ଅମରପାଲି,୧୧।୯(ପୀତାମ୍ବର ସାହୁ):ପରମ୍ପରା ହିଁ ଗୋଟିଏ ଜାତିର ପରିଚୟ। ଯେଉଁ ପରମ୍ପରା ଲୋକଜୀବନ ସହ ପିଢି ପରେ ପିଢି ଯୋଡ଼ି ରହିଛି। ଏହା ହିଁ ହୋଇଯାଏ ଲୋକସଂସ୍କୃତିର ଅମୂଲ୍ୟ ସମ୍ପଦ। ସୁବର୍ଣ୍ଣପୁର ଜିଲାର ଏଭଳି ଏକ ନିଆରା ଲୋକ ପରମ୍ପରା ହେଉଛି ପୂରାଉଁଆସ। ଏହାକୁ ସପ୍ତପୁରୀ ଅମାବାସ୍ୟା ମଧ୍ୟ କୁହାଯାଏ। ଭାଦ୍ରବ ଅମାବାସ୍ୟା ତିଥିରେ ପାଳିତ ହେଉଥିବା ଏହି ପର୍ବରେ ପିଲାମାନଙ୍କ ଖେଳ ମାଧ୍ୟମରେ ପ୍ରତିଫଳିତ ହୁଏ ପୁରୁଣା ସାମାଜିକ ଜୀବନ, ଯୁଦ୍ଧ ପରମ୍ପରା ଓ ଘରସଂସାରର ଚିତ୍ର। ବୀରମହାରାଜପୁର, ସୁବଳୟା, ଉଲୁଣ୍ଡା, ଖଣ୍ଡହତା, ଅମରପାଲି, ମେଣ୍ଡାମାଳ, ଲୁତୁରପଙ୍କ, ପିତାମହୁଲ, ସଂଗ୍ରାମପୁର, ମୁର୍ଷୁଣ୍ଢୀ, କଳାପଥର, ଯାଲୋଏ, କୋଟସମଲାଇ, ପଞ୍ଚମହଲା, ନିମ୍ନ, ଲେହେଡି ଆଦି ଅଞ୍ଚଳରେ ଏହି ପର୍ବକୁ ବେଶ ଉତ୍ସାହ ଓ ଆଡ଼ମ୍ବରରେ ପାଳନ କରାଯାଏ। ପର୍ବକୁ ନେଇ ଏବେଠାରୁ ବିଭିନ୍ନ ହାଟବଜାରରେ ଚଳଚଞ୍ଚଳତା ଦେଖାଦେଇଛି। ବୀରମହାରାଜପୁର, ଉଲୁଣ୍ଡା ସମେତ ବିଭିନ୍ନ ହାଟରେ ମାଟି ଓ କାଠ ତିଆରି ଘୋଡ଼ା, ହାତୀ, ହନୁମାନ ଓ ବିଭିନ୍ନ ଖେଳନାର ପସରା ମେଲିଛି।
ପୂରାଉଁଆସର ବିଶେଷତ୍ୱ ହେଉଛି ଏହାର ଖେଳଧୁଳା। ପରମ୍ପରା ଅନୁଯାୟୀ ଛୋଟ ଝିଅମାନେ ଘରକରଣା ସାମଗ୍ରୀ ନେଇ ଖେଳିଥାନ୍ତି। ‘କୁଣ୍ଢିକାଚି’ ଭଳି ଖେଳ ମାଧ୍ୟମରେ ସେମାନେ ଘରସଂସାର ଓ ଦୈନନ୍ଦିନ ଜୀବନର ବିଭିନ୍ନ ଦିଗ ସହ ପରିଚିତ ହୁଅନ୍ତି। ସେହିପରି ପୁଅ ପିଲାମାନେ କାଠ କିମ୍ବା ମାଟିରେ ତିଆରି ଘୋଡ଼ା, ହାତୀ ଧରି ପରମ୍ପରାର ପ୍ରତୀକାତ୍ମକ ଖେଳ ଖେଳିଥାନ୍ତି। ଏଥିପାଇଁ ଗଁା ମୁଣ୍ଡରେ ସ୍ବତନ୍ତ୍ର ମଣ୍ଡପ ତିଆରି କରାଯାଇ ସଜ୍ଜିତ କରାଯାଏ। ପୂଜାର୍ଚ୍ଚନା ପରେ ଘୋଡ଼ା, ହାତୀ ଆଦି ଖେଳନାକୁ ବନ୍ଦାପନା କରାଯାଏ। ଛୋଟ ଝିଅପୁଅମାନେ ସୁସଜ୍ଜିତ ବେଶରେ ଗଁା ମୁଣ୍ଡକୁ ଯାଇ ସାମୂହିକ ଭାବେ ଖେଳିଥାନ୍ତି। ଏହା ପିଲାଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ସହ ସାମାଜିକ ଜୀବନର ଶିକ୍ଷା ଦେଇଥାଏ। ପୁରାଉଁଆସକୁ ନେଇ କୁମ୍ଭାର ଓ କାଠ କାରିଗରମାନେ ବହୁ ଆଗରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। କୁମ୍ଭାରମାନେ ମାଟିରେ ଘୋଡ଼ା, ହାତୀ, ହନୁମାନ ଆଦି ତିଆରି କରୁଥିବାବେଳେ ବଢ଼େଇମାନେ କାଠରେ ବିଭିନ୍ନ ଆକୃତିର ଘୋଡ଼ା ଓ ହାତୀ ତିଆରି କରନ୍ତି। ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମର କାଠ କାରିଗର ଅକ୍ରୂର ସାହୁ କହିଛନ୍ତି, ଚଳିତବର୍ଷ ସେ ପ୍ରାୟ ୧ ହଜାର କାଠ ଘୋଡ଼ା ଓ ହାତୀ ତିଆରି କରିଛନ୍ତି। ପ୍ରତିଟି ଖେଳନା ପ୍ରାୟ ୨୦୦ ଟଙ୍କା ଦରରେ ବିକ୍ରି କରୁଥିବାବେଳେ ପିଲାଙ୍କ ପାଇଁ ଅଭିଭାବକମାନେ ଆଗ୍ରହର ସହ ଏହାକୁ କିଣୁଛନ୍ତି। ପୁରାଉଁଆସ ପୂର୍ବରୁ ହାଟରୁ ଉଖୁଡ଼ା, ଚଣା, ରାଶି ଲଡୁ, ତିଆସି, ହରଡ଼ ଆଦି ସାମଗ୍ରୀ କିଣି ଘରକୁ ଅଣାଯାଏ। ପର୍ବଦିନ ଏସବୁକୁ ଏକ ଡାଲିଆରେ ସୁନ୍ଦର ଭାବେ ସଜାଯାଇଥାଏ। ପିଲାମାନଙ୍କ ଆନନ୍ଦ ପାଇଁ ପରିବାରର ବଡ଼ମାନେ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି। ବିଭିନ୍ନ ଅଞ୍ଚଳରେ ପୁରାଉଁଆସ ଅପରାହ୍ନରେ ପାଳନ କରାଯାଉଥିବାବେଳେ ସୁବଳୟାରେ ଏହାର ଉତ୍ସବ ରାତି ପର୍ଯ୍ୟନ୍ତ ଚାଲିଥାଏ। ସା ହେଲେ ମାଟିରେ ତିଆରି ହନୁମାନଙ୍କ ଲାଞ୍ଜରେ ନିଅଁା ଲଗାଇ ନଗର ପରିକ୍ରମା କରାଯାଏ। ଏହି ଦୃଶ୍ୟ ପର୍ବର ଅନ୍ୟତମ ଆକର୍ଷଣ ପାଲଟିଥାଏ। ବ୍ଲକର କେନଝିରିଆପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଦେହୁରୀ କହିଛନ୍ତି, ପୁରାଉଁଆସ ଆମ ସଂସ୍କୃତିର ଏକ ପରିଚୟ। ଛୋଟ ଝିଅପୁଅଙ୍କୁ ବଡ଼ ହେଲେ ଜୀବନଶୈଳୀ ସମ୍ପର୍କରେ ଜଣାଇବାର ଏକ ପରମ୍ପରା ଭାବେ ଏହି ପର୍ବ ପାଳିତ ହୋଇଆସୁଛି। ଏହା ଆମ ପୂର୍ବପୁରୁଷଙ୍କ ପରମ୍ପରା ଓ ସଂସ୍କୃତିକୁ ମନେ ପକାଇଥାଏ। ସେହିପରି ଅମରପାଲି ଗ୍ରାମର ମାମୁନି ସାହୁ କହିଛନ୍ତି, ପୂରାଉଁଆସ ପାଇଁ ଆମେ ଆଗରୁ ସମସ୍ତ ସାମଗ୍ରୀ ଯୋଗାଡ଼ କରିଥାଉ। ପର୍ବଦିନ ଅପରାହ୍ନରେ ସମସ୍ତେ ଏକାଠି ହୋଇ ଏହା ଆମର ପରମ୍ପରା ହୋଇଥିବାରୁ ଆମେ ବେଶ ଉତ୍ସାହର ସହ ପାଳନ କରିଥାଉ। ଆଧୁନିକତାର ଚାପରେ ଅନେକ ପୁରୁଣା ଲୋକପରମ୍ପରା ଧୀରେ ଧୀରେ ଲୋପ ପାଉଥିବାବେଳେ ସୁବର୍ଣ୍ଣପୁରର ପୂରାଉଁଆସ ଆଜି ବି ତା’ର ସ୍ବତନ୍ତ୍ର ପରିଚୟ ବଜାୟ ରଖିଛି।
Dharitri – Odisha’s No.1 Odia Daily

