ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସିଙ୍ଗିପୁର ବନମାଳୀ ଓରଫ ବନ (୪୮)।

ସୋମବାର ସନ୍ଧ୍ୟାରେ ବନମାଳୀ ନିଜ ଚାଷଜମିରେ ଘାସ କାଟୁଥିବାବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ିଥିଲା। ସେ ଘରକୁ ଫେରି ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ତାଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଚ୍ଚତର ଚିକିତ୍ସା ପାଇଁ ଶ୍ରୀକାକୁଲମ ସ୍ଥାନାନ୍ତର କରାଯାଉଥିଲା। ମାତ୍ର ଶ୍ରୀକାକୁଲମ ପହଞ୍ଚିବା ପୂର୍ବରୁ ବନମାଳୀଙ୍କ ମୃତ୍ୟୁ ଘଟିଥିଲା।

ବନମାଳୀ ନିଜର ଅଧା ଏକର ଜମିରେ ଚାଷ କରିବା ସହ ଅନ୍ୟତ୍ର ଦୈନିକ ମଜୁରି କରି ପରିବାର ପ୍ରତିପୋଷଣ କରୁଥିଲେ। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କ ଅକାଳ ମୃତ୍ୟୁରେ ପରିବାର ଆର୍ଥିକ ସଙ୍କଟରେ ପଡ଼ିଛି। ତେଣୁ ମୃତକଙ୍କ ପରିବାରକୁ ସରକାର ଓ ପ୍ରଶାସନ ପକ୍ଷରୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Share