ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ମାମଲା: ୪ ସପ୍ତାହରେ ରିପୋର୍ଟ ଦାଖଲ ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩।୭(ବ୍ୟୁରୋ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ବାରମ୍ବାର ବଳାତ୍କାର ଓ ପରେ ଗର୍ଭପାତ କରିବା ଘଟଣାକୁ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ୱର ସହ ନେଇଛନ୍ତି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ସଂକ୍ରାନ୍ତ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ସୁନ୍ଦରଗଡ଼ ଏସ୍‌ପି ଏବଂ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ପାଇବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କମିଶନ କହିଛନ୍ତି।
ଇତିମଧ୍ୟରେ ଏହି ସ୍ପର୍ଶକାତର ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ତତ୍‌କାଳୀନ ଥାନାଧିକାରୀଙ୍କୁ ଗିରଫ କରାଯିବା ସହ ଚାକିରିରୁ ବହିଷ୍କାର କରାଯାଇଛି। କିନ୍ତୁ ସମ୍ପୃକ୍ତ ଜଣେ ପୋଲିସ ଏସ୍‌ଆଇ ଓ ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ। ତେଣୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ କମିଶନଙ୍କ ନିକଟରେ ଦାବି କରିଛନ୍ତି। ଏହି ମାମଲାରେ ୬ଜଣଙ୍କ ନାଁରେ ମାମଲା ହୋଇଛି। ପୋଲିସ ଡିଜି ଅଭୟ କେବଳ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ମାଝିଙ୍କୁ ବହିଷ୍କୃତ କରିଥିଲେ ମଧ୍ୟ ସଂପୃକ୍ତ ଏସ୍‌ଆଇଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। କେଉଁ କାରଣ ପାଇଁ ଅନ୍ୟ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଉଛନ୍ତି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ହିମାଂଶୁ। ପୀଡିତା ନାବାଳିକାଙ୍କୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ସେ କମିଶନଙ୍କ ନିକଟରେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୫ରେ ନାବାଳିକା ଜଣକ ମେଳା ଦେଖିବାକୁ ବୀରମିତ୍ରପୁର ଯାଇଥିଲେ। କରୋନା କଟକଣା ପାଇଁ ମେଳା ବନ୍ଦ ହୋଇଯିବାରୁ ସେ କୌଣସି କାରଣରୁ ଗଁାକୁ ଫେରି ପାରି ନ ଥିଲେ। ପାଟ୍ରୋଲିଂରେ ଥିବା ପୋଲିସ ତାଙ୍କୁ ଥାନାକୁ ନେଇ ଅଟକ ରଖିଥିଲା। ପରେ ଥାନା ଅଧିକାରୀ ମାଝି ନାବାଳିକାଙ୍କୁ ଥାନା କୋଠାର ଉପର ମହଲାକୁ ନେଇ ବଳାତ୍କାର କରି ପରଦିନ ସକାଳୁ ତାଙ୍କ ଘରେ ଛାଡ଼ିଥିଲେ। ଏହାପରେ ୩ମାସ ଧରି ଲଗାତାର ତାଙ୍କୁ ଥାନାକୁ ଡାକି ବଳାତ୍କାର କରିଥିଲେ। ଏହି ସୁଯୋଗରେ ଥାନାର ଜଣେ ଏସ୍‌ଆଇଙ୍କ ସମେତ ଅନ୍ୟ କେତେଜଣ କର୍ମଚାରୀ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ। ଅନ୍ୟପକ୍ଷରେ ଗର୍ଭପାତରେ ସମ୍ପୃକ୍ତ ଡାକ୍ତରଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଥିଲା।