ବ୍ୟବସ୍ଥାରେ ଉନ୍ନତି ଆଣିବ ନୂତନ ଜଳନୀତି

ଭୁବନେଶ୍ବର,୧୯ା୯(ବ୍ୟୁରୋ):ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସମ୍ପର୍କିତ ଆନ୍ତଃବିଭାଗୀୟ ବୈଠକ ରବିବାର ରାଜ୍ୟ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ମୁଖ୍ୟଯନ୍ତ୍ରୀ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ନୂତନ ରାଜ୍ୟ ଜଳ ନୀତି ସମ୍ପର୍କରେ ଅବଗତ କରାଇଛନ୍ତି। କୃଷି, ଶିଳ୍ପ ତଥା ଆନୁଷଙ୍ଗିକ କ୍ଷେତ୍ରରେ କୃଷକ ତଥା ଜନସାଧାରଣଙ୍କ ନିମନ୍ତେ ଜଳର ଆବଶ୍ୟକତା ପୂରଣ ଦିଗରେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି, ପ୍ରସ୍ତାବିତ ନୂତନ ଜଳନୀତି ଏ ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ ସାହୁ କହିଛନ୍ତି। ବୈଠକରେ ନୂତନ ରାଜ୍ୟ ଜଳ ନୀତିରେ ଜଳ ସମ୍ପଦ ବିଭାଗରେ ଥିବା ବିଭିନ୍ନ ଉପ ବିଭାଗର କାର୍ଯ୍ୟକ୍ରମରେ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଛି। ସମ୍ପ୍ରତି ଜଳସମ୍ପଦ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ମଧ୍ୟମ, ବୃହତ୍‌ ଓ କ୍ଷୁଦ୍ର ଜଳସେଚନ, ମେଗା ଲିଫ୍ଟ, ଉଠା ଜଳସେଚନ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ଜଳସେଚନ କରାଯାଉଛି। ରାଜ୍ୟ ଜଳନୀତିରେ ଆବଶ୍ୟକ ପରିବର୍ତ୍ତନ କରାଗଲେ ବ୍ୟବସ୍ଥାରେ ଅଧିକ ଉନ୍ନତୀକରଣ ହେବ ବୋଲି ଏ ସମ୍ପର୍କରେ ବିଭାଗୀୟ ମୁଖ୍ୟଯନ୍ତ୍ରୀମାନେ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇଛନ୍ତି।
ନୂତନ ଜଳନୀତିରେ ଭୂତଳ ଜଳ ସଂରକ୍ଷଣ, ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ଓ ୱାଲ୍‌ମୀ ଜରିଆରେ କାର୍ଯ୍ୟକ୍ରମ ସମ୍ପର୍କିତ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ କହିଛନ୍ତି, ନୂତନ ଜଳନୀତିରେ କ’ଣ କ’ଣ ପରିବର୍ତ୍ତନ କରାଗଲେ ଜନସାଧାରଣ ଅଧିକରୁ ଅଧିକ ବ୍ୟବହାର ଉପଯୋଗୀ ଜଳ ପାଇପାରିବେ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। କେତେକ ସ୍ଥଳେ ବିଭାଗୀୟ ଅଧିକାରୀ ତଥା ମୁଖ୍ୟ ଯନ୍ତ୍ରୀମାନଙ୍କୁ ପ୍ରସ୍ତାବିତ ନୂତନ ଜଳନୀତିକୁ ପୁନଃ ଅବଲୋକନ କରିବାକୁ ଗର୍ଗ ପରାମର୍ଶ ଦେଇଛନ୍ତି। ସମ୍ପ୍ରତି ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜଳ ପରିଚାଳନା, ଜଳର ଉପଯୁକ୍ତ ବ୍ୟବହାର ଏବଂ ଜଳ ଉପରେ ନିର୍ଭର କରୁଥିବା ସହଭାଗୀ ଅନୁଷ୍ଠାନଗୁଡିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳନୀତି-୨୦୦୭ରେ ଆବଶ୍ୟକ ପରିବର୍ତ୍ତନ ଅଣାଯାଇ ନୂତନ ଜଳନୀତି ପ୍ରଣୟନ ପାଇଁ ଜଳସଂପଦ ବିଭାଗ ତରଫରୁ ପଦକ୍ଷେପ ନିଆଯାଇଛି। ଏ ସମ୍ପର୍କରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।