ମହାକାଳପଡ଼ା,୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ସଭାଗୃହଠାରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ୨୦ ନମ୍ବର ଜିଲା ପରିଷଦ ସଭ୍ୟ ସୁବୋଧ ଲେଙ୍କାଙ୍କ ଅକାଳ ବିୟୋଗରେ ଉପସ୍ଥିତ ସଦସ୍ୟମାନେ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଥମେ ବ୍ଲକ ଉପାଧ୍ୟକ୍ଷ ବିଜୟ ଶୁକ୍ଳା ସ୍ବାଗତ ଭାଷଣ ଦେଇଥିଲେ। ପରେ ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟ ରଞ୍ଜନ ଚୌଧୁରୀ ବତିଘର ରାମନଗର ଖରିନାସୀ ମୌଜାର ମହାନଦୀ କୂଳରେ ପ୍ରତିଷ୍ଠା ହେବାକୁ ଯାଉଛି ଜାହାଜ ନିର୍ମାଣ ଓ ମରାମତି କାରଖାନା। ଦୁଇ ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି ବୈଠକରେ ସୂଚନା ଦେଇଥିଲେ। ଏମ୍ପି ବୈଜୟନ୍ତ ପଣ୍ଡା ଓ ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା। ସେହିପରି ସ୍ବାସ୍ଥ୍ୟ, ଶିକ୍ଷା ପାନୀୟଜଳ ଅଭାବ, ଶିଶୁ ଖାଦ୍ୟ ଯୋଗାଇବା, ଜଳସେଚନ , ଉଦ୍ବୃତ୍ତ ବନ୍ୟା ଓ ବର୍ଷାଜଳ ଚାଷ ଜମିରୁ ନିଷ୍କାସନ ଉପରେ ଆଲୋଚନା, ଜଙ୍ଗଲ ଜମି ସମସ୍ୟା, ଆବାସ ଗୃହ ନିର୍ମାଣ ଯୋଜନା ଓ ରାଶନ କାର୍ଡ ବଣ୍ଟନ ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ବିଡିଓ ତଥା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ, ବ୍ଲକ ଉପାଧ୍ୟକ୍ଷ ବିଜୟ ଶୁକ୍ଳା, ଏମ୍ପି ପ୍ରତିନିଧି ଜୀବନାନନ୍ଦ ସାହୁ, ବିଧାୟକ ପ୍ରତିନିଧି ସରୋଜକାନ୍ତ ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତ ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ଯୋଜନା ଉପରେ ଆଲୋଚନା କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ପରିଡ଼ା ବୈଠକ ପରିଚାଳନା କରିଥିଲେ। ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଉପସ୍ଥିତ ଥିଲେ।