ଉଚ୍ଚଶିକ୍ଷିତ ଯୁବକଙ୍କୁ ରାସ୍ତାରେ ବାନ୍ଧି ପିଟିଲେ

ନବରଙ୍ଗପୁର/ଚନ୍ଦାହାଣ୍ଡି,୧ା୮(ବି.ପ୍ର/ ଡି.ଏନ୍‌.ଏ.): ଭୁଲିଗଲେ ମାନବିକତା। ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଚୋର କରି ବାନ୍ଧି ପିଟିଲେ। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତର ମୋତିଗାଁରେ ରବିବାର ଏଭଳି ଅମାନବୀୟ ଘଟଣା ଘଟିଛି। ଝରିଗାଁ ବ୍ଲକ ଡରକିଗୁଡ଼ା ଗ୍ରାମର ବୃନ୍ଦାବନ ସାନ୍ତାଙ୍କୁ କେତେଜଣ ବ୍ୟକ୍ତି ହାତବାନ୍ଧି ମାରିଛନ୍ତି। ମାଡ଼ ମାରିବା ପରେ ଅଭିଯୁକ୍ତମାନେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।
ସୂଚନା ଅନୁଯାୟୀ, ସକାଳେ ବୃନ୍ଦାବନ ବାଇକ ଯୋଗେ ତାଙ୍କର ସହପାଠୀ ଭୁଜବଳ ମାଝିଙ୍କ ନିକଟକୁ ଯାଇଥିଲେ। ଫେରିବା ସମୟରେ ରାସ୍ତାରେ ପେଟ୍ରୋଲ ସରିଯିବାରୁ ମୋତିଗାଁ ରାସ୍ତାପାର୍ଶ୍ୱରେ ବାଇକ୍‌ ରଖି ଗଛ ମୂଳରେ ବସିଥିଲେ। ଏହି ସମୟରେ ସ୍ଥାନୀୟ କେତେଜଣ ବ୍ୟକ୍ତି ବୃନ୍ଦାବନଙ୍କୁ ପିଲାଚୋର ଏବଂ ବାଇକ୍‌ ଚୋର କହି ହାତବାନ୍ଧି ଉଲଗ୍ନ କରି ନିର୍ଧୁମ ପିଟିଥିଲେ। ଚନ୍ଦାହାଣ୍ଡି ପୋଲିସ ପହଞ୍ଚି ବୃନ୍ଦାବନଙ୍କୁ ଉଦ୍ଧାର କରିବା ସହ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ଓ ତଦନ୍ତ ପରେ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶରୀରରେ ଗଭୀର ଆଘାତ ଲାଗିବା ସହ ସେ ଅଚେତ ଥିଲେ। ବୃନ୍ଦାବନଙ୍କ ବାପା ବୈଦ୍ୟ ସାନ୍ତା ଘଟଣା ନେଇ ମୋତିଗାଁ ଗ୍ରାମର କ୍ଷୀରଚନ୍ଦ୍ର ନାୟକ, ବବିନା ତ୍ରିପାଠୀ, ସିରାଜ ଶ୍ରୋ, ବୁଧେଶ୍ୱର ଶ୍ରୋ, କ୍ଷେତରାଜ ଶ୍ରୋ, ବନବାସୀ ନାୟକ, କପିଳ ରାଣା, ଦୁସା ତ୍ରିପାଠୀ, ଫୁଣ୍ଡେଲପଡ଼ା ଗ୍ରାମର ମୋହନ ନାୟକ, ଉଗ୍ରେସନ ପଟେଲନଙ୍କ ନାମରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଆଧାର କରି ଏକ ମାମଲା(୯୩/୨୨) ରୁଜୁ ସହ ତଦନ୍ତ ଆରମ୍ଭ କରାଯାଇଥିବା ଆଇଆଇସି ପ୍ରେମାନନ୍ଦ ସୁନାନି କହିଛନ୍ତି।
ସୂଚନାଯୋଗ୍ୟ, ବୃନ୍ଦାବନ କୋରାପୁଟସ୍ଥିତ ନବୋଦୟ ବିଦ୍ୟାଳୟରେ ପଢ଼ୁଥିଲେ। ଯୁକ୍ତ ୩ ପରେ ସେ ଚେନ୍ନାଇରେ ଏମ୍‌ଏ କରିଥିଲେ। ଏବେ ପଣ୍ଡିଚେରୀରେ ପିଏଚ୍‌ଡି କରୁଛନ୍ତି। ସେ ଅଲେଖ ଧର୍ମାବଲମ୍ବୀଙ୍କ ବେଶରେ ଥିବାବେଳେ ତାଙ୍କୁ ଲୋକେ ଚୋର ବୋଲି ଭାବିଥିଲେ। ପଡ଼ୋଶୀ କଳାହାଣ୍ଡି ଜିଲାରେ ଡକାୟତି ଦଳ ମାତିଥିବାରୁ ଅଞ୍ଚଳର ଲୋକେ ବାହାର ଲୋକଙ୍କୁ ସନ୍ଦେହ ନଜରରେ ଦେଖୁଛନ୍ତି। ଏ ନେଇ ପ୍ରଶାସନ ପକ୍ଷରୁ ସଚେତନ କରାଯିବା ଆବଶ୍ୟକ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।