ପ୍ରେମିକାଙ୍କ ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ

ରାୟଗଡ଼ା ଅଫିସ/ଟିଟିଲାଗଡ଼,୩୧।୫: ପ୍ରେମ ପାଇଁ ତୁଚ୍ଛ ହୋଇଗଲା ବନ୍ଧୁତ୍ୱ। ପ୍ରେମିକାଙ୍କୁ ପାଇବା ପାଇଁ ବନ୍ଧୁଙ୍କ ଜୀବନ ନେଇଗଲେ ସାଙ୍ଗ। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା। ପୋଲିସ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ରୁମାନ ବଗର୍ତ୍ତି, ପ୍ରଶାନ୍ତ ବଗର୍ତ୍ତି ଏବଂ ବିକାଶ ଭଟ୍ଟ।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲା ଟିଟିଲାଗଡ଼ ଦେବଲାପଡ଼ା ଗ୍ରାମର ଉମାକାନ୍ତ କାଣ୍ଡ ଏବଂ ତାଙ୍କ ସାଙ୍ଗ ରୁମାନ ବଗର୍ତ୍ତି (ଶିରିଭଟାପଡ଼ା ଗାଁ) ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ଉମାକାନ୍ତଙ୍କ ସହ ଉକ୍ତ ଯୁବତୀଙ୍କ ଘନିଷ୍ଠତା ବଢୁଥିଲା। ଏହାକୁ ହଜମ କରି ନ ଥିଲେ ରୁମାନ। ଶେଷରେ ସାଙ୍ଗର ହତ୍ୟା ଯୋଜନା କରିଥିଲା ସାଙ୍ଗ। ଯୋଜନା ଅନୁଯାୟୀ ଉମାକାନ୍ତଙ୍କୁ ବୁଲାବୁଲି କରିବା ପାଇଁ ରାୟଗଡ଼ା ଡାକିଥିଲେ ରୁମାନ।

ଉମାକାନ୍ତ ମେ ୪ରେ ରାୟଗଡ଼ାରେ ପହଞ୍ଚିଥିଲେ। ସେଠାରେ ଏକ ଭୋଜିର ଆୟୋଜନ କରାଯାଇଥିଲ। ଉମାକାନ୍ତଙ୍କୁ ପ୍ରଚୁର ମଦ ପିଆଇବା ପରେ ତଣ୍ଟି ଚିପି ହତ୍ୟା କରିଥିଲେ ରୁମାନ। ହତ୍ୟାରେ ତାଙ୍କୁ ସାହାର୍ଯ୍ୟ କରିଥିଲେ ସମ୍ପର୍କୀୟ ଭାଇ ପ୍ରଶାନ୍ତ ବଗର୍ତ୍ତି ଏବଂ ଅନ୍ୟ ଜଣେ ସାଙ୍ଗ ବିକାଶ ଭଟ୍ଟ। ପରେ ମୃତଦେହକୁ କଲ୍ୟାଣସିଂହପୁର ବ୍ଲକ୍‌ ମଙ୍ଗଳି ଗାଁ ନିକଟ ଘୋଡ଼ାନାଳରେ ପୋତିଦେଇଥିଲେ। ହତ୍ୟାକାଣ୍ଡ ପରେ ରୁମାନ ନିଜ ଗାଁକୁ ଚାଲିଯାଇଥିଲେ। ଉମାକାନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଗତ ୧୧ ତାରିଖରେ ଟିଟିଲାଗଡ଼ ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ ଉମାକାନ୍ତଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍‌ କରି ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ରାୟଗଡ଼ା ଏସ୍‌ଡିପିଓ ଦେବଜ୍ୟୋତି ଦାଶ ସୂଚନା ଦେଇଛନ୍ତି।