ବିକାଶ ଯାତ୍ରାର ଭିନ୍ନ ଦିଗ

ବୈଭବଶାଳୀ ଭାରତ ଗଠନ ହେଉଛି ପ୍ରତ୍ୟେକ ଦେଶପ୍ରେମୀଙ୍କ ଏକ ବହୁପୋଷିତ ଅଭିଳାଷ। ତେଣୁ ବିକଶିତ ଭାରତ ଗଠନ ଲକ୍ଷ୍ୟରେ କେନ୍ଦ୍ର ସରକାର ଏବେ ବହୁ ଦୂରଦର୍ଶୀ ଯୋଜନା ପ୍ରଣୟନ କରୁଥିବାର ଜଣାଯାଏ। ଓଡ଼ିଶା ମଧ୍ୟ ବିକଶିତ ଭାରତ ଗଠନରେ ସହଭାଗୀ ହେବାକୁ ଲକ୍ଷ୍ୟ ରଖି କାର୍ଯ୍ୟକରୁଛି। ଦେଶର ଏହି ବିକାଶ ଯାତ୍ରାରେ ଅନେକ କ୍ଷେତ୍ରକୁ ସାମିଲ କରାଯାଉଥିବା ବେଳେ ଆଉ କିଛି କ୍ଷେତ୍ର ଆମ ଆଖି ଆଢୁଆଳରେ ରହିଯାଉଥିବାର ମନେହୁଏ। ଆମଭଳିଆ ସହରୀ ବାବୁମାନଙ୍କ ଦୃଷ୍ଟିରେ ଆଜି ବି ଅଜ୍ଞ ଜନ ବୋଲି ଯାହାଙ୍କୁ ବିବେଚନା କରାଯାଉଛି, ସେହି ବିଜ୍ଞାନୀ ଜନଙ୍କ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଏବଂ ତାଙ୍କ ଜୀବନ ଜୀବିକା ସହିତ ଜଡ଼ିତ କେତୋଟି କ୍ଷେତ୍ର ସମ୍ପର୍କରେ ସାମାନ୍ୟ ଆଲୋଚନା। ସାଧାରଣତଃ ବନବାସୀମାନେ ବିଲବାଡ଼ିରୁ ‘ଗେଣ୍ଡା’ ଧରିଆଣି ସେଥିରେ ସ୍ବାଦିଷ୍ଠ ତରକାରି ତିଆରିକରି ଖାଉଥିବା ଆମ୍ଭେ ଜାଣୁ। ଆମମାନଙ୍କ ଧାରଣା ହୁଏତ ଥାଇପାରେ, ଅର୍ଥାଭାବରୁ ଏହି ଲୋକେ ଗେଣ୍ଡା ସାଉଁଟିଆଣି ଖାଇବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଏହି ବନବାସୀମାନଙ୍କୁ ଖାଦ୍ୟର ପୋଷକତତ୍ତ୍ୱ ବିଷୟରେ ଯାହା ଜଣାଅଛି, ତାହା ହୁଏତ ଆମକୁ ଜଣାନାହିଁ। ଶହ ଶହ ବର୍ଷ ଧରି ଆମ ବନବାସୀମାନେ ଯେଉଁ ଗେଣ୍ଡା ତରକାରିକୁ ପ୍ରିୟ ବ୍ୟଞ୍ଜନଭାବେ ଆଦରି ଚାଲିଛନ୍ତି, ଆଜି ସେହି ବ୍ୟଞ୍ଜନ ତ ୟୁରୋପର ବିଭିନ୍ନ ଦେଶରେ ଖୁବ୍‌ ଆଦର ଲାଭକରିଛି। ବିଶେଷକରି ବିଜ୍ଞାନରେ ବିଭୂଷିତ ଏବଂ ଅଦ୍ୟାବଧି ୭୮ଟି ନୋବେଲ ପୁରସ୍କାର ହାତେଇଥିବା ବିକଶିତ ଦେଶ ଫ୍ରାନ୍ସରେ ଏହା ଆଜି ପାଲଟିଛି ସ୍ବତନ୍ତ୍ର ରାଜକୀୟ ବ୍ୟଞ୍ଜନ। ବଡ଼ବଡ଼ ହୋଟେଲ ଏବଂ ସମ୍ଭ୍ରାନ୍ତ ବର୍ଗଙ୍କ ଖାଦ୍ୟ ଥାଳିରେ ଏହା ବହୁଳଭାବେ ପରଷା ଯାଉଥିବାର ଦେଖାଯାଏ। କାରଣ ଗେଣ୍ଡାରେ ପ୍ରଚୁର ପରିମାଣରେ ପ୍ରାଣୀଜ ପ୍ରୋଟିନ ସହିତ ଲୌହସାର, ଖାଦ୍ୟସାର, ଖଣିଜ ପଦାର୍ଥ, କ୍ୟାଲସିୟମ ରହିଥାଏ। ଏହା ଯେମିତି ସୁସ୍ବାଦୁ ସେମିତି ରୋଗ ପ୍ରତିରୋଧକାରୀ। ଯେଉଁଥିପାଇଁକି ବନବାସୀମାନେ ବର୍ଷତମାମ ପାଣି-କାଦୁଅରେ ଘାଣ୍ଟି ହେଉଥିଲେ ବି ସେମାନଙ୍କୁ ଥଣ୍ଡା-ଶର୍ଦ୍ଦି ଏତେଟା ଆକ୍ରାନ୍ତ କରିପାରେନା। ବଡ଼କଥା ହେଉଛି, ଗେଣ୍ଡାମାଂସରେ କୋଲେଷ୍ଟରଲ ପରିମାଣ ଅତିନଗଣ୍ୟ ଥାଏ। ଗେଣ୍ଡାର ଖୋଳପାରେ କ୍ୟାଲସିୟମ ଭରପୂର ହୋଇଥାଏ। ସ୍ବତନ୍ତ୍ର ପଦ୍ଧତିରେ ଏହାକୁ ନିଆଁରେ ପୋଡ଼ି ଜନଜାତିମାନେ ଚୂନ ତିଆରିକରନ୍ତି ଏବଂ ପାନ, ଦୋକ୍ତା ବା ଖଇନି ଆଦିରେ ତାହା ବ୍ୟବହାର କରିଥାନ୍ତି। ଛେଳି, କୁକୁଡ଼ା, ମତ୍ସ୍ୟ ଚାଷ ଆଦି ପାଇଁ ସରକାରୀ ସ୍ତରରେ ଆଜି ବ୍ୟାପକ ପ୍ରଚାର, ପ୍ରସାର ସହିତ ଲୋକଙ୍କୁ ପ୍ରୋତ୍ସାହିତ କରାଯାଉଛି। ମାଛ ଚାଷ ସହିତ ଗେଣ୍ଡା ଚାଷ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କଲେ ଏବଂ ଗେଣ୍ଡା ଚାଷର ପ୍ରସାର ଘଟିଲେ, ଆମ୍ଭର ସ୍ବାସ୍ଥ୍ୟ ସମ୍ପଦ ସହିତ ଆର୍ଥିକ କ୍ଷେତ୍ରରେ ପ୍ରଗତି ପରିଦୃଷ୍ଟ ହୁଅନ୍ତା।
ବାସୀ ଭାତରେ ବିଶେଷ ଗୁଣ ଥିବାର ଯେଉଁକଥା ଆମେରିକାନ ନ୍ୟୁଟ୍ରିସନ ଆଶୋସିଏସନ ସମେତ ବିଶ୍ୱର ବୈଜ୍ଞାନିକମାନେ ଆଜି ଜାଣିବାକୁ ପାଇଲେ, ସେହିକଥା ଆମ ବନବାସୀଙ୍କୁ ବହୁପୂର୍ବରୁ ଜ୍ଞାତ। ଯେଉଁଥିପାଇଁକି ବାସି ପଖାଳ ଓ ହାଣ୍ଡିଆ ସେମାନଙ୍କର ଅତୀବ ପ୍ରିୟ। ଉନ୍ନତ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଆହାର ରୂପେ ସେମାନେ ପଖାଳକୁ ସର୍ବାଧିକ ପସନ୍ଦ କରିଥାନ୍ତି। ଅନେକ ପରିବାର ତ ବର୍ଷ ତମାମ ଦିନସାରା ପଖାଳ ଖାଇଥାନ୍ତି। ଫର୍ମେଣ୍ଟେସନ ପ୍ରକ୍ରିୟା ଫଳରେ ସେଥିରେ ଥିବା ଲାକ୍‌ଟିକ ଏସିଡ୍‌ ବ୍ୟାକ୍ଟେରିଆ ଯୋଗୁ ମାଇକ୍ରୋ ନ୍ୟୁଟ୍ରିଣ୍ଟ, ଭିଟାମିନ୍ସ ଓ ମିନେରାଲ୍ସ ଆଦିର ପରିମାଣ ବହୁଗୁଣରେ ବୃଦ୍ଧି ପାଇଥାଏ। ଆସାମ କୃଷି ବିଶ୍ୱବିଦ୍ୟାଳୟର ମଧୁମିତା ବରୁଆ ଓ ଗୁଣଜିତ ଗୋସ୍ବାମୀଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ୍‌ ଭାତରେ ମାତ୍ର ୩.୪ ମି.ଗ୍ରା ଲୌହସାର ରହିଥାଏ। କିନ୍ତୁ ୧୨ଘଣ୍ଟା ପଖାଳ ହେଲା ପରେ ଲୌହସାର ପରିମାଣ ୭୩.୯୧ ମି.ଗ୍ରାକୁ ବଢ଼ିଯାଏ। ସେହିପରି ସୋଡ଼ିୟମ ୪୭୫ ମି.ଗ୍ରା.ରୁ ହ୍ରାସପାଇ ୩୦୩ ମି.ଗ୍ରା., ପୋଟାସିୟମ ୩୫ ମି.ଗ୍ରା.ରୁ ବଢ଼ି ୮୩୯ ମି.ଗ୍ରା. ଓ କ୍ୟାଲ୍ସିୟମ ୨୧ ମି.ଗ୍ରା.ରୁ ବଢ଼ି ୮୫୦ ମି.ଗ୍ରା. ହୋଇ ଯାଇଥାଏ। ସାଦା ଭାତରେ ଥିବା ଫାଇଟିକ ଏସିଡ ଓ ଓଲିଗୋସାକାରାଇଡସ ଯୋଗୁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ। କିନ୍ତୁ ସେହି ଭାତ ପଖଳାଯିବା ପରେ ଏ ଅସୁବିଧା ଦୂରେଇଯାଇ ହଜମ କ୍ରିୟା ସହଜ ହୋଇଥାଏ। ପଖାଳ ପିତ୍ତ ନାଶକ, ଅକାଳ ବାର୍ଦ୍ଧକ୍ୟ ନାଶକ। କୋଷ୍ଠକାଠିନ୍ୟ, ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ନିବାରକ ମଧ୍ୟ। ମାନ୍ଦାପଣ ଦୂରେଇଦେଇ ଦେହ-ମନକୁ ଏହା ସତେଜ ରଖେ। ସ୍ଫୁର୍ତ୍ତି ଓ ସାମର୍ଥ୍ୟ ବଢାଏ। କ୍ଳାନ୍ତି ଦୂରକରେ। ପାଚନକ୍ରିୟା ଠିକ୍‌ ରଖେ। ରୋଗ ପ୍ରତିରୋଧକ ଶକ୍ତି ବଢାଏ। ହାଡ଼ ଓ ମାଂସପେଶୀ ସୁଦୃଢ଼ କରେ। ଅଲ୍ସର ରୋଗୀଙ୍କ ପାଇଁ ଏହା ରାମବାଣ ସଦୃଶ। ପଖାଳର ଏତାଦୃଶ ଉପଯୋଗିତା ଉପଲବ୍ଧି କରି ପାଶ୍ଚାତ୍ୟ ଜଗତ ମଧ୍ୟ ପଖାଳ ପ୍ରେମରେ ଆଜି। ପଖାଳର ଚାହିଦାକୁ ଚାହିଁ ବଡ଼ ବଡ଼ ହୋଟେଲରେ ହୋମ୍‌ ଡେଲିଭରିର ବ୍ୟବସ୍ଥା ହେଲାଣି। ଆଉ ତୋରାଣିରୁ ତିଆରି କାଞ୍ଜି ତ ଆମେରିକା ଓ ୟୁରୋପୀୟମାନଙ୍କ ପାଇଁ ପଥ୍ୟ ସମ ଅତୀବ ପସନ୍ଦର ସାମଗ୍ରୀ ପାଲଟିଗଲାଣି। କାଞ୍ଜି ଆଜି ସେମାନଙ୍କ ପାଇଁ ଗବେଷଣାର ବିଷୟ ସାଜିଛି।
ଏବେ ଆସିବା ହାଣ୍ଡିଆ ପାଖକୁ। ବାସୀଭାତ ଅଧିକଦିନ ରହି ଅମ୍ଳୀଭବନ ଅଧିକ ହୋଇଥିବା ଯୋଗୁ ହାଣ୍ଡିଆର ଗୁଣ ପଖାଳଠାରୁ ଅଧିକ। ପୁନଶ୍ଚ ସେଥିରେ ସ୍ବାସ୍ଥ୍ୟ ଉପଯୋଗୀ ନିର୍ଦ୍ଦିଷ୍ଟ ଗୁଳ୍ମର ଚେର ଆନୁପାତିକ ରୀତିରେ ଅରୁଆ ଚାଉଳର ଚୂନା ସହିତ ମିଶାଇ, ଛୋଟଛୋଟ ଗୁଲି କରି ଖରାରେ ୩/୪ଦିନ ଶୁଖାଇ ସ୍ବତନ୍ତ୍ର ପଦ୍ଧତିରେ ‘ବାଖର’ କରାଯାଇଥାଏ। ଉଷୁନା ଚାଉଳ ଭାତରେ (ପେଜ ଅକ୍ଷୁଣ୍ଣ ରଖି) ନିର୍ମିତ ପଖାଳ ସହିତ ଏହି ବାଖର ମିଶାଇ ୪/୫ ଦିନ ଢାଙ୍କିରଖି ହାଣ୍ଡିଆ ତିଆରି କରାଯାଇଥାଏ। ଖୁବ୍‌ ଅଧିକ ପରିମାଣରେ ଅମ୍ଳୀଭବନ ହୋଇଥିବାରୁ ତାହା ଟିକେ କଟୁ ଗନ୍ଧ କରିଥାଏ। ସାମାନ୍ୟ ଟିକେ ନିଶାଯୁକ୍ତ ହେଲେବି ବନବାସୀଙ୍କର ଏହା ଅତିପ୍ରିୟ ପାନୀୟ। ବନବାସୀ ସଂସ୍କୃତିରେ ଓତପ୍ରୋତ ଭାବେ ଜଡ଼ିତ ଏହି ହାଣ୍ଡିଆ। ପ୍ରତିଟି ପର୍ବ-ପର୍ବାଣି, ବିବାହ, ମହୋତ୍ସବ, ଅତିଥି ଅଭ୍ୟର୍ଥନା ଆଦିରେ ସମ୍ମାନର ସନ୍ତକ ହେଉଛି ହାଣ୍ଡିଆ। ବିଦେଶୀ ମଦ ପରି ଶରୀରକୁ ଏହା ଏତେଟା ନିଶାସକ୍ତ କରେନାହିଁ। ହେଲେ ଏସବୁ କ୍ଷେତ୍ରଗୁଡ଼ିକ କ’ଣ ଆମ ବିକାଶ ଯାତ୍ରାରେ ସହଭାଗୀ ହେବାକୁ ଅସମର୍ଥ? ବିଦେଶୀ ମଦଶିଳ୍ପ ସ୍ଥାନରେ ହାଣ୍ଡିଆ ଶିଳ୍ପ ଏବଂ ସ୍ବାସ୍ଥ୍ୟକର ମୃଦୁ ପାନୀୟର ବଢ଼ିଆ ବିକଳ୍ପ ଭାବେ କାଞ୍ଜି ଶିଳ୍ପର ବିକାଶ ପାଇଁ ସରକାର ବିହିତ ବ୍ୟବସ୍ଥା ଆପଣାଇଲେ ଗ୍ରାମ୍ୟ ଅର୍ଥନୀତି ଅଧିକ ସୁଦୃଢ଼ ହୋଇପାରନ୍ତା। ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନା ଆହୁରି ଅଧିକ ଫଳପ୍ରଦ ହୁଅନ୍ତା।
ମୋ: ୯୪୩୭୪୩୬୦୭୩

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri