାତନ୍ତ୍ର ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏବେ ଦେଖାଯାଉଛି ଯେ, ଭାରତୀୟ ଅମଲାତନ୍ତ୍ର ବା କାର୍ଯ୍ୟପାଳିକା କୋଭିଡ୍‌ ମହାମାରୀକୁ ସାମ୍ନା କରିବା ଭଳି ଦକ୍ଷତା ରଖିନାହିଁ। ଲୋକଙ୍କୁ ଦମନ କରିବା, ଭୁଆଁ ବୁଲାଇବା, ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ କରିବାରେ ମାହିର ହୋଇଥିବା ଅମଲାତନ୍ତ୍ର ଏବେ ନାଗରିକଙ୍କ ହିତ ସକାଶେ କାମ କରିବାରେ ଅସଫଳ ପ୍ରମାଣିତ ହେଉଛି। ଏଥିସହିତ ଆଜିର ରାଜନୈତିକ ନେତୃତ୍ୱ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଦିଗହରା ହୋଇ ଭୋଟ୍‌ ରାଜନୀତିରେ ମାତିଥିବା ହେତୁ ସରକାର କିମ୍ବା ବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି। ରାଜ୍ୟରେ ବସିଥିବା ହାଇକୋର୍ଟ ବିଚାରପତିମାନେ ଏଭଳି ଅସହାୟ ସ୍ଥିତି ଦେଖି ବ୍ୟସ୍ତ ହୋଇପଡ଼ିବା ସ୍ବାଭାବିକ। ଅନ୍ୟପଟେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧି ହେଉଛନ୍ତି ସାଧାରଣ ଲୋକଙ୍କ ନିକଟରେ ଉତ୍ତରଦାୟୀ। ଏଠାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ସୁଚିନ୍ତିତ ରାୟକୁ ଅସମ୍ମାନିତ କରିବା ଦ୍ୱାରା ରାଜ୍ୟ ସରକାର ତ୍ରୁଟିପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶର ୨୪ ଘଣ୍ଟା ନ ବିତୁଣୁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ହାଇକୋର୍ଟଙ୍କ କଥାକୁ ନାକଚ କରାଇ ଦେଇପାରିବା ପଛରେ ସର୍ବୋଚ୍ଚ ଅଦାଲତଙ୍କର ସରକାର ସପକ୍ଷବାଦୀ ଚିନ୍ତାଧାରା ପ୍ରତିଫଳିତ ହୋଇଥାଇପାରେ। ତଥାପି ଶୀର୍ଷ ନ୍ୟାୟାଳୟକୁ ଅଗଣତାନ୍ତ୍ରିକ ବୋଲି କୁହାଯାଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଆପାତତଃ ଲୋକ ବିରୋଧୀ ମନେହୋଇପାରେ, କିନ୍ତୁ ଦୀର୍ଘମିଆଦୀ ଚିନ୍ତା କଲେ ହାଇକୋର୍ଟଗୁଡ଼ିକୁ ବିନା ଲଗାମରେ ଛାଡ଼ି ଦେବା ବିରାଟ ଭୁଲ ହୋଇଥାଆନ୍ତା। ସରକାରଙ୍କୁ କେବଳ ନାଗରିକ ନିର୍ଦ୍ଦେଶ ଦେଇପାରିବେ। ସେହି ନିର୍ଦ୍ଦେଶ ୫ ବର୍ଷରେ ଥରେ ଦେଇପାରିବେ। ଅବଶ୍ୟ ଆଜିର ସ୍ବାସ୍ଥ୍ୟଜନିତ ଜରୁରିକାଳୀନ ସ୍ଥିତିରେ କେଉଁ ପଦକ୍ଷେପ ଗଣତାନ୍ତ୍ରିକ କିମ୍ବା ଅଗଣତାନ୍ତ୍ରିକ ତାହାର ସୂକ୍ଷ୍ମ ତଫାତ୍‌ ବୁଝିବା କଷ୍ଟକର ହୋଇପଡ଼ୁଛି। ଏହାସତ୍ତ୍ୱେ ଯାହା ଓ ଯେକୌଣସି ପଦକ୍ଷେପ ଜନକଲ୍ୟାଣକାରୀ ବିଶେଷକରି ଅଧିକ ଲୋକଙ୍କ ସ୍ବାର୍ଥରକ୍ଷା ଦିଗରେ ଅଭିପ୍ରେତ, ତାହା ନିଶ୍ଚିତ ଭାବେ ଗଣତାନ୍ତ୍ରିକ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri