ଥାନାରେ ଦ୍ୱାରସ୍ଥ ହେଲେ ପ୍ରେମିକଙ୍କ ସହ ଫେରାର ଥିବା ବିବାହିତ ମହିଳା

ବିନିକା,୪।୩: ପ୍ରେମିକ କଥାରେ ପଡି ଶାଶୁଘର ଛାଡି ଫେରାର ଥିବା ବରଗଡ଼ ଅଞ୍ଚଳର ଜଣେ ବିବାହିତା ମହିଳା ପ୍ରତାରଣାର ଶିକାର ହୋଇ ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସମ୍ପୃକ୍ତ ମହିଳାଙ୍କୁ ସ୍ବାମୀ କିମ୍ବା ବାପଘର ଲୋକେ ଗ୍ରହଣ ନ କରିବାରୁ ପୋଲିସ ତାଙ୍କୁ ସୋନପୁରସ୍ଥିତ ସଖି ଗୃହକୁ ପଠାଇ ଦେଇଛି। ସୂଚନା ଯୋଗ୍ୟ, ସମ୍ପୃକ୍ତ ମହିଳାଙ୍କ ଘର ବରଗଡ଼ ଅଞ୍ଚଳରେ। ସେ ୨୦୧୨ରେ ଗାଁ ପାଖ ଅଞ୍ଚଳର ଜଣେ ଯୁବକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଦୀର୍ଘ ୮ ବର୍ଷ ସେ ଶାଶୁଘରେ ରହିଥିଲେ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ରହିଥିଲା। ତାଙ୍କର ଗୋଟିଏ ଝିଅ ଅଛନ୍ତି। ୨ବର୍ଷ ତଳେ ମହିଳା ଜଣକ ବାପଘରକୁ ବୁଲିବାକୁ ଆସିଥିଲେ। ସେତିକିବେଳେ କଲେଜରେ ପଢିବା ସମୟରେ ଭଲ ପାଉଥିବା ଯୁବକଙ୍କ ସହ ତାଙ୍କର ଭେଟ ହୋଇଥିଲା। ମହିଳା ଜଣକ ପୁଣି ପ୍ରେମିକଙ୍କ ଜାଲରେ ପଡି ଝିଅଙ୍କୁ ଧରି ଫେରାର ହୋଇଯାଇଥିଲେ। ସେମାନେ ପ୍ରଥମେ ବରଗଡ଼ରୁ ଭୁବନେଶ୍ୱର ଆସିଥିଲେ। ସେଠାରେ କାମ ଧନ୍ଦା ନ ମିଳିବାରୁ ସେଠାରୁ ଝାନସୀ ଓ ଅନ୍ୟ କେତେକ ସ୍ଥାନକୁ ଯାଇଥିଲେ। କୌଣସି ସୂତ୍ରରୁ ଖବରପାଇ ଶାଶୁଘର ଓ ବାପଘର ଲୋକେ ଝିଅକୁ ଫେରାଇ ଦେବାକୁ କହିଥିଲେ ା ସେ ବରଗଡ଼ ଆସି ଝିଅକୁ ବାପଘର ଜିମା ଦେଇ ଚାଲି ଯାଇଥିଲେ ା ପରେ ଉଭୟ ସମ୍ବଲପୁରର ଗୋପାଳମାଳଠାରେ ରହିଥିଲେ। ଗତ ୨୬ ତାରିଖରେ କାମ ଅନ୍ବେଷଣରେ ପ୍ରେମିକ ଜଣକ ବାହାରକୁ ଯାଇ ଛୁ ମାରିଥିଲେ। ବହୁ ଖୋଜାଖୋଜି କରି ନ ପାଇବାରୁ ମହିଳା ଜଣକ ସମ୍ବଲପୁର ଅଏଁଠାପାଳି ଥାନାରେ ଜଣାଇଥିଲେ। ପରେ ଏ ନେଇ ବିନିକା ଥାନାରେ ଅଭିଯୋଗ କରିଥିଲେ। ପ୍ରେମିକ ଜଣକ ପ୍ରେମିକାଙ୍କ ସୁନା କାନଫୁଲ, ଗୋଟିଏ ମୋବାଇଲ ଫୋନ ଏବଂ ୧୫ ହଜାର ଟଙ୍କା ନେଇ ଚାଲିିଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି।