ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ ଗଢ଼ିବା’ର ସ୍ବପ୍ନ ଦେଖିଥିଲେ, ସେହି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଆଜି ନିଜ ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଛି। ବନ ବିଦ୍ୟାଳୟ ଭାବେ ଗଢ଼ିଉଠିଥିବା ଏହି ଅନୁଷ୍ଠାନ ୧୯୦୯ ଅଗଷ୍ଟ ୧୨ରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଭାବେ ପ୍ରତିଷ୍ଠିତ ହେଲା। ୧୧୭ ବର୍ଷର ପୁରୁଣା କୋଠା ଏବେ ଜରାଜୀର୍ଣ୍ଣ, ସ୍ମାରକୀ ଧ୍ୱଂସମୁଖୀ, ବିପଦସଙ୍କୁଳ ଶ୍ରେଣୀଗୃହରେ ତାଲା ଏବଂ ପ୍ରାୟ ୬୦ ଲକ୍ଷ ଟଙ୍କାର ସ୍ମାର୍ଟ ସ୍କୁଲ ରୂପାନ୍ତରଣରେ ନିର୍ମିତ ଶ୍ରେଣୀଗୃହ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି।
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଏକଦା ୮୦୦ରୁ ଊର୍ଦ୍ଧ୍ୱ ପିଲା ପଢ଼ୁଥିବାବେଳେ ଉପଯୁକ୍ତ ଶିକ୍ଷା ବାତାବରଣ ଓ ଆବଶ୍ୟକ ଭିତ୍ତିଭୂମିର ଅଭାବରୁ ଏବେ ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ୩୮୯ ଛାତ୍ରୀଛାତ୍ର ପଢ଼ୁଛନ୍ତି। ୧୪ ଶିକ୍ଷୟିତ୍ରୀଶିକ୍ଷକଙ୍କ ମଧ୍ୟରୁ ୧୨ ଜଣ ହାଇସ୍କୁଲ ଓ ୨ ଜଣ ପ୍ରାଥମିକସ୍ତରରେ ଶିକ୍ଷାଦାନ କରୁଛନ୍ତି। ବିଜ୍ଞାନ ଓ ହିନ୍ଦୀ ବିଷୟରେ ଦୁଇଟି ଶିକ୍ଷକ ପଦବୀ ଖାଲିପଡ଼ିଛି। ତେବେ ଶ୍ରେଣୀଗୃହ ଅଭାବରୁ ପାଠପଢ଼ା ବଡ଼ ସମସ୍ୟା ପାଲଟିଛି। ମୋଟ ୧୪ ଶ୍ରେଣୀଗୃହ ମଧ୍ୟରୁ ୫ଟି ବିପଦସଙ୍କୁଳ ହୋଇଥିବାରୁ ବ୍ୟବହାର କରାଯାଉନାହିଁ। ପାଠାଗାର ଛାତ ନଷ୍ଟ ହୋଇଥିବାରୁ ବର୍ଷାଦିନେ ପାଣି ଗଳି ପୁସ୍ତକ ଓ ଆସବାବପତ୍ର ନଷ୍ଟ ହେଉଛି। ଦୁଇଟି ଶୌଚାଳୟ ମଧ୍ୟରୁ ଗୋଟିଏ କାର୍ଯ୍ୟକ୍ଷମ ଓ ଅନ୍ୟଟି ଅଧାପନ୍ତରିଆ ଅବସ୍ଥାରେ ରହିଛି। ପୂର୍ବ ସରକାରଙ୍କ ସମୟରେ ପୁରୁଣା କୋଠାର କେତେକ ଶ୍ରେଣୀଗୃହକୁ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ କ୍ଲାସ୍ରୁମ୍, ସ୍ମାର୍ଟ ବିଜ୍ଞାନ ଗୃହ ଓ ସ୍ମାର୍ଟ ଲାଇବ୍ରେରିରେ ରୂପାନ୍ତର କରାଯାଇଥିଲା। ତେବେ ଉଦ୍ଘାଟନର ପ୍ରାୟ ୬ ମାସ ମଧ୍ୟରେ କେଉଁଠି ଛାତରୁ ପ୍ଲାଷ୍ଟର ଖସିଲାଣି ତ ଆଉ କେଉଁଠି ବର୍ଷାଜଳ ପଶି ବିଜ୍ଞାନ ଉପକରଣ ନଷ୍ଟ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଉପଯୁକ୍ତ ପ୍ରାଚୀର ନ ଥିବାରୁ ବୁଲାଗୋରୁ ପଶି ଅପରିଷ୍କାର କରୁଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଅମିତା ସେନାପତି କହିଛନ୍ତି, ବିଦ୍ୟାଳୟରେ ଶିକ୍ଷାଦାନ ଠିକ୍ ଭାବେ ଚାଲିଛି। ତେବେ ଭିତ୍ତିଭୂମି ସଜଡ଼ାଯିବା ଆବଶ୍ୟକ। ଗତ ୫ ବର୍ଷ ଭିତରେ ମରାମତି ପାଇଁ ଅଢ଼େଇ ଲକ୍ଷ ଟଙ୍କା ବ୍ୟତୀତ ଅନ୍ୟ କିଛି ଅନୁଦାନ ମିଳିନାହିଁ ବୋଲି ସେନାପତି କହିଛନ୍ତି। ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଣବ କୁମାର ମିଶ୍ର କହିଛନ୍ତି, ବିଦ୍ୟାଳୟର ଐତିହାସିକ ଗୁରୁତ୍ୱକୁ ଅକ୍ଷୁଣ୍ଣ ରଖି ଆଧୁନିକ ଶିକ୍ଷାର ଆବଶ୍ୟକତା ଅନୁଯାୟୀ ସର୍ବାଙ୍ଗୀନ ବିକାଶ କରାଯିବା ଆବଶ୍ୟକ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ମିଶ୍ର କହିଛନ୍ତି, ୧୧୭ ବର୍ଷର ଏହି ଐତିହ୍ୟସମ୍ପନ୍ନ ବିଦ୍ୟାଳୟରେ ଏବେ ବି ମୌଳିକ ସୁବିଧାର ଅଭାବ ରହିବା ଦୁଃଖଦାୟକ। ବିଦ୍ୟାଳୟରେ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ନ ଥିବାବେଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ପରିବେଷଣ ପାଇଁ ଉପଯୁକ୍ତ ସ୍ଥାନ ନାହିଁ। ସେହିପରି ଛାତ୍ରୀଛାତ୍ରଙ୍କ ହାତ ଧୋଇବା ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ନ ଥିବାରୁ ସମସ୍ୟା ଦେଖାଦେଉଛି। ବିଦ୍ୟାଳୟରେ ଆଉ ୨ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ତେଣୁ ବିଦ୍ୟାଳୟର ମୌଳିକ ଭିତ୍ତିଭୂମି ଓ ଶିକ୍ଷକ ଅଭାବ ସମସ୍ୟାର ସ୍ଥାୟୀ ସମାଧାନ କରି ଐତିହ୍ୟସମ୍ପନ୍ନ ଶିକ୍ଷାନୁଷ୍ଠାନର ଗରିମା ଫେରାଇ ଆଣିବାକୁ ସେ ସରକାର ଓ ସମ୍ପୃକ୍ତ ବିଭାଗକୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଜିଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ କହିଛନ୍ତି, ଐତିହ୍ୟ ବିଦ୍ୟାଳୟ ଓ ପିଏମ୍ଶ୍ରୀ ବିଦ୍ୟାଳୟରେ ଏହି ଶିକ୍ଷାନୁଷ୍ଠାନ ଅନ୍ତର୍ଭୁକ୍ତ ହୋଇଛି। ବିଦ୍ୟାଳୟର ଐତିହ୍ୟ ସୁରକ୍ଷା ସହ ଶୈକ୍ଷିକ କ୍ଷେତ୍ରକୁ ଅଧିକ ପ୍ରଭାବୀ କରାଯିବା ପାଇଁ ସରକାରୀ ସ୍ତରରେ କାର୍ଯ୍ୟ ଚାଲିଛି।