ନର୍ସିଂହୋମରେ ଚିକିତ୍ସା କରୁଥିଲେ ନକଲି ଡାକ୍ତର

ତାଳଚେର,୨ା୧୦(ମନୋଜ ନନ୍ଦ): ୨୦୧୯ରୁ ନର୍ସିଂହୋମ୍‌ର ପଞ୍ଜୀକରଣ ନବୀକରଣ ହୋଇନାହିଁ। ଏଠାରେ ରୋଗୀ ଦେଖୁଥିବା ଡାକ୍ତରଙ୍କ ନିକଟରେ ଡାକ୍ତରୀ ଲାଇସେନ୍ସ ମଧ୍ୟ ନାହିଁ। ତଥାପି ଦୀର୍ଘଦିନ ହେଲା ଏଠାରେ ଚାଲିଥିଲା ରୋଗୀଙ୍କ ଚିକିତ୍ସା। ତେବେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ନେଇ ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ ଥିବାରୁ ଉକ୍ତ ନର୍ସିଂହୋମ୍‌ ଉପରେ ଚଢ଼ାଉ ପାଇଁ କରାଯାଇଥିଲା ଯୋଜନା। ପ୍ରଶାସନିକ ଅଧିକାରୀ, ପୋଲିସ ଓ କେତେଜଣ ଡାକ୍ତରଙ୍କୁ ନେଇ ଗଢ଼ାଯାଇଥିଲା ସ୍ବତନ୍ତ୍ର ଟିମ୍‌। ରୋଗୀ ସାଜି କେତେଜଣ ପୋଲିସ କର୍ମଚାରୀ ନର୍ସିଂହୋମ୍‌କୁ ଚିକିତ୍ସା ପାଇଁ ଯିବା ପରେ ଖୋଲିଯାଇଥିଲା ସମସ୍ତ ରହସ୍ୟ। ସ୍ବତନ୍ତ୍ର ଟିମ୍‌ ହାତରେ ଧରାପଡ଼ିଥିଲେ ନକଲି ଡକ୍ତର। ଏହାପରେ ଉକ୍ତ ନର୍ସିଂହୋମ୍‌କୁ ସିଲ୍‌ କରିଥିଲା ପ୍ରଶାସନ। ଅନୁଗୋଳ ଜିଲା ତାଳଚେର ଉପଖଣ୍ଡରେ ଘଟିଥିବା ଏପରି ଘଟଣା ଚକିତ କରିଦେଇଛି ଉପଖଣ୍ଡବାସୀଙ୍କୁ।
ପ୍ରକାଶ ଯେ, ତାଳଚେର ଥର୍ମାଲସ୍ଥିତ ଚାଇଁପାଳ ଓଭରବ୍ରିଜ ନିକଟରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେଉଥିବା ଅଭିଯୋଗ ହୋଇଥିଲା। ଲିଙ୍ଗ ନିରୂପଣ ମଧ୍ୟ କରାଯାଉଥିଲା। ଏପରି ଅଭିଯୋଗ ଆସିବା ପରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଢ଼ାଉ ପାଇଁ ଯୋଜନା କରାଯାଇଥିଲା। ପ୍ରଥମେ ତାଳଚେର ଥାନାର କେତେଜଣ କର୍ମଚାରୀ ରୋଗୀ ସାଜି ଉକ୍ତ ନର୍ସିଂହୋମ୍‌କୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ରୋଗୀସେବା କରୁଥିବା ପ୍ରଦୀପ ବେହେରା ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ଚିକିତ୍ସା କରିବା ବେଳେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଥିଲା। ଏହାପରେ ତାଳଚେର ଉପଜିଲାପାଳ ମନୋଜ ତ୍ରିପାଠୀ, ଏସ୍‌ଡିପିଓ ମାନସ ବାରିକ, ତହସିଲଦାର ରୋଜାଲିନ ବେହେରା ଓ ସରକାରୀ ଡାକ୍ତରଖାନାର କେତେଜଣ ଡାକ୍ତର ଉକ୍ତ ନର୍ସିଂହୋମ୍‌ରେ ଚଢ଼ାଉ କରିଥିଲେ। ଉକ୍ତ ନର୍ସିଂହୋମର ପଞ୍ଜୀକରଣ ୨୦୧୯ ମସିହାରୁ ନବୀକରଣ କରାଯାଇ ନ ଥିବାବେଳେ ରୋଗୀସେବା ଯୋଗାଇ ଦେଉଥିବା ପ୍ରଦୀପ ବେହେରାଙ୍କ ନିକଟରେ ସେପରି ଡାକ୍ତରୀ ଲାଇସେନ୍ସ ନ ଥିବା ଜଣାପଡ଼ିଥିଲା। ଏହାପରେ ସମ୍ପୃକ୍ତ ନକଲି ଡାକ୍ତରଙ୍କୁ ଅଟକ ରଖାଯିବା ସହ ଅଧିକ ପଚରାଉଚରା କରାଯାଉଥିବା ଉପଜିଲାପାଳ ମନୋଜ ତ୍ରିପାଠୀ ଓ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଅଟକ ଥିବା ନକଲି ଡାକ୍ତର ପ୍ରଦୀପ ବେହେରା କହିଛନ୍ତି, ନର୍ସିଂହୋମ୍‌ ପଞ୍ଜୀକରଣ ନବୀକରଣ ପାଇଁ ଆବେଦନ କରାଯାଇଥିଲା। ସେ ପଶ୍ଚିମବଙ୍ଗରେ ଏମ୍‌ବିବିଏସ୍‌ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ତାହା ଫେକ୍‌ ବୋଲି ଜଣାପଡ଼ିଥିଲା। ସେ ଜଣେ ଡାକ୍ତରଙ୍କ ଅଧୀନରେ ରହି କାମ କରୁଥିଲେ। ରୋଗୀଙ୍କୁ ଅନ୍ୟ ଡାକ୍ତର ଯେଉଁସବୁ ପରାମର୍ଶ ଦେଉଥିଲେ ସେ ତାହାକୁ ଲିଖିତ ଭାବେ ରୋଗୀଙ୍କୁ ଦେଉଥିଲେ ବୋଲି ବେହେରା ପ୍ରକାଶ କରିଛନ୍ତି।