ଆବାସ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସ୍ବପ୍ନ

ଡେରାବିଶ,୮ା୧୦(ବେବର୍ତା ଅଜୟ ଦାସ)ଗ୍ରାମାଞ୍ଚଳରେ ଛପର ଘରେ ରହୁଥିବା ସମସ୍ତ ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବାର ବ୍ୟବସ୍ଥା ହୋଇଛି।ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଗୃହ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ଅଞ୍ଚଳରେ ଏହି ଯୋଜନା ପ୍ରହସନ ପାଲଟିଛି। ଏହି ବ୍ଳକ ଅଞ୍ଚଳର ବହୁ ଯୋଗ୍ୟ ହିତାଧିକାରୀ ସର୍ଭେ ତାଲିକାରେ ସେମାନଙ୍କ ନାମ ଥାଇ ମଧ୍ୟ ଆବାସ ଯୋଜନାରୁ ବଞ୍ଚତ୍ତ ହେବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଡେରାବିଶ ବ୍ଲକ ଅଧୀନ ଛୋଟି ପଞ୍ଚାୟତ ନେତୁଆ ଗ୍ରାମର ୭ ନଂ, ୱାର୍ଡ଼ର ସୁଲୋଚନା ମଳିକଙ୍କ ପରିବାର ରହିବା ପାଇଁ ଘର ଖଣ୍ଡିଏ ନାହିଁ। ଦୀର୍ଘବର୍ଷ ହେବ ସେ ଗ୍ରାମରେ ଥିବା ଜଣେ ପଡ଼ିଶାଙ୍କ ଘରେ ସ୍ବାମୀ ନରହରି, ପୁଅ ଓ ଝିଅ ସହ ରହୁଛନ୍ତି। ସୁଲୋଚନା ଓ ନରହରି ଦିନମଜୁରିଆ। ପର ପାଖରେ ମୂଲ ଲାଗି ନିଜର ପରିବାରକୁ ପ୍ରତିପୋଷଣ କରିଥାନ୍ତି। ଘର ଖଣ୍ଡିଏ ନ ଥିବାରୁ ବିଡ଼ିଓଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁଲୋଚନା ଏକାଧିକ ଥର ଗୁହାରୀ କରିଛନ୍ତି। ମାତ୍ର ଏଯାଏ ତାଙ୍କ ଗୁହାରୀ କେହି ଶୁଣି ନାହାଁନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଛୋଟି ପଞ୍ଚାୟତରେ କରାଯାଇଥିବା ସର୍ଭେରେ ସୁଲୋଚନାଙ୍କ ନାମ ରହିଥିବା ନରହରି କହିଛନ୍ତି। ଯୋଗ୍ୟ ହିତାଧିକାରୀ ଭାବେ ଚୟନ ହୋଇଥିବା ସୁଲୋଚନା ଆବାସ ଗୃହରୁ କାହିଁକି ବଞ୍ଚତ୍ତ ହୋଇଛନ୍ତି ସେ ବିଷୟରେ ନରହରି ପ୍ରଶାସନ ନିକଟକୁ ଧାଇଁ ଧାଇଁ ନିରାଶ ହେବା ପରେ କେବଳ ନିଜର ଭାଗ୍ୟକୁ ଦୋଷ ଦେଇ ବସିଛନ୍ତି। ଯେଉଁ ପଡ଼ିଶାଙ୍କ ଘରେ ସେ ରହୁଛନ୍ତି ସେ ବି ଏକ ନୁଆଁଣିଆ ଚାଳଘର। ସୁଲୋଚନା ଘର ବାରଣ୍ଡାରେ ପ୍ରତିଦିନ ରୋଷେଇ କରି ପରିବାର ଲୋକଙ୍କ ଖାଇବାକୁ ଦେଉଛନ୍ତି। ଗୋଟିଏ ଘରେ ୪ ପ୍ରାଣୀ ଚଳିବା କଷ୍ଟକର ହେଉଛି। ତଥାପି ସୁଲୋଚନା ହାରି ଯାଇନାହାନ୍ତି।
ଏ ସମ୍ପର୍କରେ ସରପଞ୍ଚ ରଜନୀ ମଲିକ କୁହନ୍ତି, ଛୋଟି ପଞ୍ଚାୟତରେ କେବଳ ସୁଲୋଚନା ନୁହଁନ୍ତି ତାଙ୍କ ଭଳି ଆହୁରି ୯ ଜଣ ଯୋଗ୍ୟ ହିତାଧିକାରୀ ଅଛନ୍ତି। ସର୍ଭେ ତାଲିକାରେ ସମସ୍ତଙ୍କ ନାମ ରଖାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ ନାମ କଟାଯାଇଛି। ଏ ବିଷୟରେ ସେ ଜିଲାପାଳ, ଜିଲା ପରିଷଦ ଉନ୍ନୟନ ଅଧିକାରୀ ଓ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିବା ପରେ ବିଡ଼ିଓ ଏହି ୯ ଜଣ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ କରିବା ପାଇଁ ଜିଲା ପରିଷଦ ଉନ୍ନୟନ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇନ୍ତି ବୋଲି କହିଛନ୍ତି। ଏ ବିଷୟରେ ବିଡ଼ିଓ ଦାଶରଥୀ ଜେନାଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ସର୍ଭେ ସମୟରେ ଆବାସ ଯୋଜନାରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ବିଷୟରେ ପୁନର୍ବାର ଅନୁଧ୍ୟାନ କରାଯିବା ପରେ ଯାହା କିଛି ପଦକ୍ଷେପ ନିଆଯିବ।