ନନ୍ଦ ସାର୍‌ଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର

ଯାଜପୁର ଅଫିସ,୩୧।୧୦: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମର ଚାଟଶାଳୀ ଶିକ୍ଷକ ତଥା ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କ ଜୀବନୀ ଉପରେ ତିଆରି ହେଉଛି ଏକ ଓଡ଼ିଆ ଚଳଚ୍ଚିତ୍ର। ଯାଜପୁର ରୋଡ୍‌ ଜେମ୍ସ ସ୍କୁଲ ପରିସରରେ ଥିବା ରୋଟାରି ଭବନ ସଭାଗୃହରେ ଏହି ଚଳଚ୍ଚିତ୍ରର ପୋଷ୍ଟର ଶନିବାର ଉନ୍ମୋଚିତ ହୋଇଛି। ୧୦୪ ବର୍ଷୀୟ ନନ୍ଦ ପୃଷ୍ଟି ୮୨ ବର୍ଷ ଧରି ମାଗଣାରେ ଶିକ୍ଷାଦାନ କରୁଥିବା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ପାଇଁ ସୁପାରିସ କରିଥିଲେ। ଏହା ଉପରେ ବିଚାର କରି କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଥିଲେ। ଆସନ୍ତା ନଭେମ୍ବର ୯ରେ ଦିଲ୍ଲୀଠାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ। ଶିକ୍ଷାଦାନ କରି ନନ୍ଦ ସାର୍‌ ସମାଜରେ ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଶିକ୍ଷାଦାନ ନିଶାକୁ ଛାଡ଼ିନାହାନ୍ତି। ନନ୍ଦ ସାର୍‌ଙ୍କ ଜୀବନୀକୁ ନେଇ ଅଭିସ୍ମିତା ଫିଲ୍ମ ପ୍ରାୟୋଜିତ, ଦେବପ୍ରଭା ପ୍ରଡକ୍ସନ ଏବଂ ଷ୍ଟୁଡିଓୱାଲା ପ୍ରଡକ୍ସନ ନିବେଦିତ ‘ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀ’ ନାମରେ ଏହି ଫିଲ୍ମ ର୍ନିମାଣ କରାଯାଇଛି। ଓଟିଟି ଫର୍ମାଟରେ କରାଯାଇଥିବା ଏହି ଫିଲ୍ମକୁ ଅନ୍ତର୍ଜାତୀୟ ନିର୍ଦ୍ଦେଶକ ପ୍ରଣବ ଆଇଚ ନିର୍ଦ୍ଦେଶନା ଦେଉଥିବାବେଳେ ଅଭୟ ପତି ଓ ଅଭିନେତ୍ରୀ ନୈନା ଦାଶ ପ୍ରଯୋଜକ ଅଛନ୍ତି। ଅସ୍ମିତା ପତି ଏହାର କାହାଣୀକୁ ଲେଖିଥିବାବେଳେ ଯାଜପୁର ଜିଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ଶୁଟିଂ କରାଯାଇଛି। ଶେଷ ପର୍ଯ୍ୟାୟ ଶୁଟିଂ ପଦ୍ମଶ୍ରୀ ସମ୍ମାନ ଆଣିବା ପାଇଁ ଦିଲ୍ଲୀ ଯିବାବେଳେ କରାଯିବ ଏବଂ ଆସନ୍ତା ମାର୍ଚ୍ଚରେ ଏହାର ରିଲିଜ କରାଯିବ ବୋଲି ପ୍ରଯୋଜକ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଫିଲ୍ମ ମାଧ୍ୟମରେ ପଦ୍ମଶ୍ରୀ ନନ୍ଦ ପୃଷ୍ଟି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ନିଜର ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି।