୧୧ କେଭି ତାର ଲାଗି ଜଣେ ବାଳକ, ୨ ଗୃହପାଳିତ; ୨ ବନ୍ୟପ୍ରାଣୀ ମୃତ

କେନ୍ଦୁଝର,୧ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଗ୍ରାମରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗି ଜଣେ ବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଟି ବଳଦ ଏବଂ ଦୁଇଟି ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ରାତିରେ ଉକ୍ତ ତାର ଛିଣ୍ଡି ତଳେ ଖସି ପଡ଼ିଥିଲା। ସେହିବାଟ ଦେଇ ଯାଉଥିବା ଏକ କୋକିଶିଆଳି ଓ ଅନ୍ୟ ଏକ ବିରଳ ପ୍ରଜାତିର କଲରାପତରିଆ ବାଘ ଜଙ୍ଗଲକୁ ଯାଉଥିବା ବେଳେ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା। ସେହିପରି ଆଜି ସକାଳେ ସ୍ଥାନୀୟ ଜଣେ ବାଳକ ବଳଦ ଧରି ବିଲକୁ ଯାଉଥିବା ବେଳେ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ମୃତକ ଜଣକ ନଳ ପଲେଇଙ୍କ ପୁଅ କର୍ମୁ ପଲେଇ (୧୬) ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ଗ୍ରାମବାସୀ କ୍ଷତିପୂରଣ ଦାବିକରିଛନ୍ତି। ତେବେ କିପରି ୧୧ କେଭି ତାର ଛିଣ୍ଡି ପଡ଼ିଥିଲେ ହେଁ ବ୍ରେକର କାମ କରି ନ ଥିଲା ଏବଂ ଲାଇନ କଟ୍‌ ହୋଇ ନ ଥିଲା ତାହାର ତଦନ୍ତ ଦାବି ହୋଇଛି। କିଛି ସମୟ ପରେ ତାଙ୍କ ବାପା ନଳ ପଲେଇ କ୍ଷେତକୁ ଯାଉଥିବାବେଳେ କର୍ମୁ ସହିତ ୨ ଟି ବଳଦ ତଳେ ପଡିଥିବା ଦେଖିବାକୁ ପାଇଥିଲେ। ପରେ ନୟାକୋଟ ପୋଲିସକୁ ଖବର ଦେଇଥିଲେ। ନୟାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ନୟାକୋଟ ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।