ଭାତହାଣ୍ଡିରୁ ଭାତଟିଏ

ଅକ୍ଷୟ କୁମାର ମିଶ୍ର

ଅଳ୍ପ ଦିନ ତଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଫି ଆଦାୟକୁ ନେଇ କେମିତି ଏକ ଅମାନବୀୟ ଘଟଣା ଘଟିଲା ତାହା ରାଜ୍ୟବାସୀ ଦେଖିଛନ୍ତି। ଚଉତିରିଶ ଜଣ କୋମଳମତି ଛାତ୍ରୀଛାତ୍ରଙ୍କ ଅଭିଭାବକ ବିଦ୍ୟାଳୟର ଦେୟ ପଇଠ କରିନଥିବା ଯୋଗୁ ଅକଥନୀୟ ମାନସିକ ଯନ୍ତ୍ରଣା ସହିଲେ। ପାଠାଗାର ଭିତରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସେହି ପିଲାମାନଙ୍କୁ ବସାଇ ରଖିଲେ। ଅର୍ଥ ଆଦାୟ ସକାଶେ ମୁଣ୍ଡଜାମିନ କହିଲେ ଭୁଲ ହେବ ନାହିଁ। ଆଉ କିଛି ଦିନ ପୂର୍ବେ ଜୁଲାଇ ୨୦ ଦିନ ଏକ ନାରକୀୟ ଘଟଣା ସାମ୍ନାକୁ ଆସିଥିଲା। ରାଜସ୍ଥାନ ଝଲୌର ଜିଲାର ଏକ ସରସ୍ବତୀ ବିଦ୍ୟା ମନ୍ଦିରରେ ଜଣେ ନଅ ବର୍ଷର ଶିଶୁ ଉଚ୍ଚ ଜାତି ପାଇଁ ଉଦ୍ଦିଷ୍ଟ ଥିବା ପାଣି ପାତ୍ରରୁ ପାଣି ପିଇ ଦେଇଥିଲା ବୋଲି ବିଦ୍ୟା ମନ୍ଦିରର ପ୍ରଧାନ ଗୁରୁଜୀ ଏମିତି ଶିଶୁଟିକୁ ପିଟିଲେ ଯେ, ସେ ଚିକିତ୍ସାଧୀନ ଅବସ୍ଥାରେ ୨୩ ଦିନ ପରେ ଚିରଦିନ ପାଇଁ ଆଖି ବୁଜିଲା।
ଅଭିଯୋଗ ହେଉଛି ଇଏତ ଭାତହାଣ୍ଡିରୁ ଭାତଟିଏ। ଗ୍ୟାରେଣ୍ଟି ଦେଇ କହିହେବ ନାହିଁ ଆଉ ସବୁ ସ୍ଥାନରେ ଠିକ୍‌ଠାକ୍‌ ଚାଲିଛି ବୋଲି। ଘରୋଇ ଶିକ୍ଷାନୁଷ୍ଠାନ ତ ଆଉ ସେବା ପାଇଁ ଗଢ଼ି ଉଠିନାହିଁ? ବ୍ୟବସାୟ ଯେଉଁଠି ମୁଖ୍ୟ ଉଦ୍ଦେଶ୍ୟ, ସେଠାରେ ଲାଭ କ୍ଷତିର ହିସାବକୁ ବାଦ୍‌ ଦେଲେ ସଂସ୍ଥା ଚାଲିବ କେମିତି? ଶିକ୍ଷାକୁ ଯେତେବେଳେ ଏକ ପଣ୍ୟ ରୂପେ ଗ୍ରହଣ କରାଗଲା ଏବଂ ବଡ଼ ବଡ଼ ବ୍ୟବସାୟୀ ତଥା କର୍ପୋରେଟରମାନଙ୍କ ହାତରେ ଏହାକୁ ବିକ୍ରି କରିବାର ହଲପ୍‌ନାମା ପ୍ରଦାନ କରାଗଲା, ସେତେବେଳେ ସେଠାରୁ ସେବା ଆଶା କରିବା ନିରର୍ଥକ। ଏହାର ନିଚ୍ଛକ ଉଦାହରଣ ହେଉଛି ଭୁବନେଶ୍ୱରରେ ଘଟିଥିବା ଘଟଣା। ଦ୍ୱିତୀୟ ଘଟଣାଟି ଜାତି ପ୍ରଥାର ବୀଭତ୍ସ ରୂପ। ଜଣେ ତୃଷାର୍ତ୍ତ ଶିଶୁ ପାଣି ପିଇଦେଲା ବୋଲି ତାକୁ ପିଟିପିଟି ମାରିଦେବା କାନ ଶୁଣିନଥିଲା। ଅସଭ୍ୟ ବର୍ବରତାର ବୋଧହୁଏ ଶେଷ ସୋପାନ। ପରବର୍ତ୍ତୀ ସମୟରେ ଶିକ୍ଷା ଅଧିକାର ଆଇନ ୨୦୦୯ ଆସିବା ପରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗରୁ ୨୫ ପ୍ରତିଶତ ପିଲାଙ୍କ ପାଇଁ ସଂରକ୍ଷିତ ହେଲା। ଫଳରେ ସ୍ବୀକୃତି ପ୍ରତ୍ୟାହାର ହୋଇଯିବା ଭୟରେ ଅନିଚ୍ଛା ସତ୍ତ୍ୱେ ଏମାନେ ଏହି ବର୍ଗର କିଛି ପିଲାଙ୍କୁ ଭର୍ତ୍ତି କରିବାକୁ ବାଧ୍ୟ ହେଉଛନ୍ତି ସତ, କିନ୍ତୁ ଏମାନଙ୍କ ପ୍ରତି ଅସୂୟା ଭାବନାରେ ଅନ୍ତ ଘଟିନାହିଁ।
ଦେଖାଯାଉଛି ଏହିସବୁ ବିଦ୍ୟାଳୟରେ କୌଣସି ଏକ ଅଭାବନୀୟ ଘଟଣା ଘଟିବା ପରେ ପ୍ରଶାସନ ବେଶ୍‌ ସକ୍ରିୟ ହୋଇଉଠୁଛି ଏବଂ ସରକାର ମଧ୍ୟ ତତ୍ପରତା ପ୍ରକାଶ କରୁଛନ୍ତି ଏହି ଶିକ୍ଷାନୁଷ୍ଠାନଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ। କିନ୍ତୁ ଚାଲୁଥିବା ବେନିୟମ କାର୍ଯ୍ୟ ବିରୋଧରେ ଯେତେବେଳେ ବିଭିନ୍ନ ମହଲରୁ ଅଭିଯୋଗ ହେଉଛି ତାକୁ କେହି ଗୁରୁତ୍ୱ ଦେଉନାହାନ୍ତି। ପରନ୍ତୁ ଅଭିଯୋଗଗୁଡ଼ିକୁ ହାଲୁକା ଭାବେ ଗ୍ରହଣ କରିବା ଅଭ୍ୟାସରେ ପରିଣତ ହୋଇଗଲାଣି। ବିଡ଼ମ୍ବନା ହେଉଛି ଘରୋଇ ଶିକ୍ଷା ବ୍ୟବସ୍ଥାର କ୍ଷତିକାରକ ଦିଗଗୁଡ଼ିକ ସମ୍ପର୍କରେ ଯେତେବେଳେ କୁହାଯାଉଛି ଏହାକୁ କର୍ଣ୍ଣପାତ କରାଯାଉ ନାହିଁ। ଅଧିକନ୍ତୁ ଘରୋଇ ଶିକ୍ଷା ସପକ୍ଷରେ ଓକିଲାତି କରି କୁହାଯାଉଛି ଆଜିର ସମାଜରେ ଏହା ଅନିବାର୍ଯ୍ୟ।
ଘରୋଇ ବିଦ୍ୟାଳୟରେ ପଢ଼ିଲେ ପିଲା ଟାଇ, କୋଟ୍‌, ବୁଟ୍‌ ପିନ୍ଧି ସ୍କୁଲ ଯିବ। ସ୍ମାର୍ଟ ହେବ। ଇଂଲିଶ୍‌ରେ ଦକ୍ଷତା ବଢ଼ିବ। ବହୁତଳ ବିଶିଷ୍ଟ ପ୍ରାସାଦରେ ବସି ପାଠ ପଢ଼ିବ। ପୁଣି ଶୀତତାପ ନିୟନ୍ତ୍ରିତ ଶ୍ରେଣୀଗୃହର ବ୍ୟବସ୍ଥା ଅଛି। ଯେମିତି ପଇସା, ସେମିତି ପାଠ। ସହରଠାରୁ ଗଁା ଡିଟରଜେଣ୍ଟ ପାଉଡର ପାଇଁ ଯେମିତି ବଡ଼ ବଡ଼ ହୋର୍ଡିଂ ଲାଗିଛି, ସମାନ ଭାବେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଚାର ଅଭିଭାବକମାନଙ୍କୁ ଆଜି ବାଉଳା କରିଦେଉଛି। ଖାଉଟିଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀଗୁଡ଼ିକ ବେଳେବେଳେ ଘୋଷଣା କରନ୍ତି ‘ଦୁଇକିଲିଆ ପାକେଟ୍‌ କିଣିଲେ ଗୋଟିଏ ବାଲ୍‌ଟି ଫ୍ରି’। ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ସମାନ କୌଶଳ ଆପଣେଇବାକୁ ଭୁଲୁନାହାନ୍ତି। କିଏ କହୁଛି ପାଠ ସାଙ୍ଗକୁ ସ୍ପିକିଂ ଇଂଲିଶ୍‌ ଫ୍ରି ତ କିଏ କହୁଛି କମ୍ପ୍ୟୁଟର ଶିକ୍ଷା ଫ୍ରି। ଆଉ କେଉଁଠି ପାଠ ସାଙ୍ଗରେ ଜେଇ, ଆଇଆଇଟି, ମେଡିକାଲ କୋଚିଂ ମାଗଣାରେ ଦିଆଯାଏ ବୋଲି ବଡ଼ ବଡ଼ ଅକ୍ଷରରେ ଲେଖାଯାଉଛି। ଏସବୁ ଦେଖି ବିଶେଷକରି ମଧ୍ୟବିତ୍ତ ଶ୍ରେଣୀ ଏହି ବଜାରରେ ଅଧିକ ସାମିଲ ହେଉଛନ୍ତି। ହେବା ସ୍ବାଭାବିକ ମଧ୍ୟ। ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଯେମିତି ଅଣଦେଖା କରାଗଲା ଏବଂ ଘରୋଇ ଶିକ୍ଷାକୁ ଯେମିତି ପରୋକ୍ଷ ପ୍ରୋତ୍ସାହନ ଦିଆଗଲା ତା’ର ଫଳ ସ୍ବରୂପ ପାଖାପାଖି ୩୦% ପିଲା ଆଜି ଘରୋଇ ବିଦ୍ୟାଳୟ ଆଡ଼କୁ ଆକର୍ଷିତ ହୋଇ ଯାଇଛନ୍ତି।
ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ପାଇଁ ଶିକ୍ଷା ଯେମିତି ଅପରିହାର୍ଯ୍ୟ, ସେମିତି ଶିକ୍ଷା ମଧ୍ୟ ଦେଶର ଅର୍ଥନୀତି ଦ୍ୱାରା ସମ୍ପୂର୍ଣ୍ଣ ନିୟନ୍ତ୍ରିତ। ଆମ ଦେଶ ବିଂଶ ଶତାବ୍ଦୀର ଶେଷ ଦଶକରେ ମିଶ୍ର ଅର୍ଥନୀତିକୁ ବିଦାୟ ଜଣାଇ ଜଗତୀକରଣକୁ ସ୍ବାଗତ କଲା। ଏହାର ମୂଳ ପିଣ୍ଡ ହେଉଛି ଉଦାରୀକରଣ ଓ ଘରୋଇକରଣ। ସେହି ଦିନଠାରୁ ଘରୋଇ ମାଲିକାନା ପାଇଁ ମୌସୁମୀ ପ୍ରବାହିତ ହେବାକୁ ଲାଗିଲା। ଆଉ ଏକ ଲଘୁଚାପ ସୃଷ୍ଟି ହେଲା ୨୦୦୦ ମସିହା ଏପ୍ରିଲ ୨୪ ଦିନ, ଯେତେବେଳେ ମୁକେଶ ଅମ୍ବାନୀ ଓ କୁମାରମଙ୍ଗଳମ୍‌ ବିର୍ଲା ଶିକ୍ଷା ଉପରେ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କଲେ। ରିପୋର୍ଟରେ କୁହାଗଲା, ରାଷ୍ଟ୍ରର ବିକାଶକୁ ତ୍ୱରାନ୍ବିତ କରିବାକୁ ହେଲେ ଶିକ୍ଷା ବଜେଟକୁ ହ୍ରାସ କରିବା ଆବଶ୍ୟକ। ନ ହେଲେ ଏମିତି ସମୟ ଆସିବ, ଏହା ସମଗ୍ର ବଜେଟକୁ ଗିଳିଦେବ। ଶିକ୍ଷା ହେଉଛି ଏକ ଅଣଉତ୍ପାଦିତ କ୍ଷେତ୍ର ଏବଂ ଏହା ଏକ ନନ୍‌ମେରିଟ ଗୁଡ୍‌ସ(non-merit goods)। ଏହା ବାବଦରେ ସରକାର ଅଧିକ ସମ୍ବେଦନଶୀଳ ନ ହୋଇ ବୋଝକୁ ହାଲୁକା କରିବା ପାଇଁ ଘରୋଇ ମାଲିକାନାକୁ ହସ୍ତାନ୍ତରିତ କରିବା ଜରୁରୀ। ଯଦ୍ଦ୍ବାରା ଯାହାର ଅର୍ଥ ଅଛି ସେ ତା’ ପିଲା ପାଇଁ ବଜାରରୁ ଶିକ୍ଷାକୁ କିଣିପାରିବା ସହିତ ଦେଶ ‘ଜ୍ଞାନ ବିପ୍ଳବ’ରେ ସାମିଲ ହୋଇପାରିବ। ଏହି ରିପୋର୍ଟକୁ ନୀରବ ସମର୍ଥନ ଫଳରେ ଆଜି ଦେଶରେ ଛତୁ ଫୁଟିଲା ପରି ଘରୋଇ ବିଦ୍ୟାଳୟ, ମହାବିଦ୍ୟାଳୟ ଗଢ଼ିଉଠିଛି। ଘରୋଇ ବିଶ୍ୱବିଦ୍ୟାଳୟ ସଂଖ୍ୟା ସରକାରୀ ବିଶ୍ୱବିଦ୍ୟାଳୟ ସଂଖ୍ୟାକୁ ମଧ୍ୟ ଟପିଗଲାଣି। ଦେଶରେ ପ୍ରଚଳିତ ଦୁଇଟି ସମାନ୍ତରାଳ ଶିକ୍ଷା ବ୍ୟବସ୍ଥା ଯୋଗୁ ଲୋକଙ୍କ ଭିତରେ ସାମାଜିକ ତଥା ଅର୍ଥନୈତିକ ବୈଷମ୍ୟ କ୍ରମଶଃ ବଢ଼ିବାରେ ଲାଗିଛି।
କେନ୍ଦ୍ର ତଥା ରାଜ୍ୟ ସରକାରଗୁଡ଼ିକ ଶିକ୍ଷାକୁ ଏକ ନିଷିଦ୍ଧ ସାମଗ୍ରୀ ଭାବରେ ବିଚାର କରି ବଜାରରେ ଖୁଲମ୍‌ଖୁଲା ବିକ୍ରି ପାଇଁ ଛାଡ଼ିଦେବା ଉଚିତ ହେବ ନାହିଁ। ଅବଶ୍ୟ କେରଳ ଓ ଦିଲ୍ଲୀ ସରକାର ବିପଦକୁ ହୃଦୟଙ୍ଗମ କରି ସରକାରୀ ସାର୍ବଜନୀନ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା ଏକ ଶୁଭ ସଂକେତ। ଭିତ୍ତିଭୂମିର ବିକାଶ ପାଇଁ ବିଦ୍ୟାଳୟ ରୂପାନ୍ତରଣ ଆମ ରାଜ୍ୟ ସରକାରଙ୍କର ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ବୋଲି କୁହାଯାଇପାରିବ, ଯଦି ମାଧ୍ୟମିକରେ ସୀମିତ ନରହି ଏଥିରେ ସମସ୍ତ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାମିଲ କରନ୍ତି। ପୁଣି ଭିତ୍ତିଭୂମିର ବିକାଶ କେବଳ ଯଥେଷ୍ଟ ନୁହେଁ। ପ୍ରାଥମିକଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶୂନ୍ୟ ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ନ କଲେ ପୋଖରୀରେ ଲୋଟାଏ କ୍ଷୀର ଢାଳି କ୍ଷୀର ପୋଖରୀ ତିଆରି କରିବା ଭଳି କଥା ହେବ। ଆଶା କରିବା ସମସ୍ତ ସରକାର ଶିକ୍ଷାକୁ ନେଇ ସେମାନଙ୍କର ବିଚାରବୋଧର ପରିବର୍ତ୍ତନ ଆଣିବେ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା
ମୋ: ୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଭାବ ସମୟରେ ବସ୍ତିବାସିନ୍ଦା, ଦିନମଜୁରିଆ, ଟ୍ୟାକ୍ସିଚାଳକ ଏବଂ ଗୃହହୀନମାନେ ଦିନକର ରୋଜଗାର ବନ୍ଦ କରିବାକୁ ଚାହଁୁ ନ ଥିବାରୁ କୋଭିଡ୍‌ ଟିକାକରଣରେ ବେଶି ସାମିଲ ହୋଇପାରୁ...

ହସ୍ତତନ୍ତ କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା

କିଶୋର ମେହେର କୃଷି ପରେ ବୟନ କ୍ଷେତ୍ର ହିଁ ସବୁଠାରୁ ବେଶି କର୍ମନିଯୁକ୍ତି ସୃଷ୍ଟି କରେ। ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏହା ଏକ ବହୁ ପୁରୁଣା...

ବିକଶିତ ଓଡ଼ିଶାର ମାର୍ଗ

ଡ. ଅମରେନ୍ଦ୍ର ଦାସ ୨୦୩୬ରେ ଓଡ଼ିଶାକୁ ଶହେ ବର୍ଷ ପୂରିବ। ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ବା ମଧ୍ୟବିତ୍ତ ରାଜ୍ୟରେ ପରିଣତ କରିବାକୁ ହେଲେ ଆମକୁ...

ଚେତନାର ଅମୃତ ଦିଗନ୍ତ ମା’

ବିମଳ ପ୍ରସନ୍ନ ଦାସ ଫେବୃୟାରୀ ୨୧ ତାରିଖ ୧୮୭୮- ମଧୁମୟୀ ଦିବ୍ୟଜନନୀ ଶ୍ରୀମାଙ୍କର ୧୪୪ତମ ଶୁଭ ଜନ୍ମତିଥି। ଇତିମଧ୍ୟରେ କାଳବକ୍ଷରେ ୧୪୩ ବର୍ଷ ଅତିବାହିତ ହୋଇଗଲା।...

Dillip Cherian

ଆଇଆର୍‌ଏସ୍‌ ରାଡାର

ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ (ସିବିଡିଟି) ହିସାବ ବହିର୍ଭୂତ ବିଦେଶୀ ଏବଂ ବେନାମୀ ସମ୍ପତ୍ତି ଉପରେ ଏବେ ତା’ ଅଭିଯାନ ଜୋରଦାର କରିଛି। ଏଥିପାଇଁ...

ଏଇ ଭାରତରେ

କପ୍‌ରେ ଚା’ପିଇବେ ଓ ତାହାକୁ ଚୋବାଇ ଖାଇବେ। ଏହା ଅଜବ ଲାଗୁଥିଲେ ବି ସତ। ପୁନିତ୍‌ ଦତ୍ତଙ୍କ ଦ୍ୱାରା ଏଭଳି ଚା’ କପ୍‌ ତିଆରି କରାଯାଉଛି।...

ଖଣ୍ଡିକିଆ ସିଗାରେଟ୍‌

ଭାରତରେ ଧୂମପାନକାରୀଙ୍କ ସର୍ବନିମ୍ନ ଆଇନଗତ ବୟସ ୨୧ ବର୍ଷ କରିବା ଲାଗି କେନ୍ଦ୍ର ସରକାର ଏକ ବିଲ୍‌ ପ୍ରସ୍ତୁତ କରୁଛନ୍ତି। ଏବେ ଏହା ୧୮ ବର୍ଷ...

ଲକ୍‌ଡାଉନ୍‌ ଓ ପ୍ରବାସୀ ଶ୍ରମିକଙ୍କ ସମସ୍ୟା

ଭାଲଚନ୍ଦ୍ର ଷଡ଼ଙ୍ଗୀ କରୋନା ଭୂତାଣୁର ବର୍ଦ୍ଧିତ ସଂକ୍ରମଣକୁ ରୋକିବା ନାଁରେ ପ୍ରଧାନମନ୍ତ୍ରୀ ଗତ ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ସାରା ଦେଶରେ ଯେଉଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି...

Advertisement
Archives

Model This Week