ପୁରୀ,୧୪।୭(ତୁଷାର ରଞ୍ଜନ ନାୟକ): ଅସହାୟ ଅବସ୍ଥାରେ ଚତୁର୍ଦ୍ଧାମୂର୍ତ୍ତି। ଏତେ ଅସହାୟ ଯେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧିବୁନ୍ଧି ପକାଇ ଦେଇଛନ୍ତି ଆଜିର ମଣିଷ । ଏମିତି ରହିଛି ଠାକୁରଙ୍କ ପ୍ରତି ଭାବ ପରିଚାଳନାକାରୀଙ୍କ ଦାୟିତ୍ୱବୋଧ। ଥାକ ଥାକ ହୋଇ ବନ୍ଧାପଡିଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ। କୌଣସି ଡେକୋରେଟରଙ୍କ ଗୋଦାମଘର ନୁହେଁ, ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ମହାପ୍ରଭୁଙ୍କ ଚିତ୍ତବିନୋଦନ ଉଦ୍ୟାନ ଜଗନ୍ନାଥବଲ୍ଲଭରେ । ବହୁତଳ ଗାଡି ପାର୍କିଂରେ ଖୋଦ ଶ୍ରୀମନ୍ଦିର ପ୍ରଶାସନ ଦେବଦେବୀଙ୍କୁ ଏଭଳି ସ୍ଥିତିରେ ରଖିଛି। ପଡି ପଡି ଖତ ଖାଉଛି ମହାପ୍ରଭୁଙ୍କ ୨୫ ବେଶ ସାମଗ୍ରୀ । ଲୋକଙ୍କ କଷ୍ଟ ଲବ୍ଧ ଧନରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ସରକାର ଏସବୁ ତିଆରି ଅଲୋଡା କରି ପାଣିରେ ପକାଇଦେଲେ । ଜଗନ୍ନାଥ ପ୍ରେମୀ ଠାକୁରଙ୍କ ଏଭଳି ସ୍ଥିତି ଦେଖି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
୨୦୨୪ ଆରମ୍ଭରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ସମୟରେ ସରକାରଙ୍କ ପକ୍ଷରୁ ଭବ୍ୟ ପ୍ରସ୍ତୁତି ହୋଇଥିଲା। ଜଗନ୍ନାଥ ବଲ୍ଲଭ ପରିସରରେ ଶୀତତାପ ନିୟନ୍ତ୍ରିତ କୋଠରିରେ ମହାପ୍ରଭୁଙ୍କ ୨୫ ପ୍ରକାର ବେଶ ପ୍ରଦର୍ଶିତ ହୋଇଥିଲା । ଠାକୁରଙ୍କ ନିକଟରେ ମହାଲକ୍ଷ୍ମୀ ଓ ସରସ୍ବତୀ ଅଧିଷ୍ଠିତ ହୋଇଥିଲେ। ଅବକାଶ ବେଶ ଠାରୁ ବଡସିଂହାର ବେଶ ତଥା ୧୨ ମାସରେ ଶ୍ରୀବିଗ୍ରହଙ୍କ ଯେତେ ବେଶ ରହିଛି ସବୁକୁ ଖୋଦ୍ ପ୍ରଶାସନ ପ୍ରସ୍ତୁତ କରିଥିଲା। ଅନେକ ଦିନରୁ ହେଉ ନଥିବା ରଘୁନାଥ ବେଶ ମଧ୍ୟ ସେଥିରେ ସ୍ଥାନ ପାଇଥିଲା । ଶ୍ରୀମନ୍ଦିର ସିଂହଦ୍ୱାର ଭଳି ଦୁଇଟି ବିଶାଳ ସିଂହ ଶୋଭା ପାଉଥିଲେ। ଦର୍ଶନାର୍ଥୀମାନେ ଶ୍ରୀଜଗନ୍ନାଥଙ୍କ ନିକଟକୁ ଆସି ଗୋଟିଏ ସ୍ଥାନରେ ଏସବୁ ବେଶ ଦେଖି କୃତ୍ୟକୃତ୍ୟ ହେଉଥିଲେ । ଶ୍ରୀମନ୍ଦିରକୁ ଯାଇ ପାରୁ ନଥିବା ଭକ୍ତମାନେ ମଧ୍ୟ ଜଗନ୍ନାଥ ବଲ୍ଲଭକୁ ଆସି ଠାକୁରଙ୍କ ଆଭୂଷଣ ଦେଖି ଧନ୍ୟ ହୋଇ ଯାଉଥିଲେ । ବେଶ କିଛି ଦିନ ଜଗନ୍ନାଥ ପ୍ରେମୀଙ୍କୁ ପ୍ରଶାସନ ପକ୍ଷରୁ ଏଭଳି ସୁଯୋଗ ଯୋଡାଗଲା । ପରେ ସରକାର ବଦଳିଲେ। ସ୍ଥିତି ବଦଳିଗଲା । ଏପରିକି ଠାକୁରମାନଙ୍କୁ ମଧ୍ୟ ଅଲୋଡା କରି ଛାଡି ଦିଆଗଲା । ବେଶ ସାମଗ୍ରୀ ମଧ୍ୟ ନଷ୍ଟ ହେଉଛି । ୨୫ଟି ରତ୍ନମଣ୍ଡପ ତିଆରି ହୋଇ ୨୫ ସେଟ ଚତୁର୍ଦ୍ଧାମୂର୍ତ୍ତି ଅଧିଷ୍ଠିତ ହୋଇଥିଲେ । କେଉଁ ତିଥିରେ ଠାକୁରଙ୍କ କେଉଁ ବେଶ ହୁଏ ଉଲ୍ଲେଖ ଥିଲା । ପ୍ରତି ବେଶ ଷ୍ଟଲ ଉପରେ ନୂତନ ଚାନ୍ଦୁଆ ଲାଗିଥିଲା । ଠାକୁରଙ୍କ ଟାହିଆ ଓ ଭଳିକି ଭଳି ପୁଷ୍ପଅଳଙ୍କାର ଶୋଭା ପାଉଥିଲେ । ପରିକ୍ରମା ପ୍ରକଳ୍ପ ଦେଖିବାକୁ ଆସୁଥିବା ଯାତ୍ରୀ ବେଶ ପ୍ରଦର୍ଶନୀ ଦେଖି ଅତ୍ୟନ୍ତ ଆନନ୍ଦିତ ହେଉଥିଲେ ।ଶାସକ ଦଳ ବଦଳିଲେ ମଧ୍ୟ ଜନସାଧାରଣଙ୍କ ପାଇଁ ଶାସନ କଳ ଏକ । ଗଣଧନ ଖର୍ଚ୍ଚ କରି ତାହାର ଉପଯୋଗିତା ପାଇଁ ସରକାର ଲୋକଙ୍କ ପାଖରେ ଦାୟୀ ରହିବା କଥା । ଜଗନ୍ନାଥ ଧାମରେ ସର୍ବ ସମ୍ମୁଖରେ ପୁଣି ଗା ପାର୍କିଂ ସ୍ଥାନରେ ଠାକୁରଙ୍କୁ ହତାଦାର କରି ପକାଇବା ନିହାତି ଅଶୋଭନୀୟ ।


