ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ ବାଘ ପଶିଆସି ଏକ ଘର ଭିତରେ ପଶିଯାଇଥିବାବେଳେ ଗ୍ରାମବାସୀ ବୁଦ୍ଧିମତାର ସହ ଘରକୁ ବାହାରୁ ତାଲା ପକାଇ ବାଘଟିକୁ ଆବଦ୍ଧ କରିଦେଇଛନ୍ତି।

ସୂଚନା ଅନୁଯାୟୀ, ବାଘଟି ଜଙ୍ଗଲ ଅଞ୍ଚଳରୁ ଗାଁ ଭିତରକୁ ଚାଲିଆସିଥିଲା। ପରେ ଏକ ଘର ଭିତରକୁ ପଶିଯାଇଥିବା ଦେଖି ଗ୍ରାମବାସୀ ସତର୍କ ହୋଇଥିଲେ। ବାଘଟି ଘର ଭିତରେ ଥିବା ସମୟରେ ଲୋକେ ବାହାରୁ କବାଟ ବନ୍ଦ କରି ତାଲା ପକାଇ ଦେଇଥିଲେ। ଫଳରେ ବାଘଟି ଘର ଭିତରେ ଆବଦ୍ଧ ହୋଇ ରହିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗର ଏକ ଟିମ ଖପରାଖାଇ ଗାଁରେ ପହଞ୍ଚିଛି। ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲକୁ ଛାଡ଼ିବା ନେଇ ବନ କର୍ମଚାରୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ବାଘ ଗାଁ ଭିତରକୁ ପଶିଆସିବା ଖବର ପ୍ରଚାରିତ ହେବା ପରେ ଖପରାଖାଇ ସମେତ ଆଖପାଖ ଅଞ୍ଚଳରେ ଉତ୍ସୁକତା ସହ ଚାପା ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ନ କରିବା ଏବଂ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ବନ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି।

 

Dharitri – Odisha’s No.1 Odia Daily

 

Share