ଦୁର୍ଗମ ତୁଳସୀ ଗାଁରେ ବରିଷ୍ଠ ପୋଲିସ ଅଧିକାରୀ

ମାଲକାନଗିରି,୧୩ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକରେ ଥିବା ଦୁର୍ଗମ ତୁଳସୀ ଘାଟିରେ ଗତ ମାସଠାରୁ ଅସ୍ଥାୟୀ ବିଏସ୍‌ଏଫ୍‌ କ୍ୟାମ୍ପ ଖୋଲାଯାଇଛି। ଶୁକ୍ରବାର ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅପରେଶନ ଅମିତାଭ ଠାକୁର, କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ, ବିଏସ୍‌ଏଫ୍‌ର ବହୁ ବରିଷ୍ଠ ଅଧିକାରୀ ସେଠାକୁ ଯାଇ ମାଓବାଦୀଙ୍କ ସ୍ଥିତି ସମୀକ୍ଷା କରିଛନ୍ତି। ପରେ ଅଧିକାରୀମାନେ ତୁଳସୀ ଗାଁର ଲୋକଙ୍କ ସହ ମିଶି ବିଭିନ୍ନ ବିଷୟରେ ଆଲୋଚନାକରି ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଆଶା ସୃଷ୍ଟି କରାଇଛନ୍ତି। ଏଥିସହ ବିଭିନ୍ନ ସାମଗ୍ରୀ ମଧ୍ୟ ବଣ୍ଟନ କରିଛନ୍ତି।
ସରକାରଙ୍କ ଉଦ୍ୟମରେ ବିଏସ୍‌ଏଫ୍‌ ଯବାନ ଓ ପୋଲିସ ପକ୍ଷରୁ ଘନ ଘନ ଅପରେଶନ ହେବା ଦ୍ୱାରା ଅଞ୍ଚଳରେ ମାଓବାଦୀଙ୍କ ଗଡ଼ ଭାଙ୍ଗିଛି। ସୁରକ୍ଷାକୁ ଆହୁରି ମଜଭୁତ କରିବା ପାଇଁ ବିଏସ୍‌ଏଫ୍‌ କ୍ୟାମ୍ପ ଖୋଲି ଲୋକଙ୍କ ମନୋବଳ ବଢ଼ାଇଛି ଜିଲା ପୋଲିସ ପ୍ରଶାସନ। ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାଗୁଡ଼ିକ କିପରି ପହଞ୍ଚିବ ଏବଂ ଏହା ସମ୍ପୂର୍ଣ୍ଣ ମାଓବାଦୀମୁକ୍ତ ହେବ ସେନେଇ ପୋଲିସ ପ୍ରଶାସନର ଏହି ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଛନ୍ତି। ମାଓବାଦୀଙ୍କୁ ସମୂଳେ ନାଶ ପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଅଧିକାରୀମାନେ ମତ ରଖି ଯବାନଙ୍କ ମନୋବଳ ବଢ଼ାଇଛନ୍ତି। ଗସ୍ତ ସମୟରେ ମାଲକାନଗିରି ଏସ୍‌ପି ନୀତେଶ ୱାଧୱାନିଙ୍କ ସମେତ ମାଥିଲି ଥାନା ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।