ଆଜି ବିଏମ୍‌ସିରେ ଜନଅଭିଯୋଗ ଶୁଣାଣି

ଭୁବନେଶ୍ୱର,୪।୭(ବ୍ୟୁରୋ): ସୋମବାରଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଜନ ଅଭିଯୋଗ କାର୍ଯ୍ୟକ୍ରମ ଆରମ୍ଭ ହେବ। ଲୋକେ ବିଏମ୍‌ସି କାର୍ଯ୍ୟାଳୟକୁ ଯାଇ ନିଜ ଅଭିଯୋଗ ଜଣାଇ ପାରିବେ। ପ୍ରତ୍ୟେକ ସୋମବାର ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଜନଶୁଣାଣି କରାଯିବ। ବିଏମ୍‌ସି କମିଶନର ନିଜେ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ। ତେବେ କାର୍ଯ୍ୟକ୍ରମରେ ବରିଷ୍ଠ ଓ ଦିବ୍ୟାଙ୍ଗ ନାଗରିକଙ୍କୁ ଅଗ୍ରାଧିକାର ଦିଆଯିବ। ଶୁଣାଣି ସମୟରେ ବିଏମ୍‌ସିର ସମସ୍ତ ଅଧିକାରୀ ଭର୍ଚୁଆଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନତାଙ୍କଠାରୁ ଯେଉଁ ଅଭିଯୋଗ ଗ୍ରହଣ କରାଯିବ ତାହାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଅତି ବେଶୀରେ ୪ଦିନ ସମୟ ଦିଆଯିବ। ପ୍ରତି ଶନିବାର ଅଭିଯୋଗର ସମାଧାନ ନିମନ୍ତେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସମୀକ୍ଷା କରାଯିବ। ପୂର୍ବରୁ ଅଭିଯୋଗ କରିବା ପାଇଁ ଅନ୍‌ଲାଇନ୍‌, ୧୯୨୯, ସୋସିଆଲ ମିଡିଆ ଆଦି ମାଧ୍ୟମ ରହିଥିଲେ ବି ବହୁ ଲୋକ ଅଛନ୍ତି ଯେଉଁମାନେ କି ଏହାର ବ୍ୟବହାର ଜାଣିନାହାନ୍ତି କିମ୍ବା ବିଭିନ୍ନ କାରଣରୁ ଏହି ପଦ୍ଧତିରେ ଜଡ଼ିତ ହୋଇପାରୁ ନାହାନ୍ତି। ସେମାନଙ୍କ ପାଇଁ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଉପାଦେୟ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।