ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା ସମେତ ପଶ୍ଚିମବଙ୍ଗର ପଶ୍ଚିମ ଓ ଦକ୍ଷିଣବଙ୍ଗରେ ବୁଧୁବାର ସନ୍ଧ୍ୟାରୁ ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଥିବା ଜଳବାୟୁ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ ବାଲେଶ୍ୱର ଜିଲାରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ଭୋଗରାଇରେ ସର୍ବାଧିକ ୨୩୬ ମିମି ବର୍ଷା, ଖଇରାରେ ସର୍ବନିମ୍ନ ଗୁରୁବାର ୮ ଟା ସୁଦ୍ଧା ୨୨ ମିମି ସହ ଜିଲାରେ ୧୩.୪୬ ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛ। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାବେଳେ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କୁ ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ଡାକବାଜି ଯନ୍ତ୍ରରେ ପ୍ରଶାସନ ଓ ମତ୍ସ୍ୟବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଉଛି l
ଭୋଗରାଇ ଓ ଏହାର ଆଖ ପାଖ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଲାଗିରହିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି l ଅପରପକ୍ଷରେ ଗୁରୁବାର ଗଭୀର ସମୁଦ୍ରରୁ ଦୀଘା ଉପକୂଳରେ ଏକ ଜାହାଜର ଦିଗ ନିର୍ଣ୍ଣୟ ଯନ୍ତ୍ର( ବୟାଁ ) ମତ୍ସ୍ୟଜୀବୀଙ୍କ ଦ୍ୱାରା ଠାବ କରାଯାଇଛି l ସମ୍ଭବତଃ ଏହି ଦିଗନିର୍ଣ୍ଣୟ ଯନ୍ତ୍ର ବତାସର ବେଗ ଓ ସମୁଦ୍ରର ଉତ୍ତାଳ ଢେଉରେ ଗଭୀର ସମୁଦ୍ରରୁ ଭାସିଆସି କୂଳ ଆଡ଼କୁ ଆସିଛି। ସ୍ଥାନୀୟ ମତ୍ସ୍ୟଜୀବୀମାନେ ଅନ୍ୟ ଡଙ୍ଗା ଓ ସ୍ପିଡ୍ ବୋଟ୍ରେ ଏହି ଦିଗନିର୍ଣ୍ଣୟ ଯନ୍ତ୍ରଟିକୁ ଦୀଘା କୂଳକୁ ଆଣିଛନ୍ତି। ଏହି ଯନ୍ତ୍ରଟିକୁ ଦେଖିବା ଲାଗି ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି।
ସୂଚନାନୁଯାୟୀ, ଗଭୀର ସମୁଦ୍ରରେ ଦିଗ ନିର୍ଣ୍ଣୟ କରିବାକୁ ଏହି ଯନ୍ତ୍ର ସାହାଯ୍ୟ କରିଥାଏ। ଏହା ଲୁହାରେ ନିର୍ମିତ ବଡ଼ ପେଣ୍ଡୁ ଭଳି ରହିଥିବାବେଳେ ଉପରକୁ ସୋଲାର ସିଷ୍ଟମ କରାଯାଇଥାଏ। ଏହି ସୋଲାରରୁ ଦିନରେ ସୂର୍ଯ୍ୟକିରଣ ନେଇ ରାତିରେ ଜାହାଜକୁ ସମୁଦ୍ରର ଆଲୋକ ଦେଖାଉଥିବାରୁ ଜାହାଜର କ୍ୟାପଟେନ୍ ସମୁଦ୍ର ପଥରେ ଜାହାଜକୁ ଦୂରଦୂରନ୍ତ ସ୍ଥାନକୁ ନିରାପଦରେ ଦିଗ କଢାଇ ନେଇଥାଏ l ଜାହାଜର କ୍ୟାପଟେନ୍ ଏହି ଦିଗ ନିର୍ଣ୍ଣୟ ଯନ୍ତ୍ର (ବୟାଁ)କୁ ଲକ୍ଷ କରି ଗନ୍ତବ୍ୟ ସ୍ଥଳକୁ ଯାଇଥାଏ l ସୂଚନାନୁଯାୟୀ, ଉକ୍ତ ଜାହାଜ ନିର୍ଣ୍ଣାୟକ ଯନ୍ତ୍ର ଗତ ୧୧l୪l୨୪ରେ ଗଭୀର ସମୁଦ୍ରରୁ ଭାସି ଆସି ବାଲେଶ୍ୱର ଜିଲା ଉଦୟପୁର ବେଳାଭୂମିରେ ଲାଗିଥିଲା।