Categories: ରାଜ୍ୟ

ହନୁମାନ ପଇସା ପାଇଁ ଦମ୍ପତିଙ୍କୁ ଅପହରଣ

ବରଗଡ଼ ଅଫିସ୍‌/ଝାରବନ୍ଧ,୧୩।୭: ହନୁମାନ ପଇସା ଲୋଭରେ ବରଗଡ଼ ଜିଲା ଝାରବନ୍ଧ ଥାନା ଭଇଁଷାଦର୍ହା ଗ୍ରାମର ଏକ ଦମ୍ପତିଙ୍କୁ ଅପହରଣ କରାଯାଇଥିଲ। ଅପହୃତ ଦମ୍ପତି ଉକ୍ତ ଗ୍ରାମର ଧରମସିଂ ନାଏକ(୩୦) ଓ ସ୍ତ୍ରୀ ବିନିତା(୨୫)ଙ୍କୁ ମଙ୍ଗଳବାର ଉଦ୍ଧାର କରିଛି ଝାରବନ୍ଧ ପୋଲିସ। ଏଥିରେ ସମ୍ପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନୂଆପଡ଼ା ଜିଲା ବେଲଟୁକୁରୀ ଥାନା ଅମୋଡ଼ି ଗ୍ରାମର ନେହେରୁଲାଲ ନାଏକ(୫୩), କିଶନଲାଲ ନାଏକ(୨୭), ଟଙ୍କିଦାଦର ଗ୍ରାମର ଟିକେଶ୍ୱର ସତନାମୀ(୨୮), ଝାରବନ୍ଧ ଥାନା ଡୁଡୁକିଦାଦର ଗ୍ରାମର ସୁରେଶ ନାଏକ(୨୪), କିଶୋର ବାଗ(୩୦), ଏବଂ ରାମପ୍ରସାଦ ନାଏକ(୩୫)। ସେମାନଙ୍କ ପାଖରୁ ଏକ ଟାଟା ସୁମୋ (ନଂ. ସିଜି୦୪ଏଚ୍‌ଏ ୧୭୮୪), ମାରୁତି ଇକୋ (ନଂ.ସିଜି୦୪ଏମଆର ୬୯୩୩) ଏବଂ ୬ଟି ମୋବାଇଲ ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର ପଦ୍ମପୁର କୋର୍ଟକୁ ଚାଲାଣ କରାଯାଇଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଧରମସିଂଙ୍କ ଘରେ ଥିବା ଗୋଟିଏ ହନୁମାନ ପଇସା ଚାଉଳ ଟାଣୁଥିବା ଗୁଜବ ହୋଇଥିଲା। ଏହି ଗୁଜବକୁ ସତ ବିଶ୍ୱାସ କରି ଅଭିଯୁକ୍ତମାନେ ହନୁମାନ ପଇସା ପାଇଁ ଗତ ୧୧ତାରିଖ ପୂୂର୍ବାହ୍ନ ପ୍ରାୟ ୧୧ଟାରେ ସେମାନେ ଟାଟାସୁମୋ ଗାଡ଼ି ଧରି ପହଞ୍ଚିଥିଲେ ଧରମସିଂଙ୍କ ଘରେ। ଘର ବାହାରେ କାଠ କାଟୁଥିବା ଧରମସିଂଙ୍କୁ ଜୋରଜବରଦସ୍ତ ଗାଡ଼ିକୁ ଉଠାଇ ନେଇଥିଲେ ଅଭିଯୁକ୍ତମାନେ। ଏହା ଦେଖି ବିନିତା ବିରୋଧ କରିବାରୁ ତାଙ୍କୁ ମଧ୍ୟ ଗାଡ଼ିକୁ ଟାଣି ନେଇଥିଲେ।

ଅଭିଯୁକ୍ତମାନେ ଏହି ଦମ୍ପତିଙ୍କୁ ଛତିଶଗଡ଼ର ବିଳାସପୁର, ପଲ୍ଲାରୀ, ରାୟପୁର ନେଇଥିଲେ ଏବଂ ପରେ ଝାରବନ୍ଧ ଥାନା ଡୁଡୁକିଦାଦର ନିକଟ ସୁରକୁଲା ଜଙ୍ଗଲକୁ ଆଣିଥିଲେ। ନଗଦ ୬୦ହଜାର ଟଙ୍କା ଓ ହନୁମାନ ପଇସା ନ ଦେଲେ ଜୀବନରେ ମାରିଦେବାକୁ ସେମାନେ ଧମକ ଦେଇଥିଲେ। ତେବେ ତାଙ୍କ ପାଖରେ ହନୁମାନ ପଇସା ଥିବା ନେଇ କେବଳ ଗୁଜବ ହୋଇଥିବା ଦମ୍ପତି କହିଥିଲେ। କିନ୍ତୁ ଅଭିଯୁକ୍ତମାନେ ବିଶ୍ୱାସକୁ କରି ନ ଥିଲେ ଏବଂ ତାଙ୍କ ସମ୍ପର୍କୀୟ ହୀରାଲାଲଙ୍କୁ ଫୋନ କରି ଅପହରଣ ସମ୍ପର୍କରେ ସୂଚନା ଦେଇଥିଲେ। ଏ ନେଇ ହୀରାଲାଲ ଝାରବନ୍ଧ ଥାନାରେ ଏତଲା ଦେବା ପରେ ଝାରବନ୍ଧ ଥାନାଧିକାରୀ ଅନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଖୋଳତାଡ଼ ଆରମ୍ଭ କରିଥିଲା । ମଙ୍ଗଳବାର ସକାଳୁ ସୁରକୁଲା ଜଙ୍ଗଲରୁ ଅପହୃତ ଦମ୍ପତିଙ୍କୁ ଉଦ୍ଧାର ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।