ଖଣ୍ଡଗିରିରୁ ବିଶ୍ୱଶାନ୍ତିର ବାର୍ତ୍ତା

ଭୁବନେଶ୍ୱର, ୯।୨(ବ୍ୟୁରୋ):  ମନ୍ତ୍ରଧ୍ୱନି, ଘଣ୍ଟଘଣ୍ଟା ତାଳେ ତାଳେ ଗୁଞ୍ଜରିତ ହେଉଛି ଐତିହ୍ୟସ୍ଥଳୀ ଖଣ୍ଡଗିରି-ଉଦୟଗିରି। ଏଠାରେ କାଶୀ, ହରିଦ୍ୱାର, ବନାରସ, ନାସିକ ପ୍ରଭୃତି ସ୍ଥାନରୁ ଶତାଧିକ ସାଧୁ ସନ୍ନ୍ୟାସୀଙ୍କ ସମାଗମ ହୋଇଛି। ଐତିହ୍ୟସ୍ଥଳୀରେ ଥିବା ପବିତ୍ର ଜଳାଶୟ ରାଧାକୁଣ୍ଡରୁ ଜଳ ଆଣି କଳସ ବସାଯିବା ସହ ଧୂନି ସ୍ଥାପନ କରାଯାଇଛି। ପବିତ୍ର ମାଘସପ୍ତମୀ ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଅଙ୍କୁରାରୋପଣ କରାଯାଇଥିବାବେଳେ ଅଷ୍ଟମୀରେ କଳସ ଯାତ୍ରା ଓ ମହାଯଜ୍ଞ ଆରମ୍ଭ ହୋଇଛି। ବିଶ୍ୱରେ ଶାନ୍ତି, ମୈତ୍ରୀ ବଜାୟ ରହିବା ପାଇଁ ଯଜ୍ଞ ମାଧ୍ୟମରେ ଏହିଠାରୁ ବାର୍ତ୍ତା ଦିଆଯାଇଛି।
ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟା ବେଳେ ଘଟଯାତ୍ରା ଆରମ୍ଭ ହୋଇଥିଲା। ଜାଗମରା ଗ୍ରାମ ଶିବମନ୍ଦିର ନିକଟସ୍ଥ ବଡ଼ ପୋଖରୀର ଜଳ ଆଣି ମୁଣ୍ଡିଆ ଉପରେ ସ୍ଥାପନ କରାଯାଇଥିଲା। ପରେ ବିଧି ମୁତାବକ ଯଜ୍ଞବିଧି ଆରମ୍ଭ ହୋଇଥିଲା। ପୂର୍ଣ୍ଣମୀ ପର୍ଯ୍ୟନ୍ତ ଖଣ୍ଡଗିରିରେ ଏହିପରି ଭକ୍ତିମୟ ପରିବେଶ ରହିବ। ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସାଧୁ ସମ୍ମିଳନୀ ଏବଂ ଧର୍ମସଭାକୁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି। ୧୬ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ସହ ଅଗ୍ନି ଉତ୍ସବ ପାଳନ ହେବ। ମଙ୍ଗଳବାର ୪ଶହରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ମା’ ବାରଭୁଜା ପୀଠରେ ପଂକ୍ତି ଭୋଜନରେ ସାମିଲ ହୋଇଥିବା ବାରଭୁଜା ମ୍ୟାନେଜିଂ ଟ୍ରଷ୍ଟ କୋଷାଧ୍ୟକ୍ଷ ଦୀନବନ୍ଧୁ ଜେନା ସୂଚନା ଦେଇଛନ୍ତି। ସେହିପରି ମା’ ବାରଭୁଜା ପୀଠରେ ହନୁମାନ ମନ୍ଦିର ସମ୍ମୁଖରେ ୪୦ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ରାମଚରିତ ମାନସ ପାଠ ଜାରି ରହିଛି। ମେଳାକୁ ବହୁ ଦୂରଦୂରାନ୍ତରୁ ସାଧୁ ସନ୍ଥ ଆସିଥିବାରୁ ସେମାନଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ଖଣ୍ଡଗିରି-ଉଦୟଗିରିରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ସାଧୁ ସନ୍ନ୍ୟାସୀଙ୍କ ନିକଟକୁ ଯାଇ ସେମାନଙ୍କର ପାରିବାରିକ, ଆର୍ଥତ୍କ, ସ୍ବାସ୍ଥ୍ୟ ଆଦି ବିଭିନ୍ନ ସମସ୍ୟା ସମାଧାନର ପନ୍ଥା ପଚାରି ବୁଝୁଛନ୍ତି। ପ୍ରଥମ ଦିନରେ ଶତାଧିକ ସାଧୁ ହୋମ ଯଜ୍ଞ ଆରମ୍ଭ କରିଥିବାବେଳେ ଦ୍ୱିତୀୟ ଦିନରେ ଆଉ କେତେଜଣ ସାଧୁ ଆସି ମେଳାରେ ପହଞ୍ଚତ୍ଛନ୍ତି।