ଅଳ୍ପକେ ସଫଳତା-ରୁଗ୍‌ଣ ମାନସିକତା

ଡ.ମୌସୁମୀ ପରିଡ଼ା

ବିଭିନ୍ନ ଗପ ମାଧ୍ୟମରେ ଜୀବନଧାରଣକୁ ସରଳ ଓ ମାର୍ଜିତ କରିବାର ପ୍ରୟାସ କରାଯାଇଛି। ସେ ଈଶପ୍‌ଙ୍କ ଗପ ହେଉ ବା ପଞ୍ଚତନ୍ତ୍ର, ଜହ୍ନମାମୁ ଗପ ହେଉ ବା ଆଈ ମାଆ କାହାଣୀ… ଏ ସବୁରେ ଜୀବନକୁ ବଞ୍ଚତ୍ବାର କଳାକାରୀ! ଈଶପ୍‌ଙ୍କ ଠେକୁଆ-କଇଁଛ ଗପ ଆମ ସମସ୍ତଙ୍କୁ ପ୍ରାୟ ଜଣା। କଇଁଛର ସ୍ଥିର ଅବିଚଳିତ ଓ ଅଟଳ ଲକ୍ଷ୍ୟ ହିଁ ତାକୁ ବିଜୟୀ କଲା। ଠେକୁଆର ସାମର୍ଥ୍ୟ ଥିଲେ ମଧ୍ୟ ପ୍ରତିଯୋଗୀକୁ ଖାତିର ନ କରି ନିଜ ଶକ୍ତିକୁ ଅତିରଞ୍ଜିତ ଭାବି ଅହମିକାର ଶିକାର ହେବା ଯୋଗୁ ପରାଜୟ ଭୋଗିଲା। ଆମ ପୁରାଣଶାସ୍ତ୍ରକୁ ଗଲେ ଯେତେବେଳେ କାର୍ତ୍ତିକେୟ ଓ ଗଣେଶଙ୍କ ଭିତରେ ଶ୍ରେଷ୍ଠତାକୁ ନେଇ ପ୍ରଶ୍ନ ଉଠିଲା, ପିତା ମହାଦେବ ମଧ୍ୟ ଦୁଇ ପୁଅଙ୍କ ମଧ୍ୟରେ ପ୍ରତିଯୋଗିତା କରାଇଲେ- କିଏ ଖୁବ୍‌ ଶୀଘ୍ର ବିଶ୍ୱକୁ ପ୍ରଦକ୍ଷିଣ କରି ଫେରିଆସିପାରିବ? କାର୍ତ୍ତିକ ମୟୂର ନେଇ ଉଡ଼ିଗଲେ ବିଶ୍ୱ ଭ୍ରମଣ ଉଦ୍ଦେଶ୍ୟରେ। ହେଲେ ଗଣେଶ ନିଜ ବୁଦ୍ଧିମତ୍ତାର ପରିଚୟ ଦେଇ ପିତାମାତାଙ୍କ ଚାରିପଟେ ବୁଲିଆସି ପ୍ରମାଣ କରିଦେଲେ ଯେ ପିତାମାତା ହିଁ ସାରା ବିଶ୍ୱ।
ଦୁଇ ପ୍ରକାରର ପ୍ରତିଯୋଗିତା ଦୁଇଟି ଭିନ୍ନ କଥା କହେ। ଗୋଟେ ଅହଙ୍କାରର, ଅନ୍ୟଟି ବୁଦ୍ଧିମତ୍ତାର। ଆଜିକାଲି ସବୁଠାରେ ଏଭଳି ଅନେକ ପ୍ରତିଦ୍ୱନ୍ଦ୍ୱିତା। ଅଜାଣତେ ସମସ୍ତେ ସେ ଦୌଡ଼ରେ ସାମିଲ ହେବାକୁ ବାଧ୍ୟ। ପାଠ, ଚାକିରି, ରୋଜଗାର, ପ୍ରମୋଶନ୍‌, ଜମାପୁଞ୍ଜି, ଜୀବଶୈଳୀଠାରୁ ଆରମ୍ଭ କରି ଦୋକାନ ବଜାର, ବ୍ୟାଙ୍କ୍‌, ପୋଷ୍ଟ ଅଫିସ୍‌ରେ ଲମ୍ବିଥିବା ଧାଡ଼ିଗୁଡ଼ିକରେ ବି ପ୍ରତିଦ୍ୱନ୍ଦ୍ୱିତା। ବି.ପି.ଏଲ୍‌. ଚାଉଳ ବା ଭତ୍ତା ନେବା ପାଇଁ ଲୋକମାନଙ୍କ ଭିତରେ ପ୍ରତିଯୋଗିତା। ବସ୍‌ରେ ସିଟ୍‌ ଖଣ୍ଡେ ପାଇବାଠାରୁ ପ୍ରମୋଶନ୍‌ ପାଇବା ପର୍ଯ୍ୟନ୍ତ ସବୁ ଜାଗାରେ ପ୍ରତିଦ୍ୱନ୍ଦ୍ୱିତା। ଦେଶ କିମ୍ବା ଅଞ୍ଚଳ ମଧ୍ୟରେ ପ୍ରତିଯୋଗିତା। ତୃଣମୂଳ ସ୍ତରରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା। ପରିବାରରେ ବି ସମ୍ପତ୍ତି ଭାଗବଣ୍ଟା ଓ ମା’ବାପାଙ୍କ ସ୍ନେହଶ୍ରଦ୍ଧାକୁ ନେଇ ଭାଇ ଭାଇ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା। ସଫଳ ହେବାକୁ ନାନା ପ୍ରକାରର ଅଭିସନ୍ଧି, ଷଡ଼ଯନ୍ତ୍ର! କାହାକୁ ରାସ୍ତାରୁ ହଟେଇବାକୁ କିମ୍ବା ସଫଳତା ପାଇଁ ଅଳ୍ପ ବାଟ ବା ଶର୍ଟକଟ୍‌ ରାସ୍ତା ଆପଣେଇ ଜିତିବାର ଲାଳସା ସବୁରି ମନରେ। ଆମ ଜୀବନଶୈଳୀ ‘ଶର୍ଟକଟ୍‌-ଆଧାରିତ’ ହୋଇଯାଉଛି। ଶର୍ଟକଟ୍‌ ମାୟାରେ ମଣିଷ ଅନୈତିକ ଉପାୟ ଅବଲମ୍ବନ କରେ। ଅପର୍ଯ୍ୟାପ୍ତ ଭୁଲ୍‌ କରେ, ଅସଂଖ୍ୟ ମିଛ କହେ, ପଥ ହୁଡ଼େ, ଅହଙ୍କାରପ୍ରବଣ ହୁଏ।
ମନସ୍ତତ୍ତ୍ୱ ଅନୁସାରେ ମଣିଷ ମୋହାସକ୍ତ ହୋଇ ବଞ୍ଚତ୍ବାକୁ ସୁଖ ପାଏ। ସେ ଆସକ୍ତି ପାର୍ଥିବ ଅପାର୍ଥିବ, ଶାରୀରିକ ମାନସିକ, ଆକାର ନିରାକାର ଯାହାଙ୍କ ସହିତ ବି ହେଉ। କିନ୍ତୁ ଅତ୍ୟଧିକ ଆସକ୍ତି ମନକୁ ବିଚଳିତ ଓ ହୃଦୟକୁ ଆନ୍ଦୋଳିତ କରୁଥାଏ। ଜୀବନକୁ ଏଭଳି ଭାବରେ ନିୟନ୍ତ୍ରଣ କରେ, ଲାଗେ ନିଜ ମନ ବି ନିଜ ଆୟତ୍ତରେ ନାହିଁ। ମଣିଷ ସ୍ବପ୍ନ ଦେଖେ, ତାକୁ ସାକାର କରିବାକୁ ବୁଦ୍ଧି ଖେଳାଏ। ବିଭିନ୍ନ ସନ୍ଧି କରି ଅଳ୍ପ ବାଟ ଖୋଜେ ସଫଳତା ପାଇଁ। ସମୟ ବା ଅର୍ଥ ବଞ୍ଚେଇବା ପାଇଁ ବା ପ୍ରତିଷ୍ଠା ହାସଲ କରିବାକୁ ସମସ୍ତେ ଏବେ ‘ଶର୍ଟକଟ୍‌୍‌’ ମାୟାରେ।
ଏସବୁ ଭିତରେ ଜୀବନ ବି କେତେବେଳେ ଶର୍ଟକଟ୍‌ ହୋଇଯାଏ ସେଥିପ୍ରତି ନଜର ନଥାଏ! ଶୀଘ୍ରତାରେ ଧୈର୍ଯ୍ୟହରା ହୋଇ ବହୁତ କିଛି ଅଣଦେଖା ଓ ଉପେକ୍ଷିତ ରହିଯାଏ। ଅସରନ୍ତି ଲକ୍ଷ୍ୟ ସମସ୍ତଙ୍କର। ଗୋଟେ ଲକ୍ଷ୍ୟ ହାସଲ କଲା ପରେ ଆଉ ଏକ ନୂଆ ଲକ୍ଷ୍ୟ ମିଳିଯାଏ ଅଜାଣତେ। କିନ୍ତୁ ପର୍ବତ ଆରୋହୀ ଜାଣେ ଶିଖରକୁ ଯିବା ପାଇଁ ସେ ଧାଇଁପାରିବନି କିମ୍ବା ହେଲିକପ୍ଟର ବ୍ୟବହାର କରିବନି, ଗୋଟେ ଗୋଟେ ପାଦ ପକେଇ ଉପରକୁ ଉଠିବ। ଦୌଡ଼ାଳିଟିଏ ନିଜ ଟ୍ରାକ୍‌ ଭିତରେ ଥାଇ ଧାଇଁବ, ଶର୍ଟକଟ୍‌ ରାସ୍ତା ପାଇଁ ଅନ୍ୟ ଟ୍ରାକ୍‌ରେ ଧାଇଁଲେ ସେ ଅଯୋଗ୍ୟ ଘୋଷିତ ହେବ। ତେଣୁ ସବୁ କିଛି ମର୍ଯ୍ୟାଦାସମ୍ପନ୍ନ ହେବା ଉଚିତ। ପ୍ରକୃତ ସତ୍ୟ ନିଜ ମନ ହିଁ ଜାଣିିପାରେ! ସଫଳତା ପାଇଁ ଅନେକ ସନ୍ଧି, ଅଭିସନ୍ଧି, ତ୍ୟାଗ, ଭୋଗ; ତେବେ ବି ଅସନ୍ତୁଷ୍ଟ ମନ। ସେଥିପାଇଁ ଆଜୀବନ ଘୋଡ଼ାଦୌଡ଼, ଅସଂଖ୍ୟ ସ୍ବପ୍ନ ପୁଣି ଅସରନ୍ତି ଜଞ୍ଜାଳ। ମଣିଷ ଗୋଟେ ପରେ ଗୋଟେ ଟ୍ରାକ୍‌ରେ ଧାଉଁଛି ଜିତିବା ନିଶାରେ। ଯାହାପାଇଁ ଯେକୌଣସି ଷଡ଼ଯନ୍ତ୍ର ରଚିବାକୁ ପ୍ରସ୍ତୁତ। ଏ ଗୋଟେ ପ୍ରକାରର ଶୋଷ, ଯାହା ପାଣିଦ୍ୱାରା ମେଣ୍ଟେନି ଓଲଟା ବେଳକୁବେଳ ବୃଦ୍ଧି ହେଉଥାଏ। ଯନ୍ତ୍ର ଆମକୁ ଶର୍ଟକଟ୍‌ ହେବା ଶିଖେଇଛି। ପୂର୍ବ ପରି କାମ ଆଉ କଷ୍ଟକର ହୋଇ ରହିନାହିଁ।
ଯନ୍ତ୍ର ଆମ ଜୀବନର ଅବିଚ୍ଛେଦ୍ୟ ଅଂଶ ପାଲଟିଗଲାଣି। ମୋବାଇଲ୍‌ ପରି ଏକ ଛୋଟିଆ ଯନ୍ତ୍ର ବିନା ଆମେ ଗୋଟେ ପାଦ ବି ଆଗକୁ ଯାଇପାରୁନାହେଁ। କୌଣସି ଆମତ୍ୀୟସ୍ବଜନଠାରୁ ଅଧିକ ଜରୁରୀ ହୋଇପଡିଛି ମୋବାଇଲ୍‌। ସୋସିଆଲ୍‌ ମିଡିଆର ଶର୍ଟକଟ୍‌ ଉପାୟରେ ବିଜ୍ଞପିତ ହୋଇ ସଫଳତାର ପାହାଚ ଚଢ଼ିବା ଆଜିକାଲି ବେଶ୍‌ ସହଜ। କିନ୍ତୁ ସେ ଶ୍ରଦ୍ଧାରେ ସଚ୍ଚୋଟତା, ସତ୍ୟତା କେତେ ଭାବିବାର କଥା। ଇତିହାସ ସାକ୍ଷୀ ଦେଣନେଣ ସମ୍ପର୍କରେ ଆମତ୍ୀୟତା କେବେ ଚିରସ୍ଥାୟୀ ନୁହେଁ। ମୋବାଇଲ୍‌ ମାୟାରେ ଆମତ୍ୀୟର ମୃତ୍ୟୁ ଲୋକମାନଙ୍କୁ ସେତିକି ପ୍ରଭାବିତ କରିପାରୁନାହିଁ। ଏହି ଯନ୍ତ୍ରଟି ଲୋକମାନଙ୍କୁ ବୈରାଗ୍ୟ ଶିଖାଇଦେଇଛି ଯେପରି! ସ୍ଥଳବିଶେଷରେ ମାଆର ଆମତ୍ୀୟତା, ସ୍ତ୍ରୀର ସଚ୍ଚୋଟତା, ପିଲା ଓ ବନ୍ଧୁବାନ୍ଧବମାନଙ୍କ ମୋହଠାରୁ ଫେସ୍‌ବୁକ୍‌ର ଫେକ୍‌ ଲାଇକ୍‌, କମେଣ୍ଟ୍‌ସ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି! ପୁଅଟିଏ ମାଆ ଶବ ସହିତ ଫଟୋ ଉଠେଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରୁଛି ତ ଆଉ କେହି ଜୁଇ ନିଆଁ ସହ ଫଟୋ ପୋଷ୍ଟ କରି ଲାଇକ୍‌ସ, କମେଣ୍ଟ୍‌ସର ଆଶ୍ୱାସନାରେ ସନ୍ତୁଷ୍ଟ ହେଉଛି।
ଏ ଯୁଗ ବ୍ୟାପ୍ତିର ବା ବିସ୍ତୃତିର ଯୁଗ। ଯନ୍ତ୍ର ଦ୍ୱାରା ଲୋକେ ଦେଶ ବିଦେଶର କଥା ପ୍ରାଞ୍ଜଳ ଭାବେ କହି ନିଜ ବିଚାର ବ୍ୟକ୍ତ କରିପାରିବେ, କିନ୍ତୁ ତିନିଟା ଘର ଛାଡ଼ି ରହୁଥିବା ଲୋକଟିର ଦୁଃଖ ଜାଣିନଥିବେ। ନିଜ ଜଞ୍ଜାଳ ଜାଲରେ ଅନ୍ୟମାନେ ସ୍ମୃତି ପରିସରଠାରୁ ଦୂରେଇ ଯାଉଛନ୍ତି। କାରଣ ଶର୍ଟକଟ୍‌ ଜୀବନଶୈଳୀ ଆମକୁ କେବଳ ସ୍ବାର୍ଥସର୍ବସ୍ବ ଓ ଅର୍ଥସର୍ବସ୍ବ କରିଦେଇଛି। ସବୁ କାମ ଶୀଘ୍ରାତିଶୀଘ୍ର ସାରିବା, ଶୀଘ୍ର ଅଫିସ୍‌ରେ ପହଞ୍ଚତ୍ ଘରକୁ ଫେରିବା ଭିତରେ ଜୀବନ ବି ଶର୍ଟକଟ୍‌ ହୋଇଯାଉଛି। ଫଳରେ ରାସ୍ତାରେ ଦୁର୍ଘଟଣା! ମନରେ ବି ଦୁର୍ଘଟଣା! ପରିଣାମ ସ୍ବରୂପ ବ୍ରେନ୍‌ ଷ୍ଟ୍ରୋକ୍‌, ହାର୍ଟ ଷ୍ଟ୍ରୋକ୍‌, ମୁହୂର୍ତ୍ତକ ଭିତରେ ଜୀବନ ଶେଷ! ଆମ୍ବୁଲାନ୍ସ ସେତେବେଳେ ଯେତେ ଶୀଘ୍ର ଶର୍ଟକଟ୍‌ ରାସ୍ତାରେ ନେଲେ ବି ଜୀବନ ଓ ମୃତ୍ୟୁ କୋଉ କାହା କଥା ମାନେ! କାରଣ ଅନ୍ୟକଥାକୁ ଶୁଣିବାର ସମୟ ଓ ଧୈର୍ଯ୍ୟ ବହୁତ ଲୋକଙ୍କର ନାହିଁ। ତା’ ମାନେ ନୁହେଁ ଯେ କହିବା ଛାଡ଼ିଦେବା।
ଶର୍ଟକଟ୍‌ ମାର୍ଗଟି କୋଉ ମୁହୂର୍ତ୍ତରେ ପ୍ରାଣ ନେଇପାରେ। କିନ୍ତୁ କଷ୍ଟରେ ମିଳୁଥିବା ଜିନିଷ ଆଜୀବନ ମନକୁ ଆଚ୍ଛନ୍ନ କରି ରଖେ, ସେ ସିଦ୍ଧି ହିଁ ପ୍ରକୃତ ସିଦ୍ଧି। ଗଛରେ ଫଳ ପ୍ରାକୃତିକ ଉପାୟରେ ପାଚିଲେ ଯେତିକି ସ୍ବାଦିଷ୍ଠ ଲାଗେ, ତାକୁ କାର୍‌ବାଇଡ୍‌ ଦ୍ୱାରା ପଚାଇଲେ ସେତିକି ସ୍ବାଦୁକର ହୁଏନାହିଁ। ଓଲଟା ରାସାୟନିକ ପଦାର୍ଥ ଦ୍ୱାରା ପରୋକ୍ଷରେ ବିଷ ଖାଇବାକୁ ପଡ଼େ। ତେଣୁ ଶର୍ଟକଟ୍‌ର ମାୟା ଆମ ଜୀବନକୁ ବିପନ୍ନ ନ କରୁ। ସବୁ କିଛି ଶର୍ଟକଟ୍‌ରେ ମିଳିଗଲେ ଅନୁଭବ, ତୃପ୍ତି, ସଫଳତା, ସମ୍ପର୍କମାନଙ୍କ ଆୟୁଷ ଶର୍ଟକଟ୍‌ ହେଇଯିବନି ତ? ତା’ ସହିତ ପରମାୟୁ…? ଏସବୁ ପ୍ରଶ୍ନର ଉତ୍ତର ଆମ ପାଖରେ ରହିଛି।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri