ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ମହାନତା: ୨୧ ହଜାର ଟଙ୍କା ଫେରାଇଦେଲେ

ଫୁଲନଖରା,୧।୮(ଡି.ଏନ.ଏ.): ଅର୍ଥସର୍ବସ୍ବ ସମାଜରେ ଜଣେ ଗୁପ୍‌ଚୁପ୍‌ ବ୍ୟବସାୟୀ ଜଣେ ମହିଳାଙ୍କ ୨୧ ହଜାର ଟଙ୍କା ଫେରସ୍ତ କରି ମହାନତା ଦେଖାଇଛନ୍ତି। ସେ ହେଲେ କଟକ ଜିଲା ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ଅନ୍ତର୍ଗତ ମହୀଧରପଡା ରଙ୍ଗଣୀସାହିର ସୂର୍ଯ୍ୟକାନ୍ତ ସାହୁ। ପ୍ରତିଦିନ ମହୀଧରପଡା ହାଇସ୍କୁଲ ନିକଟରେ ସେ ଗୁପ୍‌ଚୁପ୍‌ ବିକ୍ରି କରନ୍ତି। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳାନ୍ତି। ଶନିବାର ସେ ଗୁପ୍‌ଚୁପ୍‌ ବିକ୍ରି କରୁଥିବା ସମୟରେ ହଠାତ୍‌ ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା। ଏଥିରେ ସେ ଜାଣିବାକୁ ପାଇଥିଲେ, ଫୁଲନଖରା କାନାରା ବ୍ୟାଙ୍କରେ ଥିବା ତାଙ୍କ ଆକାଉଣ୍ଟରେ ୨୧ହଜାର ଟଙ୍କା ଡିପୋଜିଟ୍‌ ହୋଇଛି। ତୁରନ୍ତ ସେ ବ୍ୟାଙ୍କକୁ ଯାଇ ମ୍ୟାନେଜରଙ୍କଠାରୁ ବୁଝିବାରୁ ଉକ୍ତ ଟଙ୍କା ପୁରୀ ବାଲିଘାଟ ସାହିର ଦାମିନୀ ପ୍ରଧାନଙ୍କର ବୋଲି ଜାଣିବାକୁ ପାଇଥିଲେ। ଏହାପରେ ସୂର୍ଯ୍ୟକାନ୍ତ ବ୍ୟାଙ୍କ ମ୍ୟାନେଜରଙ୍କଠାରୁ ମୋବାଇଲ ନମ୍ବର ଆଣି ଦାମିନୀଙ୍କୁ ଯୋଗାଯୋଗ କରିଥିଲେ। ଭୁଲ୍‌ ବଶତଃ ଟଙ୍କା ଟ୍ରାନ୍ସଫର ହୋଇଯାଇଛି ବୋଲି ଦାମିନୀ ସୂର୍ଯ୍ୟକାନ୍ତଙ୍କୁ କହିଥିଲେ। ଏହାପରେ ସୂର୍ଯ୍ୟକାନ୍ତ ଉକ୍ତ ଟଙ୍କା ଦାମିନୀଙ୍କ ଆକାଉଣ୍ଟରେ ଡିପୋଜିଟ୍‌ କରିଥିଲେ।