ଭୁବନେଶ୍ୱର,୨୬ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ। ଆସନ୍ତାକାଲି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୪୮ ଘଣ୍ଟା ପ୍ରବଳ ବର୍ଷିବ। ଏନେଇ ଆଗାମୀ ଦୁଇଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ରବିବାର କେନ୍ଦୁଝର ଜିଲାରେ ଅତ୍ୟଧିକ ବର୍ଷା ନେଇ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଯାଜପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଏବଂ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ଏଥିସହ ୨୧ ଜିଲାରେ ଘଡ଼ଘଡ଼ି ସହ ବର୍ଷା ପବନ ହେବା ନେଇ ସୂଚନା ଦିଆଯାଇଛି। ସେହିପରି ସୋମବାର ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସମୁଦ୍ର ଭିତରେ କେହି ମତ୍ସ୍ୟଜୀବୀ ଥିଲେ ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି।