ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରିବାରେ ଅହେତୁକ ବିଳମ୍ବ କରାଯାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗୋଟିଏପଟେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଲୋକେ ହଟହଟା ହେଉଥିବା ବେଳେ ଅନ୍ୟପଟେ ନିର୍ମାଣ ଶେଷ ହୋଇଥିବା ସବ୍ଷ୍ଟେସନ କାର୍ଯ୍ୟକ୍ଷମ ନ ହେବା ଉପଭୋକ୍ତାଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇଛି।
ପ୍ରକାଶ ଯେ, ଦାରିଙ୍ଗବାଡ଼ିଠାରୁ ସିମନବାଡ଼ି ପର୍ଯ୍ୟନ୍ତ ୧୧ କେଭି ଫିଡର ରହିଛି। ଏହି ଫିଡର ଉପରେ ସିମନବାଡ଼ି ସମେତ ଶ୍ରାନିକେତା, କିରିକୁଟି, ତିଲୋରୀ, ବୁଡ଼ାଗୁଡ଼ା, ଗୁମିକିଆ, କୋଟଗଡ଼ ବ୍ଲକର ପକାରୀ ଏବଂ ବାଲିଗୁଡ଼ା ବ୍ଲକର ଋତୁଙ୍ଗିଆ ପଞ୍ଚାୟତ ବିଦ୍ୟୁତ ଯୋଗାଣ ପାଉଛନ୍ତି। ଗୋଟିଏ ଫିଡର ଉପରେ ଏତେଗୁଡ଼ିଏ ପଞ୍ଚାୟତ ନିର୍ଭର କରୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ଦୀର୍ଘ ଦୂରତା ପର୍ଯ୍ୟନ୍ତ ଟଣାଯାଇଛି। ଫଳରେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ବିଦ୍ୟୁତ ସରବରାହ ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି।
ଚଳିତବର୍ଷ ଲଘୁଚାପଜନିତ ବର୍ଷା ଓ ଖରାପ ପାଣିପାଗ ଯୋଗୁଁ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଦେଖାଦେଇଛି। ଏହାର ସୁଧାର ପାଇଁ ସିମନବାଡ଼ିଠାରେ ଏକ ସବ୍ଷ୍ଟେସନ ନିର୍ମାଣ କରାଯାଇ ସିମନବାଡ଼ି, କିରିକୁଟି ଓ ବୁଡ଼ାଗୁଡ଼ା ପାଇଁ ୩ଟି ଫିଡର ମାଧ୍ୟମରେ ବିଦ୍ୟୁତ ଯୋଗାଣର ବ୍ୟବସ୍ଥା କରାଯାଇଥିଲା। ସବ୍ଷ୍ଟେସନ ନିର୍ମାଣ ସହ ଆବଶ୍ୟକ ମେସିନ, ଉଚ୍ଚକ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର, ଅଧିକାରୀଙ୍କ ପାଇଁ କାର୍ଯ୍ୟାଳୟ, ସୁରକ୍ଷା କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା ଓ ଇଣ୍ଟରନେଟ୍ ଆଦିର ବ୍ୟବସ୍ଥା ମଧ୍ୟ କରାଯାଇଛି।
ହେଲେ ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ସବ୍ଷ୍ଟେସନରୁ ଫିଡରଗୁଡ଼ିକୁ ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇନାହିଁ। ଫଳରେ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏନେଇ ବିଭାଗର ଜିଲା ମୁଖ୍ୟ ତଥା ନିର୍ବାହୀ ଯନ୍ତ୍ରୀ ଇଂ. ମାନସ ରଞ୍ଜନ ମହାରଣାଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କହିଛନ୍ତି ଯେ, ସବ୍ଷ୍ଟେସନର ୯୦ ପ୍ରତିଶତ କାର୍ଯ୍ୟ ସରିଛି। ଏହାକୁ ପରିଚାଳନା କରିବା ପାଇଁ ୪ ଜଣ କର୍ମଚାରୀଙ୍କୁ ଚୟନ କରାଯାଇଛି। ସେଥିମଧ୍ୟରୁ ୨ ଜଣଙ୍କ ତାଲିମ ଶେଷ ହୋଇଛି। ଅନ୍ୟ ୨ ଜଣ କର୍ମଚାରୀ ଛୁଟିରେ ଥିବାରୁ ସବ୍ଷ୍ଟେସନଟି କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଛୁଟିରେ ଥିବା ୨ ଜଣ କର୍ମଚାରୀ ଫେରିବା ପରେ ସେମାନଙ୍କୁ ତାଲିମ ଦିଆଯିବ ଏବଂ ଚଳିତ ମାସ ଶେଷ ସୁଦ୍ଧା ସବ୍ଷ୍ଟେସନକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି।
ତେବେ ୨ ଜଣ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହୋଇ ନ ପାରିବା ଦୁର୍ଭାଗ୍ୟଜନକ ବୋଲି ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ, ବୁଡ଼ାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ସିମନବାଡ଼ି ସମିତିସଭ୍ୟ ସାଧୁ ନାୟକ, ବଣିକ ସଂଘ ସଭାପତି ମହେଶ ସାହୁ ଏବଂ ବାରମ୍ବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଆସୁଥିବା ଯୁବକ ଅମରେନ୍ଦ୍ର ପ୍ରଧାନ ପ୍ରମୁଖ କହିଛନ୍ତି।
ସବ୍ଷ୍ଟେସନକୁ ତୁରନ୍ତ କାର୍ଯ୍ୟକ୍ଷମ କରା ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।