ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ ଲକ୍ଷ୍ୟ ହାସଲକରେ। ହେଲେ ଭାରତୀୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ଜନକୈନ୍ଦ୍ରିକ। ଏହା ଲୋକଙ୍କୁ ସ୍ମରଣ କରାଇଦିଏ ଯେ ଜୀବନର ଉଦ୍ଦେଶ୍ୟ କେବଳ ଖାଇବା ନୁହେଁ, ବରଂ ଖାଇବାକୁ ଦେବା। ଖାଇବାକୁ ଦେବା ହେଉଛି ଧର୍ମ। ଯିଏ ଖୁଆଇବାକୁ ସକ୍ଷମ ସେ ହେଉଛନ୍ତି ଧର୍ମୀୟ ନେତା। ଆମ ସମସ୍ତଙ୍କର ନିଜେ ଖାଇବା ଏବଂ ଅନ୍ୟଙ୍କୁ ଖୁଆଇବାର କ୍ଷମତା ଅଛି। ଯେଉଁମାନେ ପ୍ରଥମେ ଖାଇବାକୁ ଦିଅନ୍ତି ସେମାନେ ‘ଯଜମାନ’। ଅପରପକ୍ଷେ ଯେଉଁମାନେ ଏହି ସମାନ କାର୍ଯ୍ୟ କରିବା ସହ ତା’ ବଦଳରେ କିଛି ଦିଅନ୍ତି ସେମାନେ ‘ଦେବତା’। ଭୋକିଲା, ଭୟଭୀତ, ଭଗ୍ନ ମନ ଶ୍ରେଷ୍ଠତା ଏବଂ ତୁଚ୍ଛତା ବିଷୟରେ ଧାରଣା ସୃଷ୍ଟିକରେ। ଭଗ୍ନ ମନ ହେଉଛି ଅହମ୍‌ (ଅହଂକାର)। ଯୋଗ ଏଭଳି ମନକୁ ଯୋଡ଼ିବାରେ ସକ୍ଷମ। ଅବିଭକ୍ତ ତଥା ଅବିଚଳିତ ମନ ହେଉଛି ଆତ୍ମା। ତେଣୁ ସେଭଳି ମନ ଆଖପାଖରେ ଥିବା ଲୋକଙ୍କର ଭୋକ ଏବଂ ଅସୁରକ୍ଷିତତାକୁ ଗୁରୁତ୍ୱ ଦିଏ। ସେଥିପାଇଁ ଧର୍ମୀୟ ନେତା ଯୋଗକୁ ଗୁରୁତ୍ୱ ଦିଅନ୍ତି।
ଯୋଗ ଆମକୁ ଠିକ୍‌ ଭାବରେ ପ୍ରତିଦାନ ଭାବ ଆଣିବାରେ ସକ୍ଷମ କରାଏ। କେବଳ ଆମର ନୁହେଁ , ଏହା ଅନ୍ୟ ଲୋକଙ୍କ କ୍ଷୁଧା ଉପରେ ଧ୍ୟାନଦେବାକୁ ମଣିଷକୁ ସକ୍ଷମ କରାଏ। ଯେତେବେଳେ ଆମେ ଯୋଗ ବିନା ଯଜ୍ଞ କରୁ, ସେତେବେଳେ ସହାନୁଭୂତି ପ୍ରଦର୍ଶନ କରିବାକୁ ଅସମର୍ଥ ହେଉ। ଜଣେ ଯଜମାନ ହେବା ପାଇଁ ସହାନୁଭୂତି ହେଉଛି ଚାବିକାଠି। ଯଜମାନମାନେ ରାବଣଙ୍କୁ ଖଳନାୟକ ଭାବେ ନ ଦେଖି ବରଂ ଆବେଗ ଓ ଅହଂକାର ଦ୍ୱାରା ନିୟନ୍ତ୍ରିତ ବୋଲି ଭାବନ୍ତି। ତେଣୁ ସମସ୍ତଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ଦରକାର ପଡ଼ିଛି। ଅନ୍ୟପଟେ ରାମଙ୍କର ଏପରି ଆବେଗ ନାହିଁ। ତାଙ୍କ ବିଚାର ସନ୍ତୁଳିତ। ସେ ପୀଡ଼ିତ କିମ୍ବା ନାୟକ ନୁହନ୍ତି। ସେ ପରମାତ୍ମାଙ୍କ ସହ ଯୋଡ଼ିହୋଇ ରହିଥାନ୍ତି।
ଜଣେ ଯଜମାନ ଜାଣନ୍ତି ଯେ ସୁଖ ଓ ଶାନ୍ତି କିଛି ବି କିଛି ସ୍ଥାୟୀ ନୁହେଁ। ସବୁକିଛି ବଦଳିଯାଏ, ଏବଂ ଧୀରେ ଧୀରେ ଶେଷ ହୋଇଯାଏ। ଏଭଳି ଚିନ୍ତା ସହ କିଛି ପଦ୍ଧତି ଅବଲମ୍ବନ କରି ବିଷୟଗୁଡ଼ିକୁ ସାମାନ୍ୟ ସୁଖଦ କରିପାରିବେ। ସେହି କ୍ରମରେ ଉଗ୍ର ଆଚରଣ ହ୍ରାସ କରି ଆନନ୍ଦ ବଢ଼ାନ୍ତୁ। ମରଣଶୀଳତାକୁ ଜାଣିବା ହେଉଛି ମୂଳ କଥା, ଯାହା ‘ମଖାଦେବ ଜାତକ’ରେ ବର୍ଣ୍ଣିତ ରାଜା ମଖାଦେବଙ୍କ କାହାଣୀ ସ୍ପଷ୍ଟକରେ। ଦିନେ ରାଜାଙ୍କ ନାପିତ ରାଜାଙ୍କୁ କହିଥିଲେ ଯେ ସେ ତାଙ୍କ ମୁଣ୍ଡରେ ଏକ ପାଚିଲା କେଶ ଦେଖିଛନ୍ତି। ସେହିଦିନ ରାଜା ସ୍ଥିରକଲେ ଯେ ଅବସର ନେବାର ସମୟ ଆସିଛି। ତାଙ୍କ ଦାୟିତ୍ୱ ଶେଷ ହୋଇଗଲା। ସେ ସିଂହାସନକୁ ତୁଚ୍ଛକରି ରାଜ୍ୟ ଛାଡ଼ି ଚାଲିିଗଲେ।
ମରଣଶୀଳତାରୁ ଧ୍ୟାନ ହଟାଇବାକୁ ରାଜାମାନେ ଧନ ଏବଂ କ୍ଷମତାକୁ ଅନୁସରଣ କରନ୍ତି। ରାମାୟଣରେ ରାବଣ ମରୁଥିବାବେଳେ ରାମ ତାଙ୍କୁ ଲଙ୍କାର ଆଗାମୀ ରାଜାମାନଙ୍କ ସହିତ ତାଙ୍କ ଜ୍ଞାନ ବାଣ୍ଟିବାକୁ କହିଛନ୍ତି। ରାବଣ ଦ୍ୱିଧାରେ ପଡ଼ିଛନ୍ତି, କିନ୍ତୁ ତା’ପରେ ଅନୁତାପ କରିଛନ୍ତି। ମହାଭାରତରେ ଯେତେବେଳେ ଭୀଷ୍ମଙ୍କର ମୃତ୍ୟୁ ହେଉଛି କୃଷ୍ଣ ତାଙ୍କୁ ପାଣ୍ଡବଙ୍କ ସହ ଜ୍ଞାନ ବାଣ୍ଟିବାକୁ କହୁଛନ୍ତି। ଜ୍ଞାନ ଜଣକ ପାଖରୁ ଅନ୍ୟଙ୍କୁ ଯାଏ ତାହା ବୈଷୟିକ ଜ୍ଞାନକୌଶଳଭିତ୍ତିକ ଜ୍ଞାନ ନୁହେଁ, ବରଂ ତାହା ମାନସିକ ସ୍ତରର, ଯାହା ଜଣଙ୍କର ଏକ ଅଭିଳାଷ ଏବଂ ଅସୁରକ୍ଷିତ ଭାବନାକୁ ନିୟନ୍ତ୍ରଣ କରିବ। ଏହା ଶାନ୍ତ ଏବଂ ଉଦାର ହେବା ବିଷୟରେ ଶିକ୍ଷା ଦିଏ। ଏହା କହିବା ସହଜ କିନ୍ତୁ କରିବା କଷ୍ଟକର।
ମହାଭାରତର ଆଧୁନିକ ପ୍ରକାଶନଗୁଡ଼ିକ ପାଣ୍ଡବ ଭଲ ଓ କୌରବ ଖରାପ ବୋଲି ଉପସ୍ଥାପନ କରେ। କେଉଁ ସକାରାମତ୍କ ପରିଣାମ ସଫଳତା ଆଣେ ତାହା ଧର୍ମୀୟ ନେତାମାନେ ନିରୀକ୍ଷଣ କରନ୍ତି। ଧନ ଜଣକୁ ଧନୀ କରେ, ଶକ୍ତି ଜଣକୁ ଶକ୍ତିଶାଳୀ କରେ। ତେବେ ମହାଭାରତ କହେ, ପାଣ୍ଡବମାନେ ଶାସନ କରିବାକୁ ଏକ ରାଜ୍ୟ ପାଇଲାବେଳେ ସେମାନେ କିପରି ଅସନ୍ତୁଷ୍ଟ ହେଲେ। ପଞ୍ଚପାଣ୍ଡବ ପ୍ରତିଭାବାନ ଥିଲେ। ଫଳରେ ସେମାନଙ୍କର ସମ୍ପର୍କୀୟ ଭାଇ ଶହେ କୌରବ ଅସୁରକ୍ଷିତ ମଣୁଥିଲେ। ପାଣ୍ଡବମାନେ ଏକ ଲମ୍ବା ସଂଗ୍ରାମ କରିଥିଲେ। କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବା ପାଇଁ ପୈତୃକ ଜମି ଭାଗ କରାଯାଇଥିଲା ଏବଂ ପାଣ୍ଡବମାନଙ୍କୁ ଏକ ଜଙ୍ଗଲ ଦିଆଗଲା। ପାଣ୍ଡବମାନେ ସେଠାରେ ଏକ ଚମତ୍କାର ସହର ନିର୍ମାଣ କରିଥିଲେ। ସେମାନେ ତାଙ୍କ ନୂତନ ରାଜ୍ୟକୁ ସୁରକ୍ଷିତ ରଖିବା ପରିବର୍ତ୍ତେ ପାଣ୍ଡବମାନେ ଅହଂକାରୀ କୌରବଙ୍କ ସହ ଜୁଆ ଖେଳି ପ୍ରତାରିତ ହୋଇ ସେହି ରାଜ୍ୟ ହରାଇଥିଲେ। ଫଳରେ ତେର ବର୍ଷ ଧରି ପାଣ୍ଡବମାନଙ୍କୁ ଜଙ୍ଗଲରେ ରହିବାକୁ ପଡ଼ିଲା। ସେମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଉପରେ ଚିନ୍ତାକରି ସେମାନେ ସେଠାରେ କ୍ରୋଧିତ ହୋଇପଡ଼ିଥିଲେ। କିନ୍ତୁ କୃଷ୍ଣ ସେମାନଙ୍କୁ ଜଙ୍ଗଲରୁ ଶିଖିବାକୁ କହିଥିଲେ। ଜଙ୍ଗଲ ଜୀବମାନେ ପାଣ୍ଡବଙ୍କୁ ମନେ ପକାଇ ଦେଇଥିଲେ ଯେ ପ୍ରକୃତି ଏବଂ ରାଜ୍ୟ ବଞ୍ଚିବା ପାଇଁ ସୃଷ୍ଟି ହୋଇଥିବାବେଳେ ସାମାଜିକ ସ୍ତର ଏବଂ ସମ୍ପତ୍ତି ଅହଂକାରକୁ ଉତ୍ସାହିତ କରିବା ପାଇଁ ପରିକଳ୍ପନା କରାଯାଇଛି। ନିର୍ବାସନର ଶେଷ ବର୍ଷରେ ପାଣ୍ଡବମାନଙ୍କୁ ସେବକ ଭାବେ ଲୁଚି ରହିବାକୁ ପଡ଼ିଥିଲା। ରାଜାମାନଙ୍କ ଦ୍ୱାରା ସେମାନେ ନିର୍ଯାତିତ ହୋଇଥିଲେ ଏବଂ ଧନୀ ଏବଂ ଶକ୍ତିଶାଳୀମାନେ କିପରି ସେମାନଙ୍କର ଅଧିକାରର ଅପବ୍ୟବହାର କରନ୍ତି ତାହା ସେମାନେ ଅନୁଭବ କରିଥିଲେ।
ରାମାୟଣ ଓ ମହାଭାରତରେ ବର୍ଣ୍ଣିତ ଜଙ୍ଗଲ ନିର୍ବାସନ ଦଣ୍ଡ ନୁହେଁ। ରାଜାମାନେ ଶିକ୍ଷା ପାଇ ପରିବର୍ତ୍ତନ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ସମୟ। ଏହା ରାଜାମାନଙ୍କ ପାଇଁ କିଛି ଶିଖି ପରିବର୍ତ୍ତନ ହେବାର ସମୟ। ପ୍ରକୃତିର ବ୍ୟବସ୍ଥାରେ ଅନ୍ୟ ଜୀବମାନଙ୍କଠାରୁ କେହି ଶ୍ରେଷ୍ଠ କିମ୍ବା ନିକୃଷ୍ଟ ନୁହନ୍ତି, ତାହା ଅନୁଭବ କରିବାରେ ଏହା ମଧ୍ୟ ଏକ ଉପଯୁକ୍ତ ସମୟ। ରାଜାମାନେ ଏକ ସଂସ୍କୃତି ପ୍ରତିଷ୍ଠା କରିପାରନ୍ତି ଯେଉଁଠାରେ ସମସ୍ତେ ସେମାନଙ୍କୁ ସମ୍ମାନ କରନ୍ତି କିମ୍ବା ଭୟ କରନ୍ତି। କିନ୍ତୁ ବୁଝିବାକୁ ହେବ ଯେ, ସେମାନେ କେବଳ ଜୀବ, କେତେକ ପରିସ୍ଥିତିରେ ସେମାନେ ଶକ୍ତିଶାଳୀ ଏବଂ ଅନ୍ୟ କେତେକ କ୍ଷେତ୍ରରେ ସେମାନେ ଦୁର୍ବଳ। ପାଣ୍ଡବମାନେ ଅନୁଭବ କରିଥିଲେ, ସେମାନଙ୍କ ପାଖରେ ଧନ ଏବଂ ଶକ୍ତି ଥିଲାବେଳେ ସେମାନେ ଅହଂକାରୀ ହୋଇଯାଇଥିଲେ। ସେମାନେ ରାଜ୍ୟକୁ ନେଇ ସେମାନଙ୍କ ଅସ୍ତିତ୍ୱ ଥିଲା , ସେମାନଙ୍କୁ ନେଇ ରାଜ୍ୟର ଅସ୍ତିତ୍ୱ ନ ଥିଲା ବୋଲି ସେମାନେ ଭୁଲିଗଲେ। ରାଜ୍ୟ ଜୁଆ ଖେଳିବାର ସମ୍ପତ୍ତି ନ ଥିଲା।
ଯେଉଁ ରାଜାମାନେ ଧର୍ମର ମହତ୍ତ୍ୱ ବୁଝନ୍ତି ନାହିଁ ସେମାନଙ୍କୁ ପର୍ଶୁରାମ ଦଣ୍ଡ ଦିଅନ୍ତି। ରାମ ହେଉଛନ୍ତି ଜଣେ ରାଜା ଯିଏ ଧର୍ମକୁ ଗୁରୁତ୍ୱ ଦିଅନ୍ତି। କୃଷ୍ଣ ଜଣେ ଗୋପାଳକ, ପୃଥିବୀର ଯତ୍ନ ନେଉଥିବା ବ୍ୟକ୍ତିର ପ୍ରତୀକ। ତାଙ୍କର ରାଜା ହେବା ଦରକାର ନାହିଁ। ପ୍ରକୃତି ଓ ସମାଜର ତଥା ସଂସ୍କୃତିର କିପରି ରକ୍ଷାକର୍ତ୍ତା ହୋଇପାରିବ ତାହା ସେ ରାଜାମାନଙ୍କୁ ଶିଖାଉଛନ୍ତି। ରାଜଧର୍ମ ରାଜ୍ୟଗୁଡ଼ିକୁ ଦଖଲ କରି ସାମ୍ରାଜ୍ୟ ବିସ୍ତାର କରିବା କିମ୍ବା ଜୁଆ ଖେଳରେ ତାହାକୁ ହରାଇବାକୁ ବୁଝାଏ ନାହିଁ। ଶାସନ କରୁଥିବା ଲୋକଙ୍କୁ ଦେବତା ଭାବରେ ବ୍ୟବହାର କରିବା ପାଇଁ ଏହା ଉଦ୍ଦିଷ୍ଟ। ତୁମର ଯାହା ଅଛି କିମ୍ବା ସେମାନେ ଯାହା ଚାହାନ୍ତି ତାହା ସେମାନଙ୍କୁ ଦିଅ ଏବଂ ସେହିପରି କରିବାକୁ ସେମାନଙ୍କୁ ଉତ୍ସାହିତ କର। ଯେତେବେଳେ ଦେବତା ଜଣେ ଯଜମାନ ହେବାକୁ ଚେଷ୍ଟା କରନ୍ତି ସେତେବେଳେ ସବୁଠାରୁ ବଡ଼ ଲାଭ ମିଳେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

ତତଲା କଡ଼େଇ

ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ…

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri