କୃଷକର ଅନ୍ତର୍ବେଦନା

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ମୁଁ ପୁରୀ ଜିଲା ରାଉଳପାଟଣା ଗଁାର ଜଣେ ଚାଷୀ। ମୋ ନଁା ସନାତନ। ଗଁାରେ ମତେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ କିଏ ସନିଆ ଅବା ଆଉ କିଏ ସନିଆ ଭାଇ ବୋଲି ଡାକନ୍ତି। ଚାଷ ବୋଇଲେ ଜମି ମାତ୍ର ଚାରି ଗୁଣ୍ଠ। ମୋ ଜମି ଜଳସେଚିତ ହୋଇ ନ ଥିବାରୁ ମୋତେ ବର୍ଷା ଜଳ ଉପରେ ନିର୍ଭର କରିବାକୁ ପଡ଼େ। କେଉଁ ବର୍ଷ ମରୁଡ଼ି ତ କେଉଁ ବର୍ଷ ଅତିବୃଷ୍ଟିରେ ଫସଲ ହୋଇ ନ ପାରିବା ଯୋଗୁ ମୁଁ ମୁଣ୍ଡରେ ହାତ ଦିଏ। ଭାଇମାନେ ମୋର ମର୍ମବେଦନାକୁ ପ୍ରକାଶ କରିବା ଛଡ଼ା ମୋ ପାଖରେ ଆଉ କିଛି ନାହିଁ। ଆମ ରାଜ୍ୟର ଚାଷୀ ସବୁବେଳେ ଅଭାବୀ ବିକ୍ରିକୁ ସାମ୍ନା କରେ। ମୁଁ ଏକା ନୁହେଁ ବା ଏ ସମସ୍ୟା ଆଜିର ନୁହେଁ। ଏହାର ସମାଧାନର ସୂତ୍ର ଯେ ସରକାରଙ୍କୁ ଜଣାନାହିଁ ତାହା ଆମେ କିପରି କହିପାରିବୁ?
ଗତ ବର୍ଷ ମଣ୍ଡି ଅବ୍ୟବସ୍ଥା ଯୋଗୁ ଧାନଚାଷୀ ଭାବେ ଦଲାଲଙ୍କୁ ସ୍ବଳ୍ପମୂଲ୍ୟରେ ଧାନ ବିକିବାକୁ ବାଧ୍ୟ ହେଲି। ସରକାରଙ୍କୁ ବିକିଲେ ବେଶ୍‌ ଦୁଇପଇସା ଲାଭ ପାଇଥାନ୍ତି। କିନ୍ତୁ ଧାର କରଜ କରି ସୁଧ ଗଣୁଥିବା ଚାଷୀ କେତେଦିନ ଅବା ସରକାରୀ ବ୍ୟବସ୍ଥାକୁ ଅପେକ୍ଷା କରିଥାନ୍ତା! ବାଧ୍ୟହୋଇ ଶାଗମାଛ ଦରରେ ମଣ୍ଡି ଖୋଲି ନ ଥିବାରୁ ଦଲାଲକୁ ଧାନ ବିକି ଦେଲି।
ଏ ବର୍ଷ ସେଥିପାଇଁ ଭାବିଲି ପରିବା ଚାଷ କରିବି। ଅନିୟମିତ ବର୍ଷା ଓ ବନ୍ୟା ପାଇଁ ଧାନଚାଷ କ୍ଷତିଗ୍ରସ୍ତ ହେଉଥିବାରୁ ମୁଁ ପରିବା ଚାଷ କରି କ୍ଷତିର ଭରଣା କରିବା ପାଇଁ ଯତ୍ନଶୀଳ ହେଲି। କିନ୍ତୁ ଏବେ ମହରଗରୁ ଯାଇ କାନ୍ତାରରେ ପଡ଼ିଲିଣି। ମୋର ପରିବା ଚାଷ ପାଇଁ ଉପଯୁକ୍ତ କ୍ଷେତ ଅଛି ଏବଂ ଜଳବାୟୁ ମଧ୍ୟ ମୋ ପାଇଁ ଅନୁକୂଳ ଥିଲା। ଗଁାରେ ମୋ ଜମି ବାଟ ଦେଇ ଯିଏ ଗଲା ସିଏ ଫସଲକୁ ଦେଖି କହିଲା, ସନିଆ! ଏଥର ତୋର ଭାଗ୍ୟ ବଦଳିଗଲା। ତୁ ଏଇ ବର୍ଷ ଯେତେ ରୋଜଗାର କରିବୁ; ତାହା ତୋର ଧାର କରଜ ଶୁଝିବାକୁ ଯଥେଷ୍ଟ ହେବ। ଫସଲକୁ ଦେଖି ମୋ ଛାତି ମଧ୍ୟ କୁଣ୍ଢେମୋଟ ହେଉଥିଲା। କିନ୍ତୁ ଅଦିନିଆ ବର୍ଷା ମାଡ଼ରେ ମୁଁ କରିଥିବା ବନ୍ଧାକୋବି ଚାଷ ଶଢ଼ିବାକୁ ବସିଲାଣି। ତୋଳିଲେ ମଧ୍ୟ ମଜୁରି ଉଠୁ ନାହିଁ। ତେଣୁ ଜମିରେ ଗାଈ ଚରିବା ପାଇଁ ଛାଡ଼ି ଦେଇଛି।
ସେଦିନ ଆମ ଗଁାର ସରପଞ୍ଚ ନେତ୍ରାନନ୍ଦ ବାବୁଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା ହେଉଥିଲି। ସେ କହିଲେ, ଆରେ କେବଳ ଆମ ଗଁା କଥା ନୁହେଁ, ସବୁଆଡ଼େ ସେଇ ଏକାକଥା। କଥା ପ୍ରସଙ୍ଗରେ ସେ ଘଟଗଁା ବ୍ଲକର ୩୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ କୋବିଚାଷ କଥା କହିଲେ। ପ୍ରଥମେ ବଜାରକୁ କମ୍‌ ସଂଖ୍ୟାରେ କୋବି ଆସୁଥିବାରୁ ଗୋଟା ୬୦/୭୦ ଟଙ୍କାରେ ବିକ୍ରି ହେଉଥିଲା। ଚାଷୀ ମଧ୍ୟ ବେଶ୍‌ ଲାଭବାନ ହେଉଥିଲା। ଲୋକାଲ କୋବି ବୋଲି ଭାବି ଲୋକମାନଙ୍କର ଭିଡ଼ ମଧ୍ୟ କମ୍‌ ନ ଥିଲା। କିନ୍ତୁ ପରିସ୍ଥିତି ଏପରି ହେଲା ଯେ, ସେହି କୋବି ବର୍ତ୍ତମାନ ୫ଟଙ୍କାରେ ବିକ୍ରି ହେଉଛି। କୋବି ତୋଳି ତାକୁ ବଜାରକୁ ଆଣିବାରେ ଯେଉଁ ଖର୍ଚ୍ଚ ହେଉଛି ସେ ଖର୍ଚ୍ଚ ମଧ୍ୟ ଉଠୁ ନାହିଁ। ତେଣୁ ଲୋକେ ତୋ ଭଳି ବିଲରେ ମଧ୍ୟ ଗୋରୁ ଗାଈ ଛାଡ଼ି ଦେଇଛନ୍ତି। କୋବି ପଚି ଦୁର୍ଗନ୍ଧରେ ନାକ ଫାଟିପଡ଼ୁଛି।
ସେହିପରି ବିଲାତିବାଇଗଣ ବା ଟମାଟୋ ଚାଷରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ସେଗୁଡ଼ିକ ମଧ୍ୟ ପଚି ନଷ୍ଟ ହେଲାଣି। ଉପଯୁକ୍ତ ବଜାର ବ୍ୟବସ୍ଥା ନ ଥିବାରୁ ଦଲାଲମାନଙ୍କ ପ୍ରାଦୁର୍ଭାବ ନ କହିଲେ ଚଳେ। ସରପଞ୍ଚବାବୁ କହିଲେ, ଆମ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଶୀତଳଭଣ୍ଡାର ନାହିଁ କିମ୍ବା ଟମାଟୋରୁ ସସ୍‌ ତିଆରି ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନାହିଁ। ସରକାର ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପନ କରି ବାହାବା ନେଉଛନ୍ତି କିନ୍ତୁ ପୋଥି ବାଇଗଣ ଓ ବାଡ଼ିବାଇଗଣ ଭିତରେ ତଫାତ୍‌ ଅନେକ। ଅନୁଭବୀ ହିଁ ଏକଥା କେବଳ କହିପାରିବ।
ଆମ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ। କିନ୍ତୁ ଚାଷୀ ଆଶାନୁରୂପ ଲାଭ ଚାଷରୁ ପାଇପାରୁ ନାହିଁ। ଉପଯୁକ୍ତ ବ୍ୟବସ୍ଥା ଅଭାବରୁ କେତେବେଳେ ତା’ର ଜମି ପଡ଼ିଆ ପଡ଼ୁଛି ତ ଅନ୍ୟ କେତେବେଳେ ସେ ଦଲାଲଙ୍କୁ ସ୍ବଳ୍ପ ମୂଲ୍ୟରେ ଫସଲ ବିକିବାକୁ ବାଧ୍ୟ ହେଉଛି କିମ୍ବା ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଚାଲିଯାଉଛି।
ଭୋଟ୍‌ ବେଳେ ଆମ ନେତାମାନେ ଅନ୍ୟ ରାଜ୍ୟରେ ଖଟୁଥିବା ଏଇ ଦାଦନ ଶ୍ରମିକମାନଙ୍କୁ ଗାଡ଼ିଘୋଡ଼ା କରି ଆଣନ୍ତି। ନିର୍ବାଚନରେ ଭୋଟ୍‌ ଦେବା ପାଇଁ କିଛି ହାତଗୁଞ୍ଜା ମଧ୍ୟ ଦିଅନ୍ତି। ପ୍ରତିଶ୍ରୁତିର ମଧ୍ୟ ଅଭାବ ରହେ ନାହିଁ। କିନ୍ତୁ ଫି’ ବର୍ଷ କୃଷକର ସମସ୍ୟା ଯେଉଁଠି ଅଛି ସେଇଠି । ରାଜନେତାଙ୍କର କଥା ଏବଂ କାନ୍ଦ ଶୁଣିଲେ ଆମକୁ ଏଇ କଥାଟି ମନେପଡ଼େ ଆଖିରେ ଲୁହ ନାହିଁ କିଅଁା କାନ୍ଦୁଛୁ ଗୁହ ପାଇଁ?
ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ
ଓଡ଼ିଶା ସରକାର
ମୋ.: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri