ଇୟରଫୋନ୍‌ରେ ଗୀତ ଶୁଣିବା ହେଲା କାଳ: ଟ୍ରେନ୍‌ ଧକ୍କାରେ ଯୁବତୀଙ୍କ ମୃତ୍ୟୁ

ବିଷମକଟକ,୮ା୧୧: ଇୟରଫୋନ୍‌ରେ ଗୀତ ଶୁଣିବା ହେଲା କାଳ। କାନରେ ଇୟରଫୋନ୍‌ ଲଗାଇ ରେଳ ଧାରଣାରେ ଚାଲି ଚାଲି ଯାଉଥିବା ଜଣେ ଯୁବତୀଙ୍କ ଟ୍ରେନ୍‌ ଧକ୍କାରେ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା ବିଷମକଟକ ଥାନା ଅଧୀନ ସାନ ମଟକବାଡ଼ି ଗ୍ରାମରେ। ମୃତ ଯୁବତୀ ହେଲେ ସେହି ଗ୍ରାମର କୁମାରୀ ଗାଣ୍ଟା(୨୫)। କୁମାରୀ ଶୁକ୍ରବାର ସନ୍ଧ୍ୟାରେ ନିକଟସ୍ଥ ଲଟାଗୁଡ଼ା ଗ୍ରାମରୁ ନିଜ ଗାଁକୁ ଫେରୁଥିଲେ। ଗାଁ ନିକଟ ଦେଇ ଯାଇଥିବା ରେଳ ଧାରଣାରେ ସେ ଚାଲି ଚାଲି ଆସୁଥିଲେ। ହେଲେ କାନରେ ଇୟରଫୋନ୍‌ ଲଗାଇ ସେ ଗୀତ ଶୁଣି ଆସୁଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରେନ୍‌ ଯୁବତୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଶନିବାର ସକାଳେ ସ୍ଥାନୀୟ ଲୋକେ ଯୁବତୀଙ୍କ ମୃତଦେହ ରେଳ ଧାରଣା କଡ଼ରେ ପଡ଼ିଥିବା ଦେଖିଥିଲେ। ଖବର ପାଇ ଜିଆର୍‌ପି ପହଞ୍ଚି ମୃତଦେହ ଜବତକରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।