କୃଷକର ଅନ୍ତର୍ବେଦନା

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ମୁଁ ପୁରୀ ଜିଲା ରାଉଳପାଟଣା ଗଁାର ଜଣେ ଚାଷୀ। ମୋ ନଁା ସନାତନ। ଗଁାରେ ମତେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ କିଏ ସନିଆ ଅବା ଆଉ କିଏ ସନିଆ ଭାଇ ବୋଲି ଡାକନ୍ତି। ଚାଷ ବୋଇଲେ ଜମି ମାତ୍ର ଚାରି ଗୁଣ୍ଠ। ମୋ ଜମି ଜଳସେଚିତ ହୋଇ ନ ଥିବାରୁ ମୋତେ ବର୍ଷା ଜଳ ଉପରେ ନିର୍ଭର କରିବାକୁ ପଡ଼େ। କେଉଁ ବର୍ଷ ମରୁଡ଼ି ତ କେଉଁ ବର୍ଷ ଅତିବୃଷ୍ଟିରେ ଫସଲ ହୋଇ ନ ପାରିବା ଯୋଗୁ ମୁଁ ମୁଣ୍ଡରେ ହାତ ଦିଏ। ଭାଇମାନେ ମୋର ମର୍ମବେଦନାକୁ ପ୍ରକାଶ କରିବା ଛଡ଼ା ମୋ ପାଖରେ ଆଉ କିଛି ନାହିଁ। ଆମ ରାଜ୍ୟର ଚାଷୀ ସବୁବେଳେ ଅଭାବୀ ବିକ୍ରିକୁ ସାମ୍ନା କରେ। ମୁଁ ଏକା ନୁହେଁ ବା ଏ ସମସ୍ୟା ଆଜିର ନୁହେଁ। ଏହାର ସମାଧାନର ସୂତ୍ର ଯେ ସରକାରଙ୍କୁ ଜଣାନାହିଁ ତାହା ଆମେ କିପରି କହିପାରିବୁ?
ଗତ ବର୍ଷ ମଣ୍ଡି ଅବ୍ୟବସ୍ଥା ଯୋଗୁ ଧାନଚାଷୀ ଭାବେ ଦଲାଲଙ୍କୁ ସ୍ବଳ୍ପମୂଲ୍ୟରେ ଧାନ ବିକିବାକୁ ବାଧ୍ୟ ହେଲି। ସରକାରଙ୍କୁ ବିକିଲେ ବେଶ୍‌ ଦୁଇପଇସା ଲାଭ ପାଇଥାନ୍ତି। କିନ୍ତୁ ଧାର କରଜ କରି ସୁଧ ଗଣୁଥିବା ଚାଷୀ କେତେଦିନ ଅବା ସରକାରୀ ବ୍ୟବସ୍ଥାକୁ ଅପେକ୍ଷା କରିଥାନ୍ତା! ବାଧ୍ୟହୋଇ ଶାଗମାଛ ଦରରେ ମଣ୍ଡି ଖୋଲି ନ ଥିବାରୁ ଦଲାଲକୁ ଧାନ ବିକି ଦେଲି।
ଏ ବର୍ଷ ସେଥିପାଇଁ ଭାବିଲି ପରିବା ଚାଷ କରିବି। ଅନିୟମିତ ବର୍ଷା ଓ ବନ୍ୟା ପାଇଁ ଧାନଚାଷ କ୍ଷତିଗ୍ରସ୍ତ ହେଉଥିବାରୁ ମୁଁ ପରିବା ଚାଷ କରି କ୍ଷତିର ଭରଣା କରିବା ପାଇଁ ଯତ୍ନଶୀଳ ହେଲି। କିନ୍ତୁ ଏବେ ମହରଗରୁ ଯାଇ କାନ୍ତାରରେ ପଡ଼ିଲିଣି। ମୋର ପରିବା ଚାଷ ପାଇଁ ଉପଯୁକ୍ତ କ୍ଷେତ ଅଛି ଏବଂ ଜଳବାୟୁ ମଧ୍ୟ ମୋ ପାଇଁ ଅନୁକୂଳ ଥିଲା। ଗଁାରେ ମୋ ଜମି ବାଟ ଦେଇ ଯିଏ ଗଲା ସିଏ ଫସଲକୁ ଦେଖି କହିଲା, ସନିଆ! ଏଥର ତୋର ଭାଗ୍ୟ ବଦଳିଗଲା। ତୁ ଏଇ ବର୍ଷ ଯେତେ ରୋଜଗାର କରିବୁ; ତାହା ତୋର ଧାର କରଜ ଶୁଝିବାକୁ ଯଥେଷ୍ଟ ହେବ। ଫସଲକୁ ଦେଖି ମୋ ଛାତି ମଧ୍ୟ କୁଣ୍ଢେମୋଟ ହେଉଥିଲା। କିନ୍ତୁ ଅଦିନିଆ ବର୍ଷା ମାଡ଼ରେ ମୁଁ କରିଥିବା ବନ୍ଧାକୋବି ଚାଷ ଶଢ଼ିବାକୁ ବସିଲାଣି। ତୋଳିଲେ ମଧ୍ୟ ମଜୁରି ଉଠୁ ନାହିଁ। ତେଣୁ ଜମିରେ ଗାଈ ଚରିବା ପାଇଁ ଛାଡ଼ି ଦେଇଛି।
ସେଦିନ ଆମ ଗଁାର ସରପଞ୍ଚ ନେତ୍ରାନନ୍ଦ ବାବୁଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା ହେଉଥିଲି। ସେ କହିଲେ, ଆରେ କେବଳ ଆମ ଗଁା କଥା ନୁହେଁ, ସବୁଆଡ଼େ ସେଇ ଏକାକଥା। କଥା ପ୍ରସଙ୍ଗରେ ସେ ଘଟଗଁା ବ୍ଲକର ୩୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ କୋବିଚାଷ କଥା କହିଲେ। ପ୍ରଥମେ ବଜାରକୁ କମ୍‌ ସଂଖ୍ୟାରେ କୋବି ଆସୁଥିବାରୁ ଗୋଟା ୬୦/୭୦ ଟଙ୍କାରେ ବିକ୍ରି ହେଉଥିଲା। ଚାଷୀ ମଧ୍ୟ ବେଶ୍‌ ଲାଭବାନ ହେଉଥିଲା। ଲୋକାଲ କୋବି ବୋଲି ଭାବି ଲୋକମାନଙ୍କର ଭିଡ଼ ମଧ୍ୟ କମ୍‌ ନ ଥିଲା। କିନ୍ତୁ ପରିସ୍ଥିତି ଏପରି ହେଲା ଯେ, ସେହି କୋବି ବର୍ତ୍ତମାନ ୫ଟଙ୍କାରେ ବିକ୍ରି ହେଉଛି। କୋବି ତୋଳି ତାକୁ ବଜାରକୁ ଆଣିବାରେ ଯେଉଁ ଖର୍ଚ୍ଚ ହେଉଛି ସେ ଖର୍ଚ୍ଚ ମଧ୍ୟ ଉଠୁ ନାହିଁ। ତେଣୁ ଲୋକେ ତୋ ଭଳି ବିଲରେ ମଧ୍ୟ ଗୋରୁ ଗାଈ ଛାଡ଼ି ଦେଇଛନ୍ତି। କୋବି ପଚି ଦୁର୍ଗନ୍ଧରେ ନାକ ଫାଟିପଡ଼ୁଛି।
ସେହିପରି ବିଲାତିବାଇଗଣ ବା ଟମାଟୋ ଚାଷରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ସେଗୁଡ଼ିକ ମଧ୍ୟ ପଚି ନଷ୍ଟ ହେଲାଣି। ଉପଯୁକ୍ତ ବଜାର ବ୍ୟବସ୍ଥା ନ ଥିବାରୁ ଦଲାଲମାନଙ୍କ ପ୍ରାଦୁର୍ଭାବ ନ କହିଲେ ଚଳେ। ସରପଞ୍ଚବାବୁ କହିଲେ, ଆମ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଶୀତଳଭଣ୍ଡାର ନାହିଁ କିମ୍ବା ଟମାଟୋରୁ ସସ୍‌ ତିଆରି ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନାହିଁ। ସରକାର ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପନ କରି ବାହାବା ନେଉଛନ୍ତି କିନ୍ତୁ ପୋଥି ବାଇଗଣ ଓ ବାଡ଼ିବାଇଗଣ ଭିତରେ ତଫାତ୍‌ ଅନେକ। ଅନୁଭବୀ ହିଁ ଏକଥା କେବଳ କହିପାରିବ।
ଆମ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ। କିନ୍ତୁ ଚାଷୀ ଆଶାନୁରୂପ ଲାଭ ଚାଷରୁ ପାଇପାରୁ ନାହିଁ। ଉପଯୁକ୍ତ ବ୍ୟବସ୍ଥା ଅଭାବରୁ କେତେବେଳେ ତା’ର ଜମି ପଡ଼ିଆ ପଡ଼ୁଛି ତ ଅନ୍ୟ କେତେବେଳେ ସେ ଦଲାଲଙ୍କୁ ସ୍ବଳ୍ପ ମୂଲ୍ୟରେ ଫସଲ ବିକିବାକୁ ବାଧ୍ୟ ହେଉଛି କିମ୍ବା ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଚାଲିଯାଉଛି।
ଭୋଟ୍‌ ବେଳେ ଆମ ନେତାମାନେ ଅନ୍ୟ ରାଜ୍ୟରେ ଖଟୁଥିବା ଏଇ ଦାଦନ ଶ୍ରମିକମାନଙ୍କୁ ଗାଡ଼ିଘୋଡ଼ା କରି ଆଣନ୍ତି। ନିର୍ବାଚନରେ ଭୋଟ୍‌ ଦେବା ପାଇଁ କିଛି ହାତଗୁଞ୍ଜା ମଧ୍ୟ ଦିଅନ୍ତି। ପ୍ରତିଶ୍ରୁତିର ମଧ୍ୟ ଅଭାବ ରହେ ନାହିଁ। କିନ୍ତୁ ଫି’ ବର୍ଷ କୃଷକର ସମସ୍ୟା ଯେଉଁଠି ଅଛି ସେଇଠି । ରାଜନେତାଙ୍କର କଥା ଏବଂ କାନ୍ଦ ଶୁଣିଲେ ଆମକୁ ଏଇ କଥାଟି ମନେପଡ଼େ ଆଖିରେ ଲୁହ ନାହିଁ କିଅଁା କାନ୍ଦୁଛୁ ଗୁହ ପାଇଁ?
ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ
ଓଡ଼ିଶା ସରକାର
ମୋ.: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri