ନୂଆ ଓଡ଼ିଶାର ନୂଆ ପିଢ଼ିକୁ ଆହ୍ବାନ

ଆଜି ପବିତ୍ର ସ୍ବାଧୀନତା ଦିବସ। ପିଢ଼ି ପରେ ପିଢ଼ିର ତ୍ୟାଗ, ତପସ୍ୟା ଓ ବଳିଦାନର ମୂଳଦୁଆ ଉପରେ ଠିଆ ହୋଇଛି ଆମ ସ୍ବାଧୀନତା ଓ ଗଣତନ୍ତ୍ରର ସୌଧ। ଆମର ବଳିଦାନୀ ସ୍ବାଧୀନତା ସଂଗ୍ରାମୀ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତଙ୍କ ସ୍ମୃତିରେ କୋଟି କୋଟି ପ୍ରଣାମ। ଆମର ସ୍ବାଧୀନତା ସଂଗ୍ରାମ କେତୋଟି ହାତଗଣତି ପରିବାରର ଅବଦାନ ନ ଥିଲା ବରଂ ଏହା ଥିଲା ଗତ ଶତାବ୍ଦୀର ସବୁଠାରୁ ବଡ଼ ଜନ ଆନ୍ଦୋଳନ।
ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ, ଜଣେ ସାଧାରଣ ଓଡ଼ିଆ ଓ ଆଦିବାସୀ ଭାବରେ ମୁଁ ବି ସାରା ଦେଶ ଓ ମୋ ପ୍ରିୟ ରାଜ୍ୟବାସୀଙ୍କ ସହ ଏହି ମହାନ୍‌ ଉତ୍ସବରେ ସାମିଲ। ଆଜି ରାଜଧାନୀର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍‌ରେ ଯୋଗଦେବାର ଉତ୍ସାହ ଅଛି। ଏହି ଅବସରରେ ମୁଁ ନିଶ୍ଚିତ ଭାବରେ ମୋ ସରକାର, ଜନ ଆକାଂକ୍ଷା ଓ ବିକାଶର ଆଲୋଚନା କରିବି। କିନ୍ତୁ ତା’ ପୂର୍ବରୁ ମୋ ରାଜ୍ୟର ନୂଆ ଓଡ଼ିଶାର ନୂଆ ପିଢ଼ି ସହ କିଛି କଥା – କିଛି ବ୍ୟଥା ବାଣ୍ଟିବାକୁ ଚାହୁଁଛି।
ଆମ ମାତୃଭୂମି ଓଡ଼ିଶା କେବଳ ଏକ ଭୂଖଣ୍ଡ ନୁହେଁ। କେବଳ ଏକ ଭୌଗୋଳିକ ଅବସ୍ଥିତି ନୁହେଁ, ଏହା ୪.୫ କୋଟି ଓଡ଼ିଆଙ୍କ ଭାବାବେଗର ଅଭିବ୍ୟକ୍ତି। ହଜାର ହଜାର ବର୍ଷର ଆମ ଇତିହାସରୁ ପ୍ରେରଣା ନେଇ ବିକାଶର ରାସ୍ତାରେ ଯିବା ସତ, କିନ୍ତୁ ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ‘ବିକାଶ ଭି ବିରାଶତ୍‌ ଭି’ ଏହି ମନ୍ତ୍ରରେ ଉଦ୍‌ବୁଦ୍ଧ ହେବା ପାଇଁ ମୁଁ ନୂଆ ଓଡ଼ିଶାର ନୂଆ ପିଢ଼ିକୁ ସ୍ବାଧୀନତା ଦିବସର ଏହି ଶୁଭ ଅବସରରେ ଆହ୍ବାନ ଜଣାଉଛି।
ସାରା ବିଶ୍ୱରେ ଅନେକ ସଭ୍ୟତା ଜନ୍ମ ନେଇଛି। ଏହାର ବିଲୟ ବି ହୋଇଛି। ଭାରତୀୟ ସଭ୍ୟତା ଅନାଦି-ଅନନ୍ତ କାଳରୁ ଅଛି ଏବଂ ଭାରତର ସନାତନୀ ବିଚାର ଆହୁରି ଯୁଗ ଯୁଗ ଧରି ବଞ୍ଚି ରହିବ, କାରଣ ଆମେ ଭାରତୀୟ ଆମ ଐତିହ୍ୟ ପରମ୍ପରାକୁ ସାଙ୍ଗରେ ନେଇ ହିଁ ଆଗକୁ ଯାଇଛୁ।
ମହମ୍ମଦ ଇକ୍‌ବାଲଙ୍କ ‘ସାରେ ଜହାଁ ସେ ଅଚ୍ଛା’ କବିତାର ପଦଟିଏ କହିବି-
”ୟୁନାନ-ଓ-ମିଶ୍ର-ଓ-ରୋମା, ସବ୍‌ ମିଟ୍‌ ଗୟେ ଜହାଁ ସେ
ଅବତକ ମଗର ହେ ବାକି, ନାମ ଔର ନିଶାନ ହମାରା
କୁଛ ବାତ୍‌ ହୈ କି ହସ୍ତୀ ମିଟତି ନେହିଁ ହମାରି“
ସେଇ ‘କୁଛ୍‌ ବାତ୍‌ ହୈ କୀ ହସ୍ତୀ’ ହେଉଛି ଆମ ଭାରତୀୟ ସମାଜର ସଂସ୍କୃତି-ପରମ୍ପରା ଓ ଅସ୍ମିତା।
୧୯୪୭ରେ ଆମର ସ୍ବାଧୀନତା ଆନ୍ଦୋଳନ ପୂର୍ବରୁ ଏ ଓଡ଼ିଆ ଜାତି ସମାନ୍ତରାଳ ଭାବେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଭାରତରୁ ବିଲାତ ପର୍ଯ୍ୟନ୍ତ ସଂଘର୍ଷ ଲଢ଼ିଥିଲା। ୧୯୩୬ ମସିହାରେ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ଗଠିତ ହେଲା।
ଆମେ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶର ଲଢ଼େଇ ଲଢ଼ିଲୁ। ଦେଶର ମୁକ୍ତି ଆନ୍ଦୋଳନ ବି ଲଢ଼ିଲୁ। ଗୋଟିଏ ପଟେ ଆଞ୍ଚଳିକ ପରିଚୟ ପାଇଁ ଲଢ଼େଇ, ସେପଟେ ରାଷ୍ଟ୍ରୀୟ ସ୍ରୋତ। ଓଡ଼ିଶା ସାରା ଦେଶକୁ ରାଷ୍ଟ୍ରୀୟ ଏକତାର ନୂଆ ସନ୍ଦେଶ ଦେଇଥିଲା। ଦୁଇଟି ଆନ୍ଦୋଳନ, ଆଞ୍ଚଳିକ ସ୍ବତନ୍ତ୍ର ପରିଚୟକୁ ସ୍ବୀକୃତି ଓ ରାଷ୍ଟ୍ରୀୟ ମୁକ୍ତି ସଂଗ୍ରାମ, ଏକ ଓ ଅଭିନ୍ନ, ଏହା ଓଡ଼ିଶା ହିଁ ସମ୍ଭବ କରି ଦେଖାଇଥିଲା।
ଆମ ଓଡ଼ିଆ ମାଟିର ଶକ୍ତି କିଛି ଅଲଗା। କିଏ କହିଲା ଓଡ଼ିଶା କଳିଙ୍ଗ ଯୁଦ୍ଧ ହାରିଥିଲା? କଳିଙ୍ଗ ଯୁଦ୍ଧରେ ଲକ୍ଷେ ଓଡ଼ିଆଙ୍କ ବଳିଦାନ ଦୟାନଦୀକୁ ରକ୍ତରଞ୍ଜିତ କରି ନ ଥିଲା ବରଂ ଓଡ଼ିଆଙ୍କ ବଳିଦାନ ସାରା ବିଶ୍ୱରେ ବୌଦ୍ଧ ମତର ପ୍ରଚାର ମାଧ୍ୟମରେ ଶାନ୍ତିର ବିଜୟ ବୈଜୟନ୍ତୀ ଉଡ଼ାଇଥିଲା।
ରାଜ୍ୟ ଯୁଦ୍ଧ ଲଢ଼ୁଥିଲା। କିନ୍ତୁ ରାଜା ନ ଥିଲେ? ବୋଧହୁଏ ଇତିହାସକାରମାନଙ୍କର ଏହା ମତ। କିନ୍ତୁ ଆଜି ଦିନରେ ଭାରତୀୟ ଇହିହାସକାରମାନେ ସେ ସମୟର ଯୁଦ୍ଧ ବ୍ୟବସ୍ଥା, ନାଗରିକ ସମାଜର ସାମୂହିକ ନିର୍ଣ୍ଣୟ ଏବଂ ଯୁଦ୍ଧ ରଣନୀତି ଉପରେ ପୁଣି ଅନୁଧ୍ୟାନ ଓ ଗବେଷଣା କରି ଅନେକ ପରଦା ହଟାଇବାର ସମ୍ଭାବନା ଅଛି। ଓଡ଼ିଶାରେ ଦୁଇ ହଜାର ବର୍ଷରୁ ଊର୍ଦ୍ଧ୍ୱ ସମୟ ପୂର୍ବରୁ ଗଣତନ୍ତ୍ରର ପଦଚିହ୍ନ ଖୋଜିବାକୁ ଆଜି ସମୟ ଆସିଛି କି ନାହିଁ ଥରେ ଚିନ୍ତା କରନ୍ତୁ ? ରାଜା ନ ଥିଲେ, ରାଜ୍ୟ ଓ ଯୁଦ୍ଧ ସୁପରିଚାଳନା ହେଉଥିଲା ଏହା ତ ବଡ଼ ଗବେଷଣାର ପ୍ରସଙ୍ଗ। ମାନେ, ଯଦି ଏହା ସତ ତେବେ ଓଡ଼ିଶା ବିଶ୍ୱକୁ ନୂଆ ମ୍ୟାନେଜମେଣ୍ଟ ଥିଓରି ଶିଖାଇବାର କ୍ଷମତା ରଖିଛି ବୋଲି କୁହାଯାଇପାରିବ ନା ନାହିଁ?
ମୋର ଓଡ଼ିଶାର ନୂଆ ପିଢ଼ିଙ୍କୁ ଅନୁରୋଧ, ଥରେ କୋଣାର୍କ ଯାଇ ଓଡ଼ିଶାର ବୈଜ୍ଞାନିକ ପରମ୍ପରାକୁ, ଉଦ୍ୟମୀ ସମାଜ ତଥା ପ୍ରାଚୀନ ଯୁଗରେ ଆଧୁନିକତାର ଛାପକୁ ଆଖିରେ ଦେଖନ୍ତୁ।
ଆଉ ଥରେ କୋଣାର୍କ ବୁଲନ୍ତୁ, ଅନୁଭବ ଲେଖନ୍ତୁ। ଭଗବାନ ସୂର୍ଯ୍ୟନାରାୟଣଙ୍କ ଉଦୟରୁ ଅସ୍ତ, ଗ୍ରହ ମଣ୍ଡଳର ଗତି, ପୃଥିବୀ-ସୂର୍ଯ୍ୟ-ଚନ୍ଦ୍ରର ସ୍ଥିତି-ଅବସ୍ଥିତିର ଗଭୀର ଅଧ୍ୟୟନ ବିନା ସୂର୍ଯ୍ୟମନ୍ଦିର ସମ୍ଭବ କି? ଚତୁଃପାର୍ଶ୍ୱର ସୂର୍ଯ୍ୟମୂର୍ତ୍ତିମାନଙ୍କର ଅବସ୍ଥିତି, ଚକରେ ସମୟ ଗଣନାର ନିର୍ଭୁଲ୍‌ ପ୍ରକ୍ରିୟା ଓଡ଼ିଆ ଜାତିର ବୈଜ୍ଞାନିକ ଆଧାରର ପ୍ରମାଣ ନା ନାହିଁ?
ସୂର୍ଯ୍ୟମନ୍ଦିର ଆମ ପୂର୍ବ ପୁରୁଷମାନେ ଆଷ୍ଟ୍ରୋ ଫିଜିକ୍ସରେ ପାରଙ୍ଗମ ଥିଲେ ବୋଲି ପ୍ରମାଣିତ କରୁନାହିଁ କି? କୋଣାର୍କରେ ଜିରାଫର ମୂର୍ତ୍ତି ଓଡ଼ିଶାର ଆଫ୍ରିକା ମହାଦେଶ ସହ ସମ୍ପର୍କର ସୂଚନା ଦେଉନାହିଁ କି?
କୋଣାର୍କ କାନ୍ଥରେ ଭ୍ୟାନିଟି ବ୍ୟାଗଧାରୀ ମହିଳାଙ୍କ ମୂର୍ତ୍ତିକୁ ଥରେ ଦେଖନ୍ତୁ। ତ୍ରୟୋଦଶ ଶତାବ୍ଦୀ ମହିଳାଙ୍କ ହାତରେ ଭ୍ୟାନିଟି ବ୍ୟାଗ? ନୂଆ ଓଡ଼ିଶାର ନୂଆ ପିଢ଼ି କୋଣାର୍କର ଏହି ମୂର୍ତ୍ତିକୁ ନିଜେ ଆଖିରେ ଦେଖିବା ଉଚିତ କି ନାହିଁ ?
ଆମର ପୁଅ ପଠାଣି ସାମନ୍ତ କେତେ ଖଣ୍ଡ ବାଉଁଶ ନଳୀରେ ସୂର୍ଯ୍ୟ-ଚନ୍ଦ୍ର, ଗ୍ରହ-ନକ୍ଷତ୍ରଙ୍କ ସ୍ଥିତି ଏବଂ ଅବସ୍ଥିତିର ନିର୍ଭୁଲ୍‌ ଗଣନା କରିଥିଲେ ନା ନାହିଁ ?
ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରୁ ପ୍ରକାଶିତ ହେଉଥିବା ପଞ୍ଜିକାର ଗଣନାରେ କେବେ ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣର ଗଣନା ଭୁଲ୍‌ ହୋଇଛି? ବିଜ୍ଞାନର ସୃଷ୍ଟିର କାହିଁ କେଉଁ ଶତାବ୍ଦୀ ପୂର୍ବରୁ ଓଡ଼ିଆ ଜାତି ବିଜ୍ଞାନରେ ପାରଙ୍ଗମ ଥିଲା, ଏହା ପ୍ରମାଣ ଦେବାର ଆବଶ୍ୟକତା ଅଛି କି?
ଆମ ସନ୍ଥକବି ଭୀମ ଭୋଇଙ୍କର କାଳଜୟୀ କବିତା ”ପ୍ରାଣୀଙ୍କ ଆରତ, ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ“ ବୋଧହୁଏ ପୃଥିବୀର ସବୁଠୁ ବଡ଼ ଦାର୍ଶନିକମାନଙ୍କଠାରୁ ଆମ ଭୀମ ଭୋଇଙ୍କ ବିଚାର ବହୁ ଉଚ୍ଚକୋଟୀର, ଏଥିରେ ସନ୍ଦେହ କରିବାର କିଛି ଅଛି ? ଓଡ଼ିଶା ହେଉଛି ଏହି ଜାତି। ଯେଉଁଠି ସଂସ୍କୃତ ପରେ ପ୍ରଥମେ ଓଡ଼ିଆ ଭାଷାରେ ସାରଳା ଦାସ ମହାଭାରତ ରଚନା କରିଥିଲେ। ମହାକବି କାଳିଦାସ ଓଡ଼ିଶାର ରାଜାଙ୍କୁ ‘ମହୋଦଧି ପତି’ ଅର୍ଥାତ୍‌ ସମୁଦ୍ରର ରାଜା ଭାବେ ସମ୍ବୋଧିତ କରିଛନ୍ତି।
ଆମର ସାଧବପୁଅ ପୂରା ଦକ୍ଷିଣ-ପୂର୍ବ ଏସୀୟ ଦେଶ ସମୂହରେ ବେପାର ବଣିଜ କରି ଓଡ଼ିଶାକୁ ସମ୍ପନ୍ନ କରି ନ ଥିଲେ ବରଂ ସମଗ୍ର ବିଶ୍ୱରେ ଓଡ଼ିଶାକୁ ଆର୍ଥିକ ଦୃଷ୍ଟିରୁ ଏକ ଆଗୁଆ ଭୂଖଣ୍ଡ କରିଥିଲେ। ଏ ଜାତିର ଗୌରବର ଗାଥା ଗଙ୍ଗାରୁ ଗୋଦାବରୀ ବିଜୟର ସଫଳତା ପଛରେ ଲୁଚିଛି।
ଆଜି ପବିତ୍ର ସ୍ବାଧୀନତା ଦିବସରେ ନୂଆ ଓଡ଼ିଶାର ନୂଆ ପିଢ଼ିଙ୍କୁ ଓଡ଼ିଶାର ଐତିହ୍ୟ – ପରମ୍ପରା ଏବଂ ମହାନ୍‌ ଇତିହାସର ଅଧ୍ୟୟନ କରିବା ସହ ସେଥିରେ ଗର୍ବିତ ହେବାକୁ ଆହ୍ବାନ ଜଣାଉଛି।
୨୦୩୬ ମସିହାରେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ହେବ। ୨୦୪୭ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ହେବ। ୨୦୨୫ରୁ ୨୦୩୬ ଆଉ ୧୦-୧୧ ବର୍ଷର ସମୟ। ୨୦୨୫ରୁ ୨୦୪୭ ଆଉ ୨୦-୨୨ ବର୍ଷର ସମୟ। ହାତରେ ମୋଟ ୨ ଦଶନ୍ଧିର ସମୟ ଏବଂ ସେଥିରେ ପ୍ରଥମ ଦଶନ୍ଧି ଆମ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ।
ଆସନ୍ତୁ ପବିତ୍ର ସ୍ବାଧୀନତା ଦିବସରେ ଗଣତନ୍ତ୍ରର ଜୟ ଜୟକାର କରିବା ତା’ସହ ବିକାଶ ପାଇଁ ହିଁ ଗଣତନ୍ତ୍ର ଏହାର ମହତ୍ତ୍ୱକୁ ବୁଝି ବିକଶିତ ଭାରତର ମୂଳଦୁଆ ଆମ ଜନ୍ମମାଟି ଓଡ଼ିଶାରୁ ପକାଇବା। ସେଥିପାଇଁ ସୁଚିନ୍ତିତ ଯୋଜନା ସହ ସମୟବଦ୍ଧ ଲକ୍ଷ୍ୟ ଆଧାରିତ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ମୋ ସରକାର ବଦ୍ଧପରିକର।
ସାମ୍ନାରେ ଆମର ଭିଜନ-୨୦୩୬ ଅଛି। ୨୦୨୯ ମସିହା ସୁଦ୍ଧା ଆମର ଲକ୍ଷ୍ୟ ସଂକଳ୍ପପତ୍ର ମାଧ୍ୟମରେ ଉପଲବ୍ଧ। ଗଣତନ୍ତ୍ରରେ ବିତର୍କ ଓ ଆଲୋଚନା ମାଧ୍ୟମରେ ସବୁ ମତ, ମତ ପାର୍ଥକ୍ୟକୁ ଗୋଟିଏ ମଞ୍ଚରେ ଏକାଠି କରି ଆସନ୍ତୁ ଆମର ଭବିଷ୍ୟତ ପାଇଁ ଏକମତ ହେବା।
ମୋର ଓଡ଼ିଶାର ପ୍ରିୟ ଭାଇ ଓ ଭଉଣୀମାନେ ଆମର ନିଷ୍ଠାପର ଉଦ୍ୟମ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଆମକୁ ସଫଳତାର ଶୀର୍ଷକୁ ନେଇପାରିବ ବୋଲି ଓଡ଼ିଆ ଜାତିର ଏହା ଦୃଢ଼ ବିଶ୍ୱାସ।
ଦିନେ ମହାପ୍ରଭୁ ବଡ଼ଭାଇଙ୍କ ସହ କଳା-ଧଳା ଘୋଡ଼ାରେ ଚଢ଼ି ଆମ ରାଜା ଓ ରାଜ୍ୟବାସୀଙ୍କ ମାନ ରଖିବା ପାଇଁ କାଞ୍ଚି ବିଜୟରେ ବାହାରି ଥିଲେ। ଓଡ଼ିଆଙ୍କ ଏହି ଅଖଣ୍ଡ ଜନ ବିଶ୍ୱାସରେ ଜଣେ ସାଧାରଣ ଓଡ଼ିଆ ଓ ଆଦିବାସୀ ଭାବରେ ମୁଁ ବି ସାମିଲ। ଆସନ୍ତୁ ପୁଣି ଆମ ରାଜ୍ୟ ଓଡ଼ିଶାକୁ ପ୍ରଗତିର ଶୀର୍ଷକୁ ନେବା ପାଇଁ ଆଜି ଦିନରେ ଶପଥ ନେବା।
ବନ୍ଦେ ଉତ୍କଳ ଜନନୀ
ଭାରତ ମାତାକୀ ଜୟ

ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri