ଅତାବିରା, ୪।୬(ଯୁଧିଷ୍ଠିର ମହାପାତ୍ର): ଆଧୁନିକ ଯୁଗରେ ଆଜି ବି ମାନବିକତା କେତେ ତଳକୁ ଖସିପାରେ ଏବଂ ସାମାଜିକ ବାସନ୍ଦ ନାମରେ ମଣିଷ କେତେ ନିଷ୍ଠୁର ହୋଇଯାଏ, ତାର ଏକ ଜ୍ୱଳନ୍ତ ଏବଂ ହୃଦୟବିଦାରକ ଦୃଶ୍ୟ ବୁଧବାର ଦେଖିବାକୁ ମିଳିଛି ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ମର୍ହାଟିକ୍ରା ଗ୍ରାମରେ। ତେବେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସଂକଳ୍ପ ପରିବାର ଅନ୍ଧକାର ଭିତରେ ଆଲୋକର କିରଣ ସାଜି, ସମାଜକୁ ଏକ ବଡ଼ ବାର୍ତ୍ତା ଦେବା ସହ ମାନବିକତାର ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରିଛି। ମୃତ ବୃଦ୍ଧା ଜଣକ ହେଲେ ମର୍ହାଟିକ୍ରା (ବରାହମୁଣ୍ଡା)ଗ୍ରାମର ଶାନ୍ତି ବରିହା (୬୦)। ଅତୀତରେ ସେ ନିଜ ଇଚ୍ଛାରେ ଅନ୍ୟ ଜାତିରେ ବିବାହ କରିଥିଲେ। କିନ୍ତୁ ଏହି ନିଷ୍ପତ୍ତି ତାଙ୍କ ପାଇଁ ଅଭିଶାପ ପାଲଟିଥିଲା। ପରିବାର ତଥା ଗ୍ରାମବାସୀ ତାଙ୍କୁ ଆକ୍ରୋଶର ଶିକାର କରିବା ସହ ଗାଁରୁ ସବୁଦିନ ପାଇଁ ବାସନ୍ଦ କରିଦେଇଥିଲେ। ସମାଜର ଏହି କଠୋର ଓ ଅନ୍ଧବିଶ୍ୱାସୀ ନିୟମ ଯୋଗୁଁ ତାଙ୍କର ନିଜର କହିଲେ ଆଉ କେହି ନ ଥିଲେ। ସେ ଏକାକୀ ନିର୍ବାସିତ ଜୀବନ ବିତାଉଥିଲେ। ସବୁଠାରୁ ଲୋମଟାଙ୍କୁରା ଓ ଦୁଃଖର ବିଷୟ ହେଉଛି, ଆଜିକୁ ୫ ବର୍ଷ ପୂର୍ବେ ଯେତେବେଳେ ତାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଥିଲା, ସେହି ଦୁଃଖଦ ସମୟରେ ମଧ୍ୟ ଗାଁର କୌଣସି ବ୍ୟକ୍ତି ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ଅସହାୟ ଶାନ୍ତି ଦେବୀ ମାତ୍ର ୫୦୦ ଟଙ୍କା ଦେଇ ୨ଜଣ ଲୋକଙ୍କ ସାହାଯ୍ୟରେ ଏକ ଗାତ ଖୋଳାଇଥିଲେ ଏବଂ ନିଜେ ନିଜ ସ୍ବାମୀଙ୍କ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ନେଇ କବର ଦେଇଥିଲେ। ବର୍ତ୍ତମାନ ଏହି ଦୁଃଖିନୀ ବୃଦ୍ଧାଙ୍କର ମଧ୍ୟ ପରଲୋକ ଘଟିଛି। ମୃତ୍ୟୁ ପରେ ବି ସେହି ସମାନ ପରିସ୍ଥିତି ଉପୁଜିଥିଲା l କେହି ପାଖ ମାଡ଼ି ନ ଥିଲେ। ତେବେ ପଡ଼ୋଶୀ ବରାହମୁଣ୍ଡା ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ତରଣୀ ଦଳେଇ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସଂକଳ୍ପ ପରିବାର’ ସହ ଯୋଗାଯୋଗ କରିଥିଲେ। ପରେ ଅତାବିରା ପୋଲିସର ଅନୁରୋଧ ତଥା ସହଯୋଗ କ୍ରମେ ‘ସଂକଳ୍ପ ପରିବାର’ର ସଦସ୍ୟମାନେ ଆଗେଇ ଆସିଥିଲେ। ଅନୁଷ୍ଠାନର ସମ୍ପାଦକ ଜି. ରମେଶଙ୍କ ତତ୍ତ୍ୱାବଧାନରେ ସଦସ୍ୟ ନିଲେଶ ପ୍ରଧାନ, ଚିନ୍ମୟ ପାଣ୍ଡେ, ଯୋଗେନ୍ଦ୍ର ପାଣ୍ଡେ, ଦିନେଶ ମହତ୍ତମ, ରୋହନ ବାବୁ , ଅମର ସିଂ ଓ ସାହିଲ ଭୋଇ ପ୍ରମୁଖ ମର୍ହାଟିକ୍ରାଠାରେ ପହଞ୍ଚି ବୃଦ୍ଧାଙ୍କ ଶବକୁ ଅତି ସସମ୍ମାନେ ସତ୍କାର କରିଥିଲେ।