ରାସ୍ତାରେ ଆସୁଆସୁ ହଠାତ୍‌ ଓଲଟି ପଡ଼ିଲା ମେଲୋଡ଼ି ଗାଡ଼ି, ଭିତରେ ଥିଲେ ୩୦ କଳାକାର

ବଲାଙ୍ଗୀର/ସଇଁତଳା,୨୬ା୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ରବିବାର ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୬ କନ୍ଧକେଲ ଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ମେଲୋଡ଼ି ଗାଡ଼ି ରାସ୍ତାରେ ଆସୁଥିବା ବେଳେ କୌଣସି କାରଣରୁ ହଠାତ୍‌ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଏଥିରେ ବସିଥିବା ପ୍ରାୟ ୩୦ ଜଣଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଥିବା ବେଳେ ପ୍ରାୟ ୨୫ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସୂଚନାନୁଯାୟୀ, ବରଗଡ଼ ଜିଲା ବିର୍ଜାମ ଗାଁର ‘ମା ଲଙ୍କେଶ୍ୱରୀ ମେଲୋଡ଼ିର ଦୁଲ୍‌ଦୁଲ୍‌ି ପାର୍ଟି’ ଜୁନାଗଡ଼ରେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିଲେ। କନ୍ଧକେଲ ଗାଁ ଛକ ନିକଟ ରାସ୍ତାରେ କୌଣସି କାରଣବଶତଃ ଗାଡ଼ିଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଜନସାଧାରଣ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଦୁର୍ଘଟଣାକୁ ନେଇ ସଇଁନ୍ତଳା ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନାରୁ ପ୍ରକାଶ।

Dharitri – Odisha’s No.1 Odia Daily

Share