ପରଜଙ୍ଗ,୧୧ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମୁଣ୍ଡେଇଲୋ ଟୋଲ୍ଗେଟ୍ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଚଳନ୍ତା ଟ୍ରକ୍ଟି ହୁତୁହୁତୁ ହୋଇ ଜଳିଯାଇଥିବା ବେଳେ ସୌଭାଗ୍ୟବଶତଃ ଚାଳକ ଅଳ୍ପକେ ରକ୍ଷା ପାଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ତାଳଚେର ପଟୁ ପରଜଙ୍ଗ ଅଭିମୁଖେ ଆସୁଥିଲା। ମୁଣ୍ଡେଇଲୋ ଟୋଲ୍ଗେଟ୍ଠାରୁ ଅଳ୍ପ ଦୂରରେ ଚାଳକ ଟ୍ରକ୍ରେ ବ୍ରେକ ମାରି ଅଟକାଉଥିବା ସମୟରେ ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ଦେଖୁ ଦେଖୁ ଟ୍ରକ୍ଟି ନିଆଁରେ ଜଳିବାକୁ ଲାଗିଥିଲା। ଟ୍ରକ୍ର ପଞ୍ଜୀକରଣ ନମ୍ବର ଓଡି ୩୫ଏଚ୮୫୬୬। ଖବର ପାଇ ତାଳଚେର ଓ ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲିଭାଇବା ବେଳକୁ ଟ୍ରକ୍ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି କ୍ଷତି ହୋଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଟ୍ରକ୍ରେ କେଉଁ କାରଣରୁ ନିଆଁ ଲାଗିଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଖବର ପାଇ ପରଜଙ୍ଗ ଥାନାର ଏଏସ୍ଆଇ ଜୋସେଫ୍ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଗ୍ନିକାଣ୍ଡ ପରେ ଉକ୍ତ ରାସ୍ତାରେ ଯାତାୟାତ ସ୍ବାଭାବିକ ରହିଥିବା ଜଣାପଡ଼ିଛି।