ପାଟଣା,୧୮ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି ଡେଣୁଆ ରାସ୍ତାର ଜହ୍ନେଇ ନାଳ ପୋଲ ସୁରକ୍ଷାବାଡ଼ରେ ବୁଲେଟ ଧକ୍କା ଦେଇ ଜଣେ ୨୯ ବର୍ଷୀୟ ଯୁବକ ପୋଲ ତଳକୁ ଖସି ପଡ଼ିଥିଲେ।
ଧରଣୀଧର ମେଡିକାଲ କଲେଜରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶନିବାର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପାଟଣା ବ୍ଲକ ଡେଣୁଆ ଗ୍ରାମର ଡମ୍ବରୁଧର ମହାନ୍ତଙ୍କ ପୁଅ ସୌମ୍ୟରଞ୍ଜନ।
ସୂଚନାନୁଯାୟୀ, ସୌମ୍ୟ ଶୁକ୍ରବାର ରାତିରେ କେନ୍ଦୁଝରରୁ ଘରକୁ ଫେରୁଥିବା ବେଳେ ବୁଲେଟ୍ ପୋଲର ସୁରକ୍ଷାବାଡ଼କୁ ଧକ୍କା ଦେଇଥିଲା। ବୁଲେଟ୍ ପୋଲ ଉପରେ ପଡ଼ିଥିବାବେଳେ ସୌମ୍ୟ ପୋଲ ତଳକୁ ଛିଟିକି ପଡ଼ିଥିଲେ। ଶନିବାର ସକାଳୁ ଲୋକେ ଦେଖି ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମୁଣ୍ଡରେ ଗଭୀର କ୍ଷତ ହୋଇଥିବାରୁ ତାଙ୍କୁ କେନ୍ଦୁଝର ଧରଣୀଧର ମେଡ଼ିକାଲ କଲେଜ ରେଫର କରାଯାଇଥିଲା। ସେଠାରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।