Categories: ରାଜ୍ୟ

ଧଳ ଭ୍ରାତାଙ୍କ ଘରୁ ମିଳିଲା ବିପୁଳ ପରିମାଣର ବନ୍ଧୁକ, ଗୁଳି

ଭୁବନେଶ୍ୱର,୧୧।୧୨- ଚାରି ବର୍ଷ ତଳେ ଗିରଫ ହୋଇଥିବା ଧଳ ସାମନ୍ତ ଭ୍ରାତାଙ୍କ ଘରର ଇଣ୍ଟେରିୟର ଭିତରୁ ମିଳିଛି ୧୬ ଚୋରା ବନ୍ଧୁକ ଓ ୧୦୯୫ ଗୁଳି। ୨୦୧୬ରେ ଗିରଫ ହେବା ପୂର୍ବରୁ ସେମାନେ ଏହି ବନ୍ଧୁକ ଲୁଚାଇଥିଲେ। ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରୁଥିବା ପୋଲିସ ଧଳ ଭ୍ରାତାଙ୍କୁ ରିମାଣ୍ଡରେ ଆଣିବ। ଏ ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଟ୍ବିନ ସିଟି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ।

୨୦୧୬ରେ ଧଳ ଭ୍ରାତାଙ୍କ ସହ ଗିରଫ ହୋଇଥିଲେ ପ୍ରକାଶ ବେହେରା। ବେଲ୍‌ରେ ବାହାରିବା ପରେ ପ୍ରକାଶ ଚୋରା ବନ୍ଧୁକ ବ୍ୟବସାୟ ଚଳାଇଥିଲେ। ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ପତି ଖବର ପାଇ ପ୍ରକାଶଙ୍କୁ ଗିରଫ କରିବା ସହ ଜବତ କରିଥିଲେ ୨ଟି ବନ୍ଧୁକ। ଜେରା ବେଳେ ସରୋଜ ସେଠୀଙ୍କ ନାମ ନେଇଥିଲେ ପ୍ରକାଶ। ଏହି ଆଧାରରେ ସରୋଜଙ୍କୁ ଜେରା ବେଳେ ମିଳିଥିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଏହାପରେ ଧଳ ଭ୍ରାତାଙ୍କ ସିଡିଏସ୍ଥିତ ଘରେ ବିପୁଳ ପରିମାଣର ବନ୍ଧୁକ ଓ ଗୁଳି ଥିବା ଖବର ପାଇଥିଲା ପୋଲିସ। ବନ୍ଧୁକଗୁଡ଼ିକ ବିହାରର ମୁଙ୍ଗେରରୁ ଚାଲାଣ କରାଯାଉଥିଲା। ୨୦୧୬ରେ ଗିରଫ ହେବା ପୂର୍ବରୁ ଦୁଇ ଭାଇ ଏହାକୁ ଲୁଚାଇଥିଲେ ବୋଲି ପୋଲିସ କମିଶନର କହିଛନ୍ତି।