ଦାରିଙ୍ଗବାଡ଼ି, ୧୭/୧୧ (ଅରୁଣ ସାହୁ): ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନୋରମ ପରିବେଶ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ସର୍ବଦା ଆକର୍ଷିତ କରିଆସୁଛି। ଏଠାକାର ଜଳପ୍ରପାତ, ଭ୍ୟୁ ପଏଣ୍ଟ, ଘଞ୍ଚ ଜଙ୍ଗଲ ଓ ଝରଣାର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଏବେ ପର୍ଯ୍ୟଟନ କ୍ଷେତ୍ରରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଥମଥର ପାଇଁ ଦାରିଙ୍ଗବାଡ଼ି ବ୍ଲକ୍ର ଶ୍ରାନିକେତାଠାରେ ଗ୍ରାମୀଣ କୃଷି-ପରିବେଶ ପର୍ଯ୍ୟଟନ କେନ୍ଦ୍ର ‘ରୁରାଲିଆ’ ମଙ୍ଗଳବାର ମଧ୍ୟାହ୍ନରେ ଉଦ୍ଘାଟିତ ହୋଇଛି।
ଏହି ନୂତନ ପର୍ଯ୍ୟଟନ କେନ୍ଦ୍ରକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଶ୍ରାନିକେତା ସରପଞ୍ଚ ଗଙ୍ଗାଧର ପ୍ରଧାନ ଏବଂ ସାଂସଦଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁଚରଣ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ସାଂସଦ କହିଥିଲେ ଯେ, ଦାରିଙ୍ଗବାଡ଼ିରେ ଏଭଳି ଏକ ପର୍ଯ୍ୟଟନ କେନ୍ଦ୍ର ଆରମ୍ଭ ହେବା ଦ୍ୱାରା ଗ୍ରାମୀଣ ପର୍ଯ୍ୟଟନର ବିକାଶ ସହ ସ୍ଥାନୀୟ ଲୋକଙ୍କ ଜୀବିକାର ନୂତନ ସୁଯୋଗ ସୃଷ୍ଟି ହେବ। ବିଶେଷକରି ସ୍ଥାନୀୟ କୃଷକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ଉନ୍ନତିରେ ଏହା ସହାୟକ ହେବ।
କୃଷି ବନୀକରଣ, ପ୍ରକୃତିଭିତ୍ତିକ ପର୍ଯ୍ୟଟନ ଏବଂ ଗ୍ରାମୀଣ ଜୀବିକାକୁ ପ୍ରୋତ୍ସାହନ ଦେବା ମୁଖ୍ୟ ଉଦ୍ଦେଶ୍ୟରେ ‘ରୁରାଲିଆ’ର ଶୁଭାରମ୍ଭ କରାଯାଇଛି ବୋଲି ସାଂସଦ ପ୍ରକାଶ କରିଥିଲେ। ଏହି ପଦକ୍ଷେପ ଦ୍ୱାରା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ମାନଚିତ୍ରରେ ଏକ ନୂତନ ଆକର୍ଷଣ ଯୋଡ଼ି ହେବା ସହ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶକୁ ନୂଆ ଦିଗ ମିଳିବ ବୋଲି ଆଶା ପ୍ରକାଶ ପାଇଛି।