ଭଗବାନଙ୍କ ଦୟାରୁ ଦ୍ୱିତୀୟ ଜନ୍ମ ମିଳିଲା

ଭୁବନେଶ୍ୱର,୫ା୬(ବ୍ୟୁରୋ): କଥାରେ ଅଛି ରଖେ ହରି ତ ମାରେ କିଏ। କାଳର କରାଳ ରୂପ ଯେତେ ହେଉ ନା କାହିଁକି ନିଜେ ବଞ୍ଚତ୍ବା ସହ ନିଜ ପରିବାରବର୍ଗ ଓ ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ବଞ୍ଚାଇଛନ୍ତି ବିହାର ପାଟଣା ଅଞ୍ଚଳର ଯୁବକ ଅଟଳ। ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗାରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ଅନେକଙ୍କ ପରିବାର ଛାରଖାର ହୋଇଥିବାବେଳେ ପାଟଣାର ଯୁବକ ଅଟଳ ଦୁର୍ଘଟଣାଗ୍ରସ୍ତ ହୋଇ ମଧ୍ୟ ନିଜ ଜୀବନକୁ ବାଜିରେ ଲଗାଇ ସହଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ। ତେବେ ଅଟଳଙ୍କ କହିବା ଅନୁଯାୟୀ, ସେ ଓ ତାଙ୍କ ପରିବାର ଲୋକ ନିଜ ଝିଅର ଚିକିତ୍ସା ଲାଗି କରମଣ୍ଡଳରେ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିଲେ। ଦୁର୍ଭାଗ୍ୟବଶତଃ ଟ୍ରେନ୍‌ଟି ବାହାନଗା ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଟଳଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହା ସତ୍ତ୍ୱେ ସେ ତାଙ୍କ ପରିବାର ସହ ଅନ୍ୟ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଏଥିସହ ନିଜେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସେ ଓ ତାଙ୍କ ପରିବାର ଲୋକେ ରବିବାର ପୂର୍ବତଟ ରେଳପଥର ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ଭଦ୍ରକରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛନ୍ତି। ଯିବାବେଳେ ଭଗବାନଙ୍କ ଦୟାରୁ ତାଙ୍କୁ ଦ୍ୱିତୀୟ ଜନ୍ମ ମିଳିଲା ବୋଲି ଅଟଳ କହିଛନ୍ତି। ଚିକିତ୍ସା ପରେ ତୁରନ୍ତ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବାକୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବାରୁ ରେଳ ବିଭାଗକୁ ସେ ଧନ୍ୟବାଦ ଦେଇଛନ୍ତି।