ଏକ ନିଆରା ପରମ୍ପରା

ମୋହନ ଚରଣ ବିଷି

ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ। ଉତ୍ପନ୍ନ ହେଉଥିବା ଖାଦ୍ୟଶସ୍ୟକୁ ନିଜେ ପ୍ରଥମେ ଭକ୍ଷଣ କରିବା ପୂର୍ବରୁ ଦିଅଁ ଦେବତା, ଠାକୁର, ଠାକୁରାଣୀ, ଗ୍ରାମ ଦେବଦେବୀକୁ ନୈବେଦ୍ୟ କରି ପରିବାର ଏକତ୍ରିତ ହୋଇ ଭକ୍ଷଣ କରିବାକୁ ନୂଆଁଖାଇ କୁହାଯାଏ। ନୂଆଁଖାଇକୁ ନୂଆଖିଆ, ନବାନ୍ନ, ନୂଆତିହାର ମଧ୍ୟ କହନ୍ତି। ପୂର୍ବେ ଯେତେସବୁ କୃଷି ଦ୍ରବ୍ୟ ଉତ୍ପନ୍ନ ହେଉଥିଲା ତାକୁ ଅମଳ କରି ମଣିଷ ଦିଅଁଦେବତା ପାଖରେ ପ୍ରଥମେ ଅର୍ପଣ କରୁଥିଲା, ତା’ପରେ ତାକୁ ନିଜେ ଓ ପରିବାର ପାଇଁ ବ୍ୟବହାର କରୁଥିଲା। ବର୍ଷା ଋତୁରେ ଯେଉଁ ସବୁ ଚାଷ କରୁଥିଲା ପ୍ରଥମରେ ଗୁରୁଜି, ମାଣ୍ଡିଆ, ସୁଆଁ, କାଙ୍ଗ, କାକୁଡ଼ି, ପାଣିକଖାରୁ, ଜହ୍ନି, ବୋରବୋଟି ବାହାରୁଥିଲା, ଏସବୁକୁ ନିଜ ଦେବଦେବୀକୁ ଭୋଗ ବାଢ଼ି ସେହି ଭୋଗକୁ ଖାଉଥିଲା। ସେହିଦିନଠାରୁ ଏହି ସବୁକୁ ନିୟମିତ ଭାବରେ ଆହାରରେ ବ୍ୟବହାର କରୁଥିଲା। ଏହି ସବୁର ଉତ୍ପନ୍ନ ପରେ ପୋରାଧାନ, ଚିଂଗେର ଧାନ, ସେଟକା ଧାନ ହେଉଥିଲା। ଧାନକୁ ମହାଲକ୍ଷ୍ମୀର ପ୍ରତୀକ ଭାବରେ ବିବେଚନା କରାଯାଏ। ଯେହେତୁ ଅନ୍ନ ମାଧ୍ୟମରେ ବର୍ଷ ତମାମ ମଣିଷ ଭୋକ ମେଣ୍ଟାଇ ଥାଏ ତେଣୁ ନୂଆଧାନରୁ ପ୍ରଥମ କରି ଅନ୍ନ ଭକ୍ଷଣ କରିବା ପୂର୍ବରୁ ନିଜ ଦିଅଁଦେବତା ଗ୍ରାମ ଦେବଦେବୀକୁ ଅର୍ପଣ କରି ନିଜେ ଭକ୍ଷଣ କରିଥାଏ।
ଆଗକାଳରେ ଲୋକମାନେ ଘରେ ଚାଉଳ ତଥା ଅନ୍ୟାନ୍ୟ ଶସ୍ୟ ସାଇତିରଖି ପାରୁ ନ ଥିଲେ କାରଣ ଯେତେ ଉତ୍ପନ୍ନ ହେଉଥିଲା ତାହା ନିଅଣ୍ଟ ପଡୋ। ଜଣକ ପାଖରେ ଯଦି କିଛି ନାହିଁ ତା’ହେଲେ ନିଜର ଜମିବାଡ଼ିରେ ଯାହା ଅମଳ ହେଉଥିଲା ତାହା ତା’ ଚୁଲିକୁ ଆସେ। ଯଦି ନୂଆଁଖାଇ ହେଇ ନ ଥିବ ସେମାନେ ନିଜର ଶସ୍ୟ ଅମଳ କରି ଖାଇପାରୁ ନଥିଲେ। ନିଜର ସ୍ବାଭିମାନକୁ ବଞ୍ଚାଇ ରଖିବା କାହା ଆଗରେ ହାତପତାଇବା ନାହିଁ ଏହି ଉଦ୍ଦେଶ୍ୟରେ ଭାଦ୍ରବ ମାସର ତୃତୀୟ, ପଞ୍ଚମୀ, ସପ୍ତମୀ ତିଥିରେ ଶୁଭବେଳା ଦେଖି ନୂଆଁଖାଇ ପାଳନ କରୁଥିଲେ। ନୂଆଁଖାଇ ପାଳନ ହେବା ଆଗରୁ ଘରଦ୍ୱାର ଲିପାପୋଛା କରି ଘରର ପ୍ରତ୍ୟେକ ଜିନିଷପତ୍ରକୁ ଧୁଆରୁଆ କରନ୍ତି। ପରିବାର ସମସ୍ତଙ୍କ ପାଇଁ ନୂଆଲୁଗା ଆସେ। ଝିଅ ଘରକୁ ଭାରିଆ ପିଠାପଣା, ଖଜା ଓ ନୂଆଲୁଗା ପଠାଯାଏ। ସାଂଗସାଥୀ, ମିତ, ମହାପ୍ରସାଦ, ମକର, ଭେଲୋକ, ଭଏନଲୋକ, ବେଲଗଜା, ଗଜାମୁଗ, ବଉଲମାନଙ୍କ ମଧ୍ୟରେ ଲୁଗାପଟା, ଖଜାମିଠା ଦିଆନିଆ ହୋଇଥାଏ। ଏହାକୁ ଯୋଗାର ଦିଆନିଆ କହନ୍ତି।
ଚିତାଲାଗି ଅମାବାସ୍ୟା ନୂଆଁଖାଇର ଆଦ୍ୟ ପର୍ବ ଭାବରେ ପାଳନ କରିଥାଏ। ଏହିଦିନ ଚଷା ବିଲକୁ ଯାଇ କେନ୍ଦୁଡାଳ ବା କେନ୍ଦୁବାଡ଼ି ଗାଡ଼ିବାର ପରମ୍ପରା ରହିଛି। ଏହାର ଅର୍ଥ ହେଲା ଧାନ ଗଛରେ ରୋଗ ପୋକ ଲାଗିବ ନାହିଁ। ଏହିଦିନ ଗାଁରେ ପୂଜାରୀ ରୋଗୋହଲା କରିବ। ଏହା କରିବା ଉଦ୍ଦେଶ୍ୟ ହେଲା ଗାଁରେ କାହାକୁ ମହାମାରୀ ପରି ମାରାତ୍ମକ ରୋଗ ହେବନାହିଁ। କମାର ମଧ୍ୟ ଏହିଦିନ ଘର ଘର ବୁଲି ଲୁହାକଣ୍ଟା ପୋତି ଥାଏ; ଯେମିତି ମହାମାରୀ ଘରକୁ ପ୍ରବେଶ କରିବ ନାହିଁ। ଏହା ପରେ ପରେ ପାଳନ କରାଯାଏ ସପ୍ତପୁରୀ ଅମାବାସ୍ୟା; ଯାହାକୁ ପୋରାଉଁଆସ ମଧ୍ୟ କହନ୍ତି। ଏହିଦିନରେ ଗ୍ରାମଦେବଦେବୀଙ୍କୁ ପୂଜାରୀ ପୂଜାକରି ଏମିତି ମଙ୍ଗଳ ମନାସି ଥାଏ- ନୂଆଁଖାଇ ଆସୁଛି, କାହାର କିଛି ଅସୁବିଧା ନ ହେଉ, ସୁରୁଖୁରୁରେ ତିହାର୍‌ ସରିଯାଉ। ପୁଅଝିଅମାନେ ଏହିଦିନ ଛୋଟ ଛୋଟ ବଳଦଗାଡ଼ି, ଘୋଡ଼ାଗାଡ଼ି ଟାଣି ଖେଳନ୍ତି। ଝିଅମାନେ ଛୋଟ ଛୋଟ ମାଟି ତିଆରି କଣିବୁଚିରେ ଖଇଲିଆ ଖଜା, ଠେଙ୍ଗା, ଗୁଲି ଭର୍ତ୍ତି କରି ବିଭିନ୍ନ କିସମର ଖେଳ ଖେଳିଥାନ୍ତି। ନୂଆଁଖାଇ କେଉଁଦିନ ହେବ ପଞ୍ଚ ବସି ଦିନଧାର୍ଯ୍ୟ କରାଯାଏ। ସମସ୍ତଙ୍କ ସୁବିଧା ହେଲାପରି ଏକ ଦିନକୁ ବଛାଯାଏ। ଡକନିଆ ଗାଁରେ ସମସ୍ତଙ୍କୁ ନୂଆଁଖାଇ ଦିନ ଜଣାଇଦିଏ। ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଘୋଷଣା ଅନୁସାରେ ପ୍ରତିବର୍ଷ ଭାଦ୍ରବ ମାସ ଋଷିପଞ୍ଚମୀ ତିଥିରେ ନବାନ୍ନ ପାଇଁ ଧାର୍ଯ୍ୟ କରାଯାଇଛି। ଅଲେଖ ଧର୍ମାବଲମ୍ବୀ ଭକ୍ତମାନେ ଶ୍ରାବଣ ପୂର୍ଣ୍ଣିମାରେ ନବାନ୍ନ ପାଳନ କରିଥାନ୍ତି। ପଶ୍ଚିମ ଓଡ଼ିଶାରେ ମାଁ ସମଲେଶ୍ବରୀ ପୀଠରେ ନୂଆଁଲାଗି ହେଲା ପରେ ସମସ୍ତେ ନବାନ୍ନ ଭକ୍ଷଣ କରିଥାନ୍ତି । ପୁରୀ ମୁକ୍ତିମଣ୍ଡମ ପଣ୍ଡିତମାନେ ମଧ୍ୟ ନବାନ୍ନ ପାଇଁ ଉପଯୁକ୍ତ ସମୟ ନିର୍ଣ୍ଣୟ କରିଥାନ୍ତି। ଏହାବାଦ ନିଜ ନିଜ ଗାଁ, ଅଞ୍ଚଳର ଦେବଦେବୀଙ୍କ ନୂଆଲାଗି ଅନୁସାରେ ନବାନ୍ନ ଭକ୍ଷଣ କରାଯାଏ। ଯେମିତି କଳାହାଣ୍ଡିରେ ଜୁନାଗଡ଼ ଦଧିବାମନ ମହାପ୍ରଭୁଙ୍କ ନୂଆଲାଗି ହେଲାପରେ ଅଞ୍ଚଳବାସୀ ନୂଆଁ ଖାଇଥାନ୍ତି। ପରମ୍ପରା ଅନୁସାରେ କଳାହାଣ୍ଡି ଗଡଜାତ ଅଞ୍ଚଳରେ ଦଶମୀ ଦିନ ନବାନ୍ନ ପାଳନ କରିଥାନ୍ତି।
ନୂଆଁଖାଇ ପୂର୍ବଦିନ ଦାଣ୍ଡସରା ନୀତି କରାଯାଏ। ଗାଁ ଦାଣ୍ଡ ପରିଷ୍କାର ପରିଚ୍ଛନ୍ନ କରାଯାଏ। ଏହିଦିନ ଗାଁ ଦେବଦେବୀ ପୀଠରେ ନୂଆଧାନ ଚାଉଳ/ଚୁଡ଼ା ଅର୍ପଣ କରାଯାଇଥାଏ। ନୂଆଁଖାଇ ପୂର୍ବ ରାତିରେ ଗାଁର ପୂଜାରୀ ଗୋନ୍ତିଆଘର ଜମିକୁ ଯାଇ ମାଟିହାଣ୍ଡିରେ ପାଣି ଆଣିଥାନ୍ତି। ସେହି ପାଣିରେ ନବାନ୍ନ ଦିନ ସମସ୍ତ ଭୋଗରାଗ ତିଆରି କରାଯାଏ। ଲୋକେ ବଡ଼ିଭୋରରୁ କ୍ଷେତରୁ ନୂଆ ଧାନ ସଂଗ୍ରହ କରିବା ପାଇଁ ଯାଆନ୍ତି। ଏହିଦିନ ଯିଏ ଯାହାର ଭଟାରୁ ଧାନ ନେଲେ ମନାକରନ୍ତି ନାହିଁ। ନୂଆଁଖାଇ ଦିନ ନାନା ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ। ନୂଆଁକୁ କେବଳ କୁରେଇ ପତ୍ର ଖଲି କିମ୍ବା ଦନାରେ ପରଷା ଯାଏ। ସବୁ ନ ହେଲେ ଚଳିବ ଯଦି କୁରେଇ ପତ୍ର ହେବନାହିଁ ତା’ହେଲେ ନୂଆଁଖାଇ ମଧ୍ୟ ହେବ ନାହିଁ। ସମସ୍ତେ ନୂଆ ଲୁଗାପଟା ପରିଧାନ କରନ୍ତି। ଘରର ଦିଅଁଦେବତା ପାଖରେ ସମସ୍ତେ ବସନ୍ତି। ଘରର ମୁରବି ସମସ୍ତଙ୍କୁ ନବାନ୍ନ ବାଣ୍ଟିବା ପରେ ସମସ୍ତେ ଭକ୍ଷଣ କରନ୍ତି। ନୂଆଁଖାଇ ସାରି ଦିଅଁଦେବତାକୁ ମୁଣ୍ଡିଆ ମାରନ୍ତି। ସେହିପରି ପରିବାରର ସାନମାନେ ବଡ଼ମାନଙ୍କଠାରୁ ଆଶୀର୍ବାଦ ନିଅନ୍ତି। ପରିବାରରେ ଥିବା ରାଗ ଅଭିମାନ ସବୁ ଭୁଲି ଯାଇ ନୂଆଁଖାଇ ଦିନ ଏକାଠି ହୋଇଥାନ୍ତି। ଘର ଲୋକ ଯେତେଦୂରେ ରହୁଥିଲେ ମଧ୍ୟ ନୂଆଁଖାଇ ଦିନ ଘରକୁ ଆସିଥାନ୍ତି।
ନୂଆଁଖାଇ ପରଦିନକୁ ବାସି ତିହାର, ନୂଆଁଖାଇ ବାସି କହନ୍ତି। ଏହିଦିନ ସମସ୍ତେ ଜୁହାର ଭେଟ ହୁଅନ୍ତି, ଗାଁଟାସାରା ସତେ ମନେହୁଏ ଗୋଟେ ପରିବାର। ଗାଁରେ ନାଚଗୀତର ଆସର ଜମେ। ନୂଆଁଖାଇର ପରମ୍ପରା କେବଳ ପଶ୍ଚିମ ଓଡ଼ିଶା କି ଓଡ଼ିଶା ଭିତରେ ସୀମିତ ନୁହେଁ। ଭାରତବର୍ଷର ବିଭିନ୍ନ ରାଜ୍ୟଗୁଡ଼ିକରେ ମଧ୍ୟ ନୂଆଁଖାଇର ପରମ୍ପରା ରହିଛି। ନୂଆଁଖାଇ ପର୍ବ ଆତ୍ମସମର୍ପଣ ଓ ଆତ୍ମସନ୍ତୋଷର ପ୍ରତୀକ। ପ୍ରକୃତି ପ୍ରତି ଏହା ମଣିଷର ଗଭୀର ଆତ୍ମନିବେଦନ। କେଉଁ ଅନାଦି କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇଆସୁଛି। ନୂଆଁଖାଇ ଏହି ନିଆରା ପ୍ରଥା, ପରମ୍ପରା ମଣିଷକୁ ସ୍ବାବଲମ୍ବୀ ହେବାପାଇଁ ଶିକ୍ଷା ପ୍ରଦାନ ସହ ସଦ୍‌ଭାବନା, ଶାନ୍ତି, ମୈତ୍ରୀ, ଭ୍ରାତୃଭାବ ପ୍ରତିଷ୍ଠା ଦିଗରେ ସହାୟକ ହୋଇଥାଏ। ଅଧ୍ୟାପକ, ଗଡ଼ରାମାଳ, କୋକସରା, କଳାହାଣ୍ଡି
ମୋ:୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri