ଖେଳୁଥିବା ବେଳେ ବାଳକଙ୍କ ପେଟରେ ପଶିଲା ବର୍ଚ୍ଛା

ବଲାଙ୍ଗୀର ଅଫିସ, ୨୯।୧- ବଲାଙ୍ଗୀର ଜିଲା ବେଲପଡା ଥାନା ଅଏଁଲାଭଟା ଗାଁରେ ରବିବାର ଏକ ଅଘଟଣ ଘଟିଛି । ରାଜୁ ଥନାପତି ନାମକ ଜଣେ ୧୬ ବର୍ଷ ବାଳକଙ୍କ ପେଟରେ ଏକ ବର୍ଚ୍ଛା ପଶିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ସକାଳେ ରାଜୁ ବର୍ଚ୍ଛା ଧରି ଖେଳୁଥିବାବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି ।

ଆହତ ରାଜୁ ସରମୁହାଣ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି। ଗୁରୁତର ଆହତ ରାଜୁଙ୍କ ପେଟରେ ବର୍ଚ୍ଛା ଲାଗି ରହିଥିବା ବେଳେ ତାଙ୍କୁ ପ୍ରଥମେ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସା ସୁବିଧା ନ ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇ ଚିକିତ୍ସା ଆରମ୍ଭ କରାଯାଇଛି।

ତେବେ କିଛି ଦିନ ତଳେ ଆଗଲପୁର ହାଇସ୍କୁଲ ବାର୍ଷିକ କ୍ରୀଡା ଚାଲିଥିବା ବେଳେ ଜଣେ ଛାତ୍ରଙ୍କ ବେକରେ ଜାଭେଲିନ ଗଳି ଯାଇଥିଲା। ଏହି ଘଟଣା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଥିଲା । ଏବେ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।