୫ମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେଇ ଫେରାର ହୋଇଗଲା କାର୍‌, ଡାହାଣ ଗୋଡ଼ରେ ଚକା ଚଢ଼ିଯିବାରୁ…

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲି ବନ୍ଧ ଗ୍ରାମର ସୁବାସ ନାଇକଙ୍କ ପୁଅ ୫ମ ଶ୍ରେଣୀରେ ପଢୁଥିବା ଛାତ୍ର ଅବିନାଶ(୧୦)ଙ୍କୁ ଏକ କାର୍‌ ଧକ୍କା ଦେଇ ଚମ୍ପଟ ମାରିଛି। ସେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ରବିବାର ମଧ୍ୟାହ୍ନରେ ଅବିନାଶ ତାଙ୍କ ବାପାଙ୍କ ସହ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତି ରେ ଆସୁଥିବା କାର୍‌ଟି ଅବିନାଶଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଅବିନାଶଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ବାପା ସମ୍ପର୍କୀୟମାନଙ୍କ ସହାୟତାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଡ଼ାହାଣ ଗୋଡ଼ରେ କାର୍‌ ଚକା ମାଡ଼ିଯାଇଛି। ଫଳରେ ତାଙ୍କ ପାଦ କଟା ଯିବାର ଆଶଙ୍କା ରହିଛି ବୋଲି ଅବିନାଶଙ୍କ ବାପା କହିଛନ୍ତି। ଏନେଇ ସେ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ବ୍ୟକ୍ତିଙ୍କ ଘର ଓ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଦୁର୍ଘଟଣା ଘଟାଇଥିବା ଉକ୍ତ କାର୍‌କୁ ଖୋଜୁଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share