ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣା: ଘଟଣାସ୍ଥଳ ଯାଞ୍ଚ କଲେ ୪ଜଣିଆ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜଭବନ ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣାର କାରଣ ଏବେ ବି ରହସ୍ୟ ହୋଇରହିଛି। କେଉଁ କାରଣ ପାଇଁ ଏଭଳି ବଡ଼ ବିସ୍ଫୋରଣ ହେଲା ସେନେଇ କେହି ବି ମୁହଁ ଖୋଲୁ ନାହାନ୍ତି। କମିଶନରେଟ ପୋଲିସ, ପେସୋ(ପେଟ୍ରୋଲିୟମ୍‌ ଆଣ୍ଡ୍‌ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେଶନ) ଏବଂ ଇଣ୍ଡିଆନ ଅଏଲ୍‌ କର୍ପୋରେଶନ ଲିମିଟେଡ(ଆଇଓସିଏଲ୍‌) ଭିନ୍ନ ଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛନ୍ତି। ମଙ୍ଗଳବାର ପେଟ୍ରୋଲିୟମ ମନ୍ତ୍ରଣାଳୟର ୪ ଜଣିଆ ସ୍ବତନ୍ତ୍ର ଟିମ୍‌ ବିସ୍ଫୋରଣ ସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି। ଏପରିକି ପେଟ୍ରୋଲ ପମ୍ପରେ କାମ କରୁଥିବା କେତେଜଣ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ଏହାସହ ପେଟ୍ରୋଲ ପମ୍ପ ପାଖରେ ଥିବା ବସ୍ତି ଏବଂ କ୍ଷୟକ୍ଷତି ହୋଇଥିବା ଆପାର୍ଟମେଣ୍ଟକୁ ଯାଇ ବିଭିନ୍ନ ଲୋକଙ୍କୁ ପଚାରିଥିଲେ। ମାଟି ତଳେ ଥିବା ଏଲ୍‌ପିଜି ଗ୍ୟାସ୍‌ ବିସ୍ଫୋରଣ ହେବା ଅତି ଆଶ୍ଚର୍ଯ୍ୟଜନକ କଥା ବୋଲି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ପ୍ରକାଶ କରିଛନ୍ତି। ସବୁ ଦିଗକୁ ପରଖିବା ପରେ ଶେଷରେ ବିଭାଗକୁ ରିପୋର୍ଟ ଦିଆଯିବ ବୋଲି ଉକ୍ତ ଟିମ୍‌ର ଜଣେ ଅଧିକାରୀ କହିଛନ୍ତି।
ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ସମସ୍ତ ବୈଷୟିକ ଦିଗକୁ ନେଇ ପୋଲିସ ଯାଞ୍ଚ କରୁଛି। ଏହାସହ ପୋଲିସ ଫରେନ୍‌ସିକ ଲାବ୍‌ର ମଧ୍ୟ ସହଯୋଗ ନେଇଛି। କେବଳ ଫରେନ୍‌ସିକ ନୁହେଁ ଟେକ୍ନିକାଲ ଏକ୍ସପର୍ଟଙ୍କ ସହାୟତା ନିଆଯାଇଛି। କେଉଁ ଭୁଲ୍‌ ପାଇଁ ଏହି ବିସ୍ଫୋରଣ ଘଟିଛି, ତାର କାରଣ ଖୋଜୁଛୁ। ଖୁବ୍‌ ଶୀଘ୍ର କାରଣ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି।