ନବଜାତ ଶିଶୁର ମୃତଦେହକୁ ଝୁଣି ଖାଉଛି କୁକୁର, ବିଚଳିତ କରୁଛି ଦୃଶ୍ୟ

ବଲାଙ୍ଗୀର ଅଫିସ, ୭।୧୦- ବଲାଙ୍ଗୀର ସହରରେ ଗୁରୁବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ନବଜାତ ଶିଶୁର ମୃତଦେହକୁ ବୁଲା କୁକୁର ପାଟିରେ ଧରି ସହର ଭିତରେ ବୁଲୁଥିବା ଓ ଝୁଣି ଖାଉଥିବା ଦୃଶ୍ୟ ଅନେକଙ୍କୁ ବିଚଳିତ କରିଛି। ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସମ୍ମୁଖରେ ଉକ୍ତ କୁକୁରଟି ନବଜାତ ଶିଶୁର ମୃତଦେହ ପାଟିରେ ଧରିଥିବା ଦେଖାଯାଇଥିଲା। କୁକୁରଟି କେଉଁ ସ୍ଥାନରୁ ମୃତଦେହକୁ ଆଣିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ହସ୍ପିଟାଲ ଆଖପାଖରୁ ଆଣିଥିବା ନେଇ ଚର୍ଚ୍ଚା ହେଉଛି । କିଛିଦିନ ପୂର୍ବରୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଡ୍ରେନରେ ଏକ ନବଜାତ ଶିଶୁର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏବେ ଏହି ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।