ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ ଜୀବନ ସେଠି ହିଁ ଶେଷ ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲାର ଦାରିଙ୍ଗବାଡି ଥାନା ଅଧୀନ ପର୍ତ୍ତମାହା ପଞ୍ଚାୟତର କହମ୍ପଡ଼ି ଗ୍ରାମରେ ଘଟିଛି।
ଜଣେ ଛାତ୍ରୀ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଜୀବନ ହାରିଛନ୍ତି। ମୃତ ଛାତ୍ରୀ ହେଲେ ଉକ୍ତ ପଞ୍ଚାୟତର ତଣ୍ଡମୀ ଗ୍ରାମର ରାମା ପ୍ରଧାନଙ୍କ ଝିଅ ପ୍ରଭାତୀ ପ୍ରଧାନ (୧୧) ବୋଲି ତଦନ୍ତକାରୀ ଅଧିକାରୀ ଲଷ୍ମୀ ମାଝୀ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗତ କିଛି ଦିନ ଧରି ଖରା ଛୁଟି ଚାଲିଥିବାରୁ ପ୍ରଭାତୀ ତାଙ୍କ ବଡ଼ ଭଉଣୀଙ୍କ ଘର କହମ୍ପଡ଼ିକୁ ଯାଇଥିଲେ। ସୋମବାର ସେ ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତାବଶତଃ ବୁଡିଯାଇଥିଲେ।
ଖବର ପାଇ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ପ୍ରଭାତୀଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ପରିବାରଲୋକ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା (୭/୨୬) ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।