ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ଝଲକ, ମହାନଦୀରେ ଜମ୍ବୁଦ୍ୱୀପ ବୋଇତ ବନ୍ଦାଣ: ମହାକାଳପଡ଼ାରେ ଉତ୍ସବମୁଖର କାର୍ତ୍ତିକ ପୂର୍ଣ୍ଣିମା

ମହାକାଳପଡ଼ା, ୨୪।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ପଞ୍ଚାୟତର ବାହାକୁଦସ୍ଥିତ ମହାନଦୀ କୂଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ଜମ୍ବୁଦ୍ୱୀପ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ଓ ଜମ୍ବୁଦ୍ୱୀପ ବୋଇତ ବନ୍ଦାଣ କମିଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମହାନଦୀରେ ସୁସଜ୍ଜିତ ବୋଇତରେ ସାଧବମାନେ ବାଣିଜ୍ୟ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ସାଧବାଣୀମାନେ ପାରମ୍ପରିକ ରୀତିରେ ସେମାନଙ୍କୁ ବନ୍ଦାପନା କରିଥିଲେ।

ପ୍ରାଚୀନ ପରମ୍ପରା ଅନୁଯାୟୀ, ଓଡ଼ିଶାର ସାଧବମାନେ ବୋଇତରେ ସାତ ସମୁଦ୍ର ପାର ହୋଇ ଦକ୍ଷିଣ-ପୂର୍ବ ଏସିଆର ଜାଭା, ସୁମାତ୍ରା, ବାଲି ଓ ଇଣ୍ଡୋନେସିଆ ଆଦି ଅଞ୍ଚଳକୁ ବାଣିଜ୍ୟ କରିବାକୁ ଯାଉଥିଲେ। ସେମାନେ ଓଡ଼ିଶାରୁ ଜଙ୍ଗଲଜାତ ଦ୍ରବ୍ୟ ଯଥା ଝୁଣା, ମହୁ, ଲାଖ ଓ ଔଷଧୀୟ ସାମଗ୍ରୀ ନେଇ ସେଠାରେ ବିକ୍ରି କରୁଥିଲେ ଏବଂ ସେଠାରୁ ହୀରା, ନୀଳା, ମୋତି ଓ ମାଣିକ ଆଦି ମୂଲ୍ୟବାନ ସାମଗ୍ରୀ ନେଇ ଫେରୁଥିଲେ ବୋଲି କିମ୍ବଦନ୍ତୀ ରହିଛି।

ଏହି ଅବସରରେ ଆୟୋଜିତ ସଭାରେ ପ୍ରାଚୀନ କିମ୍ବଦନ୍ତୀ ଓ ଐତିହାସିକ କାହାଣୀ ଉପରେ ପର୍ଯ୍ୟବେସିତ ‘ମହାନଦୀ’ ନାମକ ମୁଖପତ୍ରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଉତ୍ସବରେ ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଳା, ବିଡିଓ ମନୋଜ କୁମାର ନାୟକ, ଡ. ଦେବେନ୍ଦ୍ର ବେହେରା, ବିଷ୍ଣୁଚରଣ ବେହେରା, ନାରାୟଣ ବେହେରାଙ୍କ ସମେତ କୈବର୍ତ୍ତ ମହାସଭାର ବରିଷ୍ଠ ନେତୃମଣ୍ଡଳୀ, ସଦସ୍ୟ, ବୁଦ୍ଧିଜୀବୀ ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ। ଏଥିସହ ବହୁ ସଂଖ୍ୟାରେ ମହିଳା ଓ ଯୁବଗୋଷ୍ଠୀ ଉପସ୍ଥିତ ରହିଥିଲେ। ମଞ୍ଚରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା।

ପରବର୍ତ୍ତୀ ସମୟରେ ଯାଜପୁର ଲୋକସଭା ସାଂସଦ ରବୀନ୍ଦ୍ର ବେହେରା ଉତ୍ସବରେ ଯୋଗଦେଇ ଓଡ଼ିଶାର ପ୍ରାଚୀନ ଐତିହ୍ୟ ଓ ନୌବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଏଥିସହ ମହାକାଳପଡ଼ା ବ୍ଲକର ବିଭିନ୍ନ ଦେବାଳୟ ଓ ପୀଠରେ ମଧ୍ୟ ପାରମ୍ପରିକ ରୀତିରେ ଡଙ୍ଗା ଭସାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା।

Dharitri – Odisha’s No.1 Odia Daily

Share