ଛିଣ୍ଡାପାଲ ତଳେ ଦମ୍ପତିଙ୍କ ଜୀବନ

କୋରେଇ,୯ା୧୦(ଚନ୍ଦ୍ରକାନ୍ତ ପତି):କୋରେଇ ବ୍ଲକ ଅଧୀନ ଗୌରପୁର ପଞ୍ଚାୟତ ଇଚ୍ଛାପୁର ଗ୍ରାମର ମୂଳବାସିନ୍ଦା ନିରଞ୍ଜନ ଜେନା(୭୭) ଓ ତାଙ୍କ ସ୍ତ୍ରୀ ଦୁଃଖୀ ଜେନା (୭୨) ଛିଣ୍ଡାପାଲ ତଳେ ଜୀବନ ଅତିବାହିତ କରୁଛନ୍ତି। ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏମାନଙ୍କୁ ଘର ଖଣ୍ଡିଏ ମିଳି ପାରିନାହିଁ। ସାମାନ୍ୟ ବର୍ଷା ହେଲେ ଘରେ ପାଣି ଗଳୁଛି। ଫଳରେ ରୋଷେଇ କରିବା ତ ଦୂରର କଥା ଶାନ୍ତିରେ ଟିକେ ଶୋଇବା ମଧ୍ୟ ଉଭୟଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି।
ନିରଞ୍ଜନ ଜଣେ ଭିନ୍ନକ୍ଷମ। ପିଲା ଛୁଆ ନ ଥିବା ହେତୁ ଦମ୍ପତି ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ। କିଛି ବର୍ଷ ହେବ ନିରଞ୍ଜନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିଯିବାରୁ ଦୁହେଁ ବହୁ କଷ୍ଟରେ ଦିନକୁ ଦୁଇଓଳି ଖାଦ୍ୟ ଯୋଗାଡ଼ କରୁଛନ୍ତି। ୩୫ କିଲୋ ଚାଉଳ ଏବଂ ଭତ୍ତାକୁ ଛାଡ଼ିଦେଲେ ଅନ୍ୟ କୌଣସି ସରକାରୀ ସୁବିଧା ପାଇନାହାନ୍ତି। ଘର ପାଇଁ କେତେଜଣ ସାମାଜିକ କର୍ମୀ ଓ ସ୍ଥାନୀୟ ଯୁବକ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। କେତେକ ସାମାଜିକ ଅନୁଷ୍ଠାନ ନିରଞ୍ଜନ ଓ ଦୁଃଖୀଙ୍କ ନିକଟରେ ପହଞ୍ଚି ଆର୍ଥିକ ସହାୟତା ଓ ରାଶନ ଯୋଗାଇ ଦେଇଥିବା ସୂଚନା ମିଳିଛି। ଜିଲା ପ୍ରଶାସନ ତୁରନ୍ତ ଦମ୍ପତିଙ୍କୁ ଘରଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବ୍ଲକ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡ଼ାଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ ଗ୍ରହଣ କରି ନ ଥିଲେ।